ପଞ୍ଜାବ କଂଗ୍ରେସରେ ଫାଟ ଜଳଜଳ, ସିଦ୍ଧୁ କହିଲେ- 'ପ୍ରତିଦିନ ମିଛ କହୁଛନ୍ତି କ୍ୟାପ୍ଟେନ୍'

Published By : Prameya-News7 Bureau | June 21, 2021 IST

ଚଣ୍ଡିଗଡ, ୨୧/୦୬:   ପଞ୍ଜାବରେ ଆସନ୍ତା ବର୍ଷ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । କିନ୍ତୁ ଏହା ପୂର୍ବରୁ ରାଜ୍ୟ କଂଗ୍ରେସରେ ଫାଟ ଜଳଜଳ ହୋଇ ଦିଶୁଛି । କ୍ରିକେଟରୁ ନେତା ପାଲଟିଥିବା ନବଜ୍ୟୋତ ସିଂ ସିଦ୍ଧୁ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂଙ୍କ ବିରୋଧରେ ଯୁଦ୍ଧଂଦେହି ଡକରା ଦେଇଛନ୍ତି । ଏହାସହ କ୍ୟାପ୍ଟେନଙ୍କ ବିରୋଧରେ ବର୍ଷିଛନ୍ତି ।

ସିଦ୍ଧୁ କହିଛନ୍ତି ଯେ, କ୍ୟାପ୍ଟେନ୍ ପ୍ରତିଦିନ ମିଛ କହୁଛନ୍ତି । ପଞ୍ଜାବରେ ସରକାର ତାଙ୍କୁ କାମ କରିବା ପାଇଁ ସୁଯୋଗ ଦେଉନାହାଁନ୍ତି । ସେ ରାଜ୍ୟରେ ପରିବର୍ତ୍ତନ ଚାହାଁନ୍ତି । ସେ ପଞ୍ଜାବର ଉପ ମୁଖ୍ୟମନ୍ତ୍ରୀ ହେବେ ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହା ମିଛ । ସେ କେବେ ହେଲେ ଏପରି ଚାହୁଁନଥିବା କହିଛନ୍ତି । ତେବେ ସିଦ୍ଧୁ ଉପ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ବୋଲି ବୋଲି କିଛିଦିନ ତଳେ କ୍ୟାପ୍ଚେନ୍ ଅଭିଯୋଗ କରିଥିଲେ ।

ଏକ ଇଂରାଜୀ ଖବର କାଗଜକୁ ସାକ୍ଷାତକାର ଦେଇ ସିଦ୍ଧୁ କହିଛନ୍ତି ଯେ, ଅମରିନ୍ଦର ବାଉଳା ହେଉଛନ୍ତି । ପ୍ରତିଦିନ ମିଛ କହୁଛନ୍ତି । ଏପରିକି ସେ କୁଆଡେ ଆମ ଆଦମୀ ସହ ବୈଠକ କରୁଥିବା କ୍ୟାପ୍ଟେନ୍ ପ୍ରଚାର କରିଥିଲେ । ଏପରି ଭାବେ କ୍ୟାପ୍ଟେନ୍ ବେକାର କଥା କହୁଛନ୍ତି । ପ୍ରକୃତ ପ୍ରସଙ୍ଗରୁ କ୍ୟାପ୍ଟେନ୍ ଦୂରେଇ ରହୁଛନ୍ତି ।

ନିଜ ରାଜନୈତିକ ଲକ୍ଷ୍ୟ ବାବଦରେ ସିଦ୍ଧୁ କହିଛନ୍ତି ଯେ, ସେ ସିଷ୍ଟମକୁ ପାଳନ କରିବା ସହ ବଦଳାଇବା ପାଇଁ ଚାହାଁନ୍ତି । ଦୁଇଟି ଶକ୍ତିଶାଳୀ ପରିବାର ପଞ୍ଜାବକୁ ନିୟନ୍ତ୍ରଣ କରୁଛନ୍ତି । ସେମାନେ ରାଜ୍ୟର ଭଲ ଚାହୁଁ ନାହାଁନ୍ତି । ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ କାମ କରୁଛନ୍ତି । ଏହି ବ୍ୟବସ୍ଥା ଉପରେ ସେ ଲଢେଇ ଜାରି ରଖିବେ ବୋଲି ସିଦ୍ଧୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.