୨୨୦୦ ପ୍ରକାର ଔଷଧରୁ ୩ଟି କରୋନା ଚିକିତ୍ସାରେ ହେବ ସହାୟକ : ହ୍ୟୁମାନ ଟ୍ରାଏଲ ପାଇଁ DCGIକୁ ଅନୁମତି ମାଗିଲା ପୁଣେର ଫାର୍ମା କମ୍ପାନୀ

Published By : Prameya-News7 Bureau | May 17, 2020 IST

ନୂଆଦିଲ୍ଲୀ ୧୭।୫: କରୋନା ଭାଇରସ୍ ବିରୋଧରେ ସାରା ବିଶ୍ବ ଯୁଦ୍ଧ କରୁଛି । କିନ୍ତୁ ଏପର୍ଯ୍ୟନ୍ତ କୈଣସି ଦେଶ କରୋନାକୁ ହରାଇବାରେ ସଫଳ ହୋଇନାହିଁ । କରୋନା ଭାଇରସ୍ କ୍ରମାଗତ ଭାବରେ ବିସ୍ତାର ହୋଇ ଲୋକଙ୍କ ଜୀବନ ନେଉଛି । ଏଭଳି ପରିସ୍ଥିତିରେ ସମସ୍ତେ ସଞ୍ଜୀବନୀ ଔଷଧ ପାଇବାକୁ ଅପେକ୍ଷା କରିଛନ୍ତି । ଯାହା ଦ୍ବାରା କରୋନା ସଂକ୍ରମଣ ରୋକା ଯାଇପାରିବ।

ବର୍ତ୍ତମାନ କରୋନା ଭାଇରସ୍ ଟୀକା ହେବା ପାଇଁ ସମୟ ଲାଗିବ । କରୋନା ଭାଇରସ୍ ଉପରେ କୌଣସି ଔଷଧର ବିଶେଷ ପ୍ରଭାବ ନାହିଁ | ତେଣୁ ସତର୍କତା ଏବଂ ପ୍ରତିରୋଧକ ଶକ୍ତି ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଉଛି | ଏହି ସମୟରେ ପୁଣେର ଏକ ଫାର୍ମା ରିସର୍ଚ୍ଚ କମ୍ପାନୀ ୨୨୦୦ ପ୍ରକାରର ଔଷଧ ମଧ୍ୟରୁ ୪୨ଟି ଔଷଧ ଖୋଜି ପାଇଛି । ଏହି ୪୨ଟି ଔଷଧ ମଧ୍ୟରୁ ତିନୋଟି ଆବିଷ୍କାର କରିଛି ଯାହା କୋରୋନା ଭାଇରସ୍ ଚିକିତ୍ସାରେ ସହାୟକ ହୋଇପାରିବ । ଏହି ୩ଟି ଔଷଧରେ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ସାମିଲ ନାହିଁ |

ନୋଭଲିଡ୍ ଫାର୍ମା କମ୍ପାନୀ ଦାବି କରିଛି ଯେ, କରୋନାକୁ ଶେଷ କରିବା ଔଷଧ ପୂର୍ବରୁ ରହିଛି । କିନ୍ତୁ ଏହା କେଉଁ ଔଷଧ ତାହା କେହି ଜାଣି ନାହାଁନ୍ତି। ପୁଣେ ଭିତ୍ତିକ ଫାର୍ମା ରିସର୍ଚ୍ଚ କମ୍ପାନୀ ରାମାୟଣରେ ଘଟିଥିବା ଘଟଣାକୁ ମନେ ପକାଉଛି ଯେଉଁଠାରେ ଯୁଦ୍ଧକ୍ଷେତ୍ରରେ ରାବଣଙ୍କ ପୁଅ ମେଘନାଦଙ୍କ ତୀର ଲକ୍ଷ୍ମଣଙ୍କୁ ଚେତାଶୂନ୍ୟ କରିଦେଇଥିଲା ଏବଂ ହନୁମାନଙ୍କୁ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିରେ ଡ୍ରୋଣାଗିରି ପର୍ବତରୁ ସଞ୍ଜୀବନୀ ବୁଟି ଆଣିବାକୁ କୁହାଯାଇଥିଲା ।

