କର୍ଫ୍ୟୁ ସମୟରେ ବିନା କାମରେ ବାହାରେ ବୁଲୁଥିବା ଲୋକଙ୍କୁ ବେଙ୍ଗ ଡିଆଁ କରାଇଲେ ତହସିଲଦାର: ଭୁଲିଗଲେ ସାମାଜିକ ଦୂରତା...

Published By : Prameya-News7 Bureau | May 03, 2021 IST

ଭୋପାଲ ୦୩/୦୫ : ମଧ୍ୟପ୍ରଦେଶ ଇନ୍ଦୋର ସହର ନିକଟରେ ଥିବା ଦିପାଲପୁରରେ କରୋନା କର୍ଫ୍ୟୁ ସମୟରେ ଅଯଥାରେ ବାହାରେ ବୁଲୁଥିବା ଲୋକଙ୍କୁ ତହସିଲଦାର ଏମିତି ଦଣ୍ଡ ଦେଇଛନ୍ତି ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ। ତହସିଲଦାର ବଜରଙ୍ଗ ବହାଦୁର ସିଂହ ଅମାନିଆଙ୍କୁ ରାସ୍ତାରେ ବେଙ୍ଗ ଭଳି ଡେଇଁବାକୁ ଆଦେଶ ଦେଇଥିଲେ। ଦଣ୍ଡ ତ ଠିକ କଥା କିନ୍ତୁ ଦଣ୍ଡ ଦେବା ସମୟରେ ସାମାଜିକ ଦୂରତା ପ୍ରତି ଦୃଷ୍ଟି ଦେବା ଉଚିତ ଯାହା ତହସିଲଦାର ଭୁଲିଗଲେ। ଜଣେ ଯୁବକ ବଇଣ୍ଡା ଡିଆଁ କରିବାରେ ଅସମର୍ଥ ହେବାରୁ ତହସିଲଦାର ତାଙ୍କୁ ଗୋଇଠା ମାରିଥିଲେ ।

ସୂଚନାଯୋଗ୍ୟ ଯେ, ଅନ୍ୟ ରାଜ୍ୟ ଭଳି ମଧ୍ୟପ୍ରଦେଶରେ ମଧ୍ୟ କରୋନା ମାମଲା ଲଗାତାର ବୃଦ୍ଧି ପାଉଛି। ଇନ୍ଦୋର, ଭୋପାଲ, ଗ୍ୱାଲିୟର, ଜବଲପୁର ଆଦି ସହରରେ ପ୍ରତିଦିନ ନୂଆ ମାମଲା ସାମ୍ନାକୁ ଆସୁଛି। ମାମଲା ବୃଦ୍ଧି ପାଉଥିବାରୁ ଅନେକ ହସ୍ପିଟାଲରେ ବେଡ଼, ଅକ୍ସିଜେନ, ଔଷଧ ଆଦିର ସଙ୍କଟ ଦେଖାଦେଇଛି।

କରୋନା ପ୍ରକୋପ କମ କରିବାକୁ ସରକାର ସପ୍ତାହନ୍ତ ଲକଡାଉନ ଓ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି। କିନ୍ତୁ ତଥାପି ଅମାନିଆ ସରକାରଙ୍କ ଆଦେଶ ଉଲଙ୍ଘନ କରୁଛନ୍ତି। କରୋନା ନିୟମ ପାଳନ ନ କରି ଏମାନେ କେବଳ ନିଜ ପିନ ନୁହେଁ ବରଂ ଅନ୍ୟମାନଙ୍କ ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛନ୍ତି. କିଛି ଦିନ ପୂର୍ବରୁ ମନ୍ଦସୌର ସହରରେ ଲକଡାଉନ ନିୟମ ଉଲଙ୍ଘନ କରିଥିବା ଯୁବକଙ୍କୁ ପୋଲିସ ଉଠ-ବସ କରାଇ ଦଣ୍ଡିତ କରିଥିଲା। ଏହି ଯୁବକଙ୍କୁ ଚେତାବନୀ ଦିଆଯାଇଥିଲା ଯେ ଏହିଭଳି ଭୁଲ ଯେମିତି ଆଉ ନ କରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.