ପୁନେ ୦୩/୦୯- କରୋନାରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ବ ରକ୍ଷା କରିବାକୁ କୁହାଯାଉଛି। ଏହାକୁ ନେଇ ଲୋକଙ୍କୁ ବାରମ୍ବାର ସଚେତନ ମଧ୍ୟ କରାଯାଉଛି। କିନ୍ତୁ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ମାସ୍କ ପିନ୍ଧୁ ନାହାନ୍ତି କି କରୋନା ନିୟମ ମଧ୍ୟ ପାଳନ କରୁ ନାହାନ୍ତି। ଏମିତିରେ ଲୋକଙ୍କୁ ମାସ୍କ ପିନ୍ଧିବା ବାର୍ତା ଦେବାକୁ ଯାଇ ପୁନେ ପୋଲିସ୍ ସୋସାଲ ମିଡିଆରେ ଲୋକଙ୍କୁ ନିଆରା ଢ଼ଙ୍ଗରେ ସଚେତନ କରିଛି।
ସୋସାଲ ମିଡିଆରେ ପୁନେ ପୋଲିସ୍ ଡାଏରୀରେ ଏକ ଖାଲି ପୃଷ୍ଠା ସେୟାର୍ କରିଛି। ଏହା ସହ ଲେଖିଛି କେବଳ ମାସ୍କ ହିଁ କରୋନା ଭାଇରସରୁ ଆପଣଙ୍କୁ ଦୂରରେ ରଖିପାରିବ। ସେଥିପାଇଁ ଏମିତି କୌଣସି କାରଣ ନାହିଁ ଯେଉଁଥିପାଇଁ ଆପଣ ଲେଖିପାରିବେ ମାସ୍କ କ’ଣ ପାଇଁ ପିନ୍ଧିବା ନାହିଁ।
ତେବେ ପୋଲିସ୍ ଏହି ବାର୍ତାକୁ ମଜାକ ଭାବେ ନେଇଛନ୍ତି। ଏ ଟ୍ବିଟ୍ ସହିତ ନାଗପୁର ପୋଲିସ୍ ସୋସାଲ ମିଡିଆ ୟୁଜର୍ସ ଫେସ୍ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛି। ଏହା ସହ କହିଛନ୍ତି ମାସ୍କ ନ ପିନ୍ଧିବାର କିଛି କାରଣ ନାହିଁ। ସୋସାଲ ମିଡିଆ ୟୁଜର୍ସ ପୋଲିସ୍ ବିଭାଗର ଏ ସୃଜନଶୀଳତାର ପ୍ରୟାସକୁ ପ୍ରଶଂସା କରିଛନ୍ତି। ଏହି ଟ୍ବିଟକୁ ଶହେରୁ ଅଧିକ ଲୋକ ଲାଇକ ଓ ରିଟ୍ବିଟ୍ କରିଛନ୍ତି।
ତେବେ ଭାରତରେ କରୋନା ଯୋଗୁ ୩୭ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସିଛି। ଏହି ମହାମାରୀ ଯୋଗୁ ଏବେ ସୁଦ୍ଧା ୬୬ ହଜାରରୁ ଅଧିକ ଲୋକଙ୍କ ପ୍ରାଣ ହରାଇଛନ୍ତି।