୩ ସପ୍ତାହ ମଧ୍ୟରେ କରୋନା ଟୀକା ଉତ୍ପାଦନ ଆରମ୍ଭ, ପରୀକ୍ଷଣର ସଫଳତା ନେଇ ପୁଣେ SII ଆଶାବାଦୀ

Published By : Prameya-News7 Bureau | April 28, 2020 IST

ପୁଣେ ୨୮।୪: ସାରା ବିଶ୍ବରେ ଆତଙ୍କ ଖେଳାଇଛି କରୋନା ଭାଇରସ୍ । ଏହାର ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ବିଭିନ୍ନ ଦେଶ ଏହାର ଟୀକା ତିଆରି କରିବା ପାଇଁ ଲାଗିପଡିଛନ୍ତି । ହେଲେ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ଏହି ସମୟରେ ପୁଣେ ସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ସିଇଓ ଅଦାର ପୁନାୱାଲା ନିଶ୍ଚିତ କରିଛନ୍ତି ଯେ, ପରୀକ୍ଷା ସଫଳ ହେଲେ କୋଭିଡ୍-୧୯ ଟୀକା ତିନି ସପ୍ତାହ ମଧ୍ୟରେ ଉତ୍ପାଦନ ଆରମ୍ଭ କରାଯିବ । ଏହା ପୂର୍ବରୁ SIIର ଏକ ପ୍ରେସ୍ ବିଜ୍ଞପ୍ତିରେ ଆଗାମୀ ରୋଡ୍ ପ୍ଲାନ୍ ସମ୍ବନ୍ଧରେ ସ୍ପଷ୍ଟ କରାଯାଇଥିଲା । SIIର ଟିମ୍ ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟିର ଡକ୍ଟର ହିଲ୍‌ଙ୍କ ସହିତ ମିଶି କାମ କରୁଛନ୍ତି ।

ଅନୁଷ୍ଠାନର ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ଏହି ଟୀକା ବଜାରକୁ ଆସିବ ବୋଲି ଆଶା କରାଯାଉଛି । ଯଦି ପରୀକ୍ଷଣଗୁଡିକ ସମସ୍ତ ଆବଶ୍ୟକୀୟ ସୁରକ୍ଷା ନିୟମ ଏବଂ ପ୍ରଭାବଶାଳୀ ରହିବାର ଗ୍ୟାରେଣ୍ଟି ସହ ସଫଳ ହୁଏ ତେବେ ଏହି ଟୀକା ଉତ୍ପାଦନ କରାଯିବ । ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା SII ତରଫରୁ ଏହି ଟୀକା ବ୍ରିଟେନରେ ଉତ୍ପାଦିତ ହେବ । ଏହାର କ୍ଲିନିକାଲ୍ ପରୀକ୍ଷା ସଫଳ ହେବ ବୋଲି ଆଶା କରାଯାଉଛି । ମେ' ମାସରେ ଭାରତରେ ନିଜର ଟୀକା ପରୀକ୍ଷା ଆରମ୍ଭ କରିବାକୁ SII ଆଶା କରୁଛି । ପରୀକ୍ଷା ସଫଳ ହେଲେ ଏହି ଟୀକା ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ବଜାରକୁ ଆସିବ ବୋଲି ଆଶା କରାଯାଉଛି ।

ପୁଣେରେ SIIର ଉତ୍ପାଦନ ଏବଂ ଉତ୍ପାଦନ ସୁବିଧା କୋଭିଡ୍-୧୯ ଟୀକା ତିଆରି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏହାସହ ଅନୁଷ୍ଠାନ କୋଭିଡ୍-୧୯ ଟୀକା ପାଇଁ ଏକ ନୂତନ ୟୁନିଟ୍ ନିର୍ମାଣ କରୁଛି । ଏହାକୁ ସମ୍ପୂର୍ଣ୍ଣ କରିବାକୁ ପ୍ରାୟ ୨-୩ବର୍ଷ ସମୟ ଲାଗିବ । ଆଗରୁ ଥିବା ୟୁନିଟ୍ ମଧ୍ୟରୁ ଗୋଟିଏରେ ଟୀକା ଉତ୍ପାଦନ ପ୍ରାୟ ୩ ସପ୍ତାହ ମଧ୍ୟରେ ଆରମ୍ଭ ହେବ ।

SIIର ଲକ୍ଷ୍ୟ ହେଉଛି ପ୍ରଥମ ୬ ମାସ ପାଇଁ ମାସକୁ ୪୦ ରୁ ୫୦ଲକ୍ଷ ଡୋଜ୍ ଉତ୍ପାଦନ କରିବା । ଏହାପରେ ଏହାକୁ ପ୍ରତି ମାସରେ ଏକ କୋଟି ଡୋଜ୍‌କୁ ବୃଦ୍ଧି କରାଯିବ । ସେପ୍ଟେମ୍ବର ସୁଦ୍ଧା ୨ ରୁ ୪ କୋଟି ଡୋଜ୍ ପ୍ରସ୍ତୁତ କରିବାକୁ SII ଆଶା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.