ଥାନାରେ ଏକ କାର୍ଟୁନରେ ୧୭ ବର୍ଷ ହେଲା ବନ୍ଦ ହୋଇ ରହିଥିଲା କିଶୋରଙ୍କ କଙ୍କାଳ : ଅନ୍ତିମ ସଂସ୍କାର କରିବା ପାଇଁ ଭୁଲି ଯାଇଥିଲେ ଥାନାକର୍ମୀ

Published By : Prameya-News7 Bureau | June 06, 2019 IST

ପୁନେ ୬/୬ : କୋଥରୁଡ ଥାନାରେ ୧୭ ବର୍ଷ ହେଲା ଏକ କାର୍ଟୁନରେ ବନ୍ଦ ହୋଇରହିଥିବା ଏକ ମାନବ କଙ୍କାଳକୁ ମଙ୍ଗଳବାର ଦିନ ଅନ୍ତିମ ସଂସ୍କାର କରାଯାଇଛି । ଥାନାର ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ ଏକ ଶବ ଷ୍ଟୋର ରୁମରେ ବନ୍ଦ ଥିବା ଅବସ୍ଥାରେ ମିଳିଥିଲା । ଶବ ଚିହ୍ନଟ ପରେ ପରିବାରଲୋକଙ୍କୁ ମଧ୍ୟ ଖବର ଦିଆଯାଇଥିଲା ।

ପୋଲିସ ସୂଚନା ଅନୁଯାୟୀ, ପୁନେରେ ରହୁଥିବା ୧୬ ବର୍ଷ ବୟସ୍କ ନିଖିଳ ରଣପିସେଙ୍କୁ ୨୦୦୨ ମସିହାରେ ହତ୍ୟା କରାଯାଇଥିଲା । ତାଙ୍କ ଶବ ଏମଆଇଟି କଲେଜ ପଛପଟ ପାହାଡରେ କ୍ଷତବିକ୍ଷତ ଅବସ୍ଥାରେ ଉଦ୍ଧାର ହୋଇଥିଲା । ହତ୍ୟା ମାମଲାର ତଦନ୍ତ ୨ ବର୍ଷ ପର୍ଯ୍ୟନ୍ତ ଚାଲିଲା । ୨୦୦୪ ମସିହାରେ ହତ୍ୟା ଘଟଣାର ରହସ୍ୟ ଖୋଲିଥିଲା ।

ପୋଲିସ ସୂଚନା ଅନୁଯାୟୀ, ନିଖିଲଙ୍କ ହତ୍ୟା ତାଙ୍କର ଦୁଇଜଣ ବନ୍ଧୁ କରିଥିବା ଅଭିଯୋଗ ହୋଇଥିଲା । ଚୋରି ଟଙ୍କା ବାଣ୍ଟିବା ବିବାଦକୁ ନେଇ ହତ୍ୟା ହୋଇଥିଲା । ଚୋରି ନିଖିଲଙ୍କ ଜଣେ ସମ୍ପର୍କୀୟଙ୍କ ଘରେ ହୋଇଥିଲା । କିନ୍ତୁ ପ୍ରମାଣ ଅଭାବରୁ ୨ ଅଭିଯୁକ୍ତ ନିର୍ଦୋଷ ପ୍ରମାଣିତ ହୋଇଥିଲେ । ଏହାପରେ ନିଖିଲଙ୍କ ମୃତଦେହ ଥାନାରେ ଏକ କାର୍ଟୁନରେ ବନ୍ଦ କରି ରଖାଯାଇଥିଲା । ପୋଲିସ ନିଖିଲଙ୍କ ପରିବାରକୁ ତାଙ୍କ ଶବ ନେଇଯିବା ପାଇଁ କହିଥିଲା କିନ୍ତୁ ଶବ ନେବା ପାଇଁ କେହି ଆସିନଥିଲେ । କିଛି ଦିନ ପରେ ନିଖିଳଙ୍କ ପରିବାର ପୁନେ ଛାଡି ପଳାଇଥିଲେ ।

{"id":120218}

କିଛି ଦିନ ପୂର୍ବରୁ ପୋଲିସ ଆୟୁକ୍ତ ଥାନାର ନବନୀକରଣ କାମ ଆରମ୍ଭ କରିଥିଲେ । ଷ୍ଟୋର ସଫା କଲାବେଳେ ନିଖିଲଙ୍କ କଙ୍କାଳ ମିଳିଥିଲା । ପୋଲିସ ଥାନାର ସମସ୍ତ ରେକର୍ଡ ଚେକ୍ କରିବା ପରେ ଜାଣିବାକୁ ପାଇଥିଲେ ଯେ, କଙ୍କାଳ ନିଖିଲଙ୍କର ଏବଂ ଏହା ୧୭ ବର୍ଷ ହେଲା କାର୍ଟୁନରେ ବନ୍ଦ ହୋଇ ରହିଛି । ପୁଣିଥରେ ନିଖିଲଙ୍କ ପରିବାର ସମ୍ପର୍କରେ ଖୋଳତାଡ଼ କରି ତାଙ୍କୁ ସମ୍ପର୍କ କରି କଙ୍କାଳ ନେଇଯିବା ପାଇଁ କୁହାଯାଇଥିଲା । କିନ୍ତୁ ନିଖିଲଙ୍କ ବାପା ସ୍ୱାସ୍ଥ୍ୟ ସମସ୍ୟା ଥିବା କହି ମନା କରିଦେଇଥିଲେ ।

କିନ୍ତୁ ପୋଲିସ ନିଜେ ଅନ୍ତିମ ସଂସ୍କାର କରିପାରିବ ବୋଲି ନିଖିଲଙ୍କ ବାପା ପୋଲିସକୁ କହିଥିଲେ । ପରିବାରର ଅନୁମତି ସହ ୧୭ ବର୍ଷ ପୁରୁଣା କଙ୍କାଳ ଅନ୍ତିମ ସଂସ୍କାର କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.