ପଞ୍ଜାବ: ୨ ମାସର ସରକାରଙ୍କ ରିପୋର୍ଟ କାର୍ଡ ଉପସ୍ଥାପନ କଲେ ଚରଣଜିତ ସିଂ ଚନ୍ନୀ, ଜାଣନ୍ତୁ କହିଲେ କ’ଣ ?

Published By : Prameya-News7 Bureau | December 02, 2021 IST

ଚଣ୍ଡିଗଡ଼ ୨।୧୨: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ଗୁରୁବାର ତାଙ୍କ ୨ ମାସର ସରକାରଙ୍କ ରିରୋପ୍ଟ କାର୍ଡ ଜାରି କରିଛନ୍ତି। ସେ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ତାଙ୍କ ମୁହଁରୁ ଯାହାବି ବାହାରିଛି ତାହା କାର୍ଯ୍ୟକାରୀ ହୋଇଛି। ସେ ଘୋଷଣାଜିତ ନୁହନ୍ତି ନିଜକୁ ବିଶ୍ୱାସଜିତ ବୋଲି ଦାବି କରିଛନ୍ତି। ଏହି ରିପୋର୍ଟ କାର୍ଡରେ ସେ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ ଶୁଳ୍କର ଜିରୋ ବିଲ ମଧ୍ୟ ଉପସ୍ଥାପନ କରିଛନ୍ତି।

ଆମ ଆଦମୀ ପାର୍ଟି ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଚନ୍ନୀଙ୍କୁ ବିଦ୍ୟୁତ୍ ଶୁଳ୍କ ରିହାତି ନେଇ ଚାଲେଞ୍ଜ କରିଥିଲେ। ଏହାର ଜବାବରେ ଚନ୍ନି ସରକାର ୨ କିଲୋୱାଟ୍ ପର୍ଯ୍ୟନ୍ତ ୨୦ ଲକ୍ଷ ଗ୍ରାହକଙ୍କ ୨୦୦ ୟୁନିଟ୍ ବିଲ୍ ରିହାତି ଦିଆଯାଇଥିବା ରିପୋର୍ଟ କାର୍ଡରେ ପ୍ରମାଣ ସହ ଉପସ୍ଥାପନ କରିଛନ୍ତି। ଏ ବାବଦେ ୫୦୦ କୋଟି ଟଙ୍କା ଗ୍ରାହକଙ୍କ ଲାଗି ସରକାର ନିଜେ ଦାଖଲ କରିଛନ୍ତି। ସେ କହିଛନ୍ତି ଯେ ମୁଁ ଜିରୋ ବିଲ ପ୍ରମାଣ ସାଙ୍ଗରେ ନେଇ ଆସିଛି। କେବଳ ଏତିକି ନୁହେଁ ଦୁଇ ମାସରେ ନୂଆ ସରକାର ୫୦ରୁ ୬୦ ନିଷ୍ପତ୍ତି ନେଇଛନ୍ତି ଓ ସବୁ ନିଷ୍ପତ୍ତିକୁ ରାଜ୍ୟରେ କାର୍ଯ୍ୟକାରୀ ମଧ୍ୟ କାରଇଛନ୍ତି।

ସମାଜରେ ସମାନତା ଲାଗି ସେ କାମ କରୁଥିବା କହିଛନ୍ତି। ସେହି ଅନୁସାରେ ମୁଖ୍ୟମନ୍ତ୍ରୀ ୬୮ ଲକ୍ଷ ବିଦ୍ୟୁତ ଗ୍ରାହକଙ୍କୁ ପ୍ରତି ୟୁନିଟ୍‌ ୩ ଟଙ୍କା ଶସ୍ତା ଦରରେ ବିଦ୍ୟୁତ ଯୋଗାଇ ଦେଇଥିବାର କହିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି୧ ନଭେମ୍ବରରୁ ସାରା ରାଜ୍ୟରେ କାର୍ଯ୍ୟକାରୀ ହୋଇଥିଲା। ଏହାର ଲାଭ ଗ୍ରାହକ ଚଳିତମାସରୁ ମିଳିବାରେ ଲାଗିବେ ବୋଲି କହିଛନ୍ତି। କେବଳ ଏତିକି ନୁହେଁ ଚନ୍ନି ସରକାର ଦାୟିତ୍ୱ ନେବା ପରେ ସ୍ୱତନ୍ତ୍ର ଅଧିବେଶନ ଡକାଇ ବିଦ୍ୟୁତ ଏମଓୟୁ ମଧ୍ୟ ବାତିଲ କରିଥିବା କହିଛନ୍ତି।

ସେହିପରି ରାଜ୍ୟରେ ଭୂମିହୀନ ଓ ଆବଶ୍ୟକ କରୁଥିବା ୩୬ ହଜାର ଲୋକଙ୍କୁ ପ୍ଲଟ ମଧ୍ୟ ଆବଣ୍ଟିତ କରିଛନ୍ତି। କେବଳ ଏତିକି ନୁହେଁ ତାଙ୍କ ସରକାର ପଞ୍ଚାୟତ କାର୍ଯ୍ୟାଳୟ ବିଦ୍ୟୁତ ବିଲ ମଧ୍ୟ ଛାଡ କରିଛନ୍ତି। ସେହିପରି ଗ୍ରାମାଞ୍ଚଳରେ ସର୍ବନିମ୍ନ ବିଦ୍ୟୁତ ଶୁଳ୍କ ୧୬୬ ଟଙ୍କାବଦଳେ ୫୦ ଟଙ୍କା ଧାର୍ଯ୍ୟ କରାଯାଇଥିବା କହିଛନ୍ତି। ଏହା ଛଡା ତାଙ୍କ ସରକାରରେ ହୋଇଥିବା ଅନ୍ୟ ଉନ୍ନୟନମୂଳକ କାର୍ଯ୍ୟକ୍ରମର ମଧ୍ୟ ହିସାବ ଗଣେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.