ସିଦ୍ଧୁ ଜନ୍ମ ହେବା ବେଳକୁ ମୁଁ ସୀମାରେ ଦେଶ ସେବା କରୁଥିଲି: ଅମରିନ୍ଦର ସିଂହ

Published By : Prameya-News7 Bureau | July 23, 2021 IST

ଚଣ୍ଡୀଗଡ଼ ୨୩/୭: ପଞ୍ଜାବ କଂଗ୍ରେସରେ ଲାଗିରହିଥିବା ବିବାଦ ଏବେ ଏବେ ଥମିଛି। ପଞ୍ଜାବର କଂଗ୍ରେସ ଅଧ୍ୟକ୍ଷ ଭାବେ ନବଜୋତ ସିଂହ ସିଦ୍ଧୁ ଦାୟିତ୍ବ ଗ୍ରହଣ କରିଛନ୍ତି। ଖାସ କଥା ହେଉଛି ଏହି ସମୟରେ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ମଧ୍ୟ ଉପସ୍ଥିତ ଥିଲେ। ୪ ମାସ ପରେ ଦୁଇ ନେତା ପରଷ୍ପର ସହ ସାକ୍ଷାତ କରି କଥା ହୋଇଛନ୍ତି। ଏହି ଅବସରରେ ସିଦ୍ଧୁଙ୍କ ସହ ସମ୍ପର୍କକୁ ନେଇ ମନ ଖୋଲି କହିଛନ୍ତି ଅମରିନ୍ଦର ସିଂହ।

ସିଦ୍ଧୁ ଯେଉଁ ବର୍ଷ ଜନ୍ମ ହେଲେ ସେହି ବର୍ଷ ସୀମାରେ ଦେଶ ସେବା କରୁଥିଲି ବୋଲି କ୍ୟାପ୍ଟେନ ଅମରିନ୍ଦର ସିଂହ କହିଛନ୍ତି। ଏହା ସହ ସେ କହିଛନ୍ତି ନୂଆ ପିସିସି ସଭାପତିଙ୍କ ସହ ମିଳିମିଶି କାର୍ଯ୍ୟ କରିବେ। କ୍ୟାପ୍ଟେନ କହିଛନ୍ତି, ‘ଯେଉଁ ବର୍ଷ ଅର୍ଥାତ ୧୯୬୩ରେ ଯେବେ ସିଦ୍ଧୁ ଜନ୍ମ ନେଲେ ମୁଁ ସେତେବେଳେ ଆର୍ମିରେ ଥିଲି। ସିଦ୍ଧୁଙ୍କ ପିତା ଏବଂ ମୋ ମା ରାଜନୀତିରେ ଥିଲେ। ଯେତେବେଳେ ଆର୍ମି ଛାଡ଼ି ଆସିଲି ସିଦ୍ଧୁଙ୍କ ପିତା ମୋତେ ରାଜନୀତିକୁ ଆଣିବାକୁ ସହାୟତା କରିଥିଲେ। ସେତେବେଳେ ମୁଁ ସିଦ୍ଧୁଙ୍କ ଘରକୁ ଯାଉଥିଲି। ସେ କେବଳ ୬ ବର୍ଷର ହୋଇଥିଲେ।’  

ନବଜୋତ ସିଂହ ସିଦ୍ଧୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ଉପସ୍ଥିତିରେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ କାର୍ଯ୍ୟଭାର ଗ୍ରହଣ କରିବା ପରେ ସିଦ୍ଧୁ କହିଛନ୍ତି, ଦଳର ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ଏବଂ ପ୍ରଦେଶ ମୁଖିଆଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.