ଏହାପରେ ଯେତେବେଳେ ହନୁମାନ ସଞ୍ଜୀବନୀ ବୁଟି ନେବା ପାଇଁ ଦ୍ରୋଣାଗିରି ପର୍ବତରେ ପହଞ୍ଚିଲେ, ସେତେବେଳେ ସେ ସଞ୍ଜୀବନୀ ବୁଟି କେଉଁଟି ବୋଲି ଜାଣିପାରିଲେ ନାହିଁ । ତେଣୁ ସେ ପୁରା ଦ୍ରୋଣାଗିରି ପର୍ବତ ଉଠାଇ ଆଣିଥିଲେ । ଯେଉଁଠାରୁ ବୈଦ୍ୟ ସଞ୍ଜୀବନୀ ବୁଟି ବାହାର କରିଥିଲେ ଏବଂ ଲକ୍ଷ୍ମଣ ତାଙ୍କ ଚେତା ଫେରି ପାଇଥିଲେ। ସେହିଭଳି ଆଜି କରୋନା ଭାଇରସ୍ ଚିକିତ୍ସାରେ ୨୨୦୦ ପ୍ରକାରର ଔଷଧ ବ୍ୟବହାର କରାଯାଇପାରିବ । କିନ୍ତୁ ଏହି ୩ଟି ଔଷଧ ଅଧିକ ପ୍ରଭାବଶାଳୀ ହୋଇପାରେ |

ବର୍ତ୍ତମାନ ଏହି ୩ଟି ଔଷଧ ଖୋଜିବା କାମ ନୋଭଲିଡ୍ ଫାର୍ମର ବୈଜ୍ଞାନିକମାନେ କରିଛନ୍ତି । ନୋଭଲିଡ୍ ଫାର୍ମାର ମୁଖ୍ୟ ବୈଜ୍ଞାନିକ ସୁପ୍ରୀତ ଦେଶପାଣ୍ଡେ ଏର ଗଣମାଧ୍ୟମକୁ କହିଛନ୍ତି ଯେ, ୨୦୦୮ ମସିହାରୁ ତାଙ୍କ କମ୍ପାନୀ ଗମ୍ଭୀର ରୋଗ ବିରୋଧରେ ଔଷଧ ଖୋଜିବା ପାଇଁ କାର୍ଯ୍ୟ କରୁଛି।

ବୈଜ୍ଞାନିକ ସୁପ୍ରୀତ ଦେଶପାଣ୍ଡେଙ୍କ ଅନୁଯାୟୀ, ତାଙ୍କ କାମ ଏହା ଅନୁସନ୍ଧାନ କରିବା ଯେ ପୂର୍ବରୁ ମାନ୍ୟତାପ୍ରାପ୍ତ କେଉଁ ଔଷଧ କେଉଁ ରୋଗ ପାଇଁ ସହାୟକ । ତାଙ୍କ କମ୍ପାନୀ ୨୫ ମାର୍ଚ୍ଚରୁ କରୋନା ଭାଇରସ୍ ଚିକିତ୍ସା ପାଇଁ ପ୍ରଭାବଶାଳୀ ଔଷଧ ଖୋଜିବାରେ ନିୟୋଜିତ ଅଛି | ଏହି ସମୟ ମଧ୍ୟରେ ଏହା ଜଣାପଡିଛି ଯେ ୨୨୦୦ ଔଷଧ ଅଛି, ଯାହା କରୋନା ପରି ଭାଇରସକୁ କୌଣସି ପ୍ରକାରେ ବିଲୋପ କରିବାରେ ବ୍ୟବହୃତ ହୋଇପାରିବ । କିନ୍ତୁ ଏହି ୨୨୦୦ ଔଷଧ ମଧ୍ୟରୁ କେଉଁଟି ସବୁଠାରୁ ପ୍ରଭାବଶାଳୀ ଏବଂ ସଠିକ୍ ଔଷଧ, ତାହା ଖୋଜିବା କଠିନ ପରିଶ୍ରମ ଥିଲା |

ଏଥିପାଇଁ ନୋଭଲିଡ୍ ଫାର୍ମା କମ୍ପାନୀର ୨୦ଜଣ ବୈଜ୍ଞାନିକ ଦିନରାତି କାମ କରିଥିଲେ। ଏହାପରେ ୩ଟି ଔଷଧ ମିଳିଥିଲା ଯାହା କରୋନା ଚିକିତ୍ସାରେ ଅଧିକ ପ୍ରଭାବଶାଳୀ । ବର୍ତ୍ତମାନ ସେଗୁଡିକର ହ୍ୟୁମାନ ଟ୍ରାଏଲ କରାଯିବ । ଏଥିପାଇଁ କମ୍ପାନୀ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜି) ରୁ ଅନୁମତି ମାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.