ଆଜି ମୁହାଁମୁହିଁ ହେବେ ରାଜସ୍ଥାନ ଓ ପଞ୍ଜାବ, କେଏଲ ରାହୁଲଙ୍କ ଉପରେ ରହିବ ଫୋକସ୍

Published By : Prameya-News7 Bureau | September 27, 2020 IST

ଦୁବାଇ, ୨୭|୦୯:  ଆଇପିଏଲର ୧୩ତମ ମ୍ୟାଚରେ ରବିବାର ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ କିଙ୍ଗସ୍ ଏକାଦଶ ପଞ୍ଜାବ । ଜୋରଦାର ଫର୍ମରେ ଥିବା କେଏଲ ରାହୁଲ ଓ ସଞ୍ଜୁ ସାମସନଙ୍କ ବ୍ୟାଟ୍ ଚାଲିଲେ ଉଭୟ ଦଳ ମଧ୍ୟରେ କଡା ସଙ୍ଘର୍ଷ ହେବ । ତେବେ ଜସ୍ ବଟଲରଙ୍କ ଉପସ୍ଥିତି ରାଜସ୍ଥାନକୁ ଆହୁରି ମଜବୁତ କରିବ । ଶାରଜାହ କ୍ରିକେଟ୍ ଷ୍ଟାଡିୟମରରେ ଏହି ମ୍ୟାଚ୍ ଭାରତୀୟ ସମୟାନୁସାରେ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ ।  

ରେକର୍ଡ ଦେଖିଲେ ରାଜସ୍ଥାନ ଭଲ ସ୍ଥିତିରେ ରହିଛି । ଉଭୟ ଦଳ ମଧ୍ୟରେ ଏବେସୁଦ୍ଧା ୧୯ଟି ମୁକାବିଲା ଖେଳାଯାଇଛି । ଯେଉଁଥିରେ ରାଜସ୍ଥାନ ୧୦ଟି ଓ ପଞ୍ଜାବ ୮ଟି ମ୍ୟାଚ୍ ଜିତିଛି । ତେବେ ୨୦୧୫ରେ ଉଭୟ ଦଳ ମଧ୍ୟରେ ଏକ ମ୍ୟାଚ୍ ଟାଇ ହୋଇଥିଲା । ଯାହାକୁ ସୁପର୍ ଓଭରରେ ପଞ୍ଜାବ ଜିତି ନେଇଥିଲା ।

ରୟାଲ ଚ୍ୟାଲେଞ୍ଜର୍ସ ବିରୋଧରେ ବଡ ବ୍ୟବଧାନରେ ଜିତିଥିବା ପଞ୍ଜାବ ଆତ୍ମବିଶ୍ୱାସରେ ଭରପୁର ରହିଛି । ଅନ୍ୟପଟେ ଚେନ୍ନାଇ ବିପକ୍ଷରେ ବିଜୟ ପରେ ରାଜସ୍ଥାନ ରୟାଲ୍ସ ଭଲ ସ୍ଥିତିରେ ଅଛି । ଉଭୟ ଦଳ ବିଜୟ ଲୟକୁ ଜାରି ରଖିବାକୁ ଚାହିଁବେ ।

ପଞ୍ଜାବର ଅଧିନାୟକ ରାହୁଲ ଜବରଦସ୍ତ ଫର୍ମରେ ଅଛନ୍ତି । ସେ ବାଙ୍ଗାଲୋର ବିପକ୍ଷରେ ୬୯ ବଲରୁ ୭ ଛକା ସାହାଯ୍ୟରେ ୧୩୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଏହି ପାଳିରେ ବିରାଟ କୋହଲି ରାହୁଲଙ୍କୁ ଦୁଇଥର ଜୀବନ ଦାନ ଦେଇଥିଲେ । ତେବେ ଆଜିର ମ୍ୟାଚ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । ଆଜିର ମ୍ୟାଚରେ ଟସ୍ ଅଧିକ ଗୁରୁଚ୍ୱ ବହନ କରୁଛି । ତେବେ ରାହୁଲ ଯଦି ଟସ୍ ଜିତନ୍ତି ତେବେ ବ୍ୟାଟିଂ ନେବାକୁ ଚାହିଁବେ । ସେହିପରି ରାଜସ୍ଥାନ ମଧ୍ୟ ପଞ୍ଜାବକୁ କଡା ଟକ୍କର ଦେବ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.