ବପ୍ପାଙ୍କ ସ୍ୱାଗତ ପାଇଁ ଏରୱାଡା ଜେଲରେ କୈଦୀ କରୁଛନ୍ତି ଢୋଲ ପଥକ, ପ୍ରଶିକ୍ଷଣ ନେଉଛନ୍ତି ୪୦ କୈଦୀ

Published By : Prameya-News7 Bureau | September 01, 2019 IST

ପୁଣେ:  ରାତି ପାହିଲେ ଗଣେଶପୂଜା ବପ୍ପାଙ୍କ ସ୍ୱାଗତ ଲାଗି ସାରା ଦେଶ ପ୍ରସ୍ତୁତ। ଏଥିରୁ ବାଦ ପଡିନି ପୁଣେର କୁଖ୍ୟାତ ଏରୱାଡା ଜେଲ। ଚଳିତବର୍ଷ ଗଣପତିଙ୍କ ଆବାହନରେ ସାମିଲ ହେବେ ଜେଲର କୈଦୀମାନେ। ହୁଏତ ସମୟ ଚକ୍ରରେ ପଡି ସେମାନେ ଅପରାଧ କରି ଜେଲରେ ବନ୍ଦୀ ଜୀବନଯାପନ କରୁଛନ୍ତି। ହେଲେ ସେମାନଙ୍କ ଠାରେ ଥିବା ଜନ୍ମଜାତ କଳାକାର ଦେହରେ ଲାଗିନି ଦାଗ।  ସହରରେ ବପ୍ପାଙ୍କ ସ୍ୱାଗତ ପାଇଁ ସେମାନେ କଳାପ୍ରଦର୍ଶନ କରିବେ। ଏଥିଲାଗି ଗତ ପ୍ରାୟ ୧୫ ଦିନ ହେଲା ଜେଲରେ ସେମାନେ ଢୋଲ ପଥକ ଶିଖୁଛନ୍ତି।

{"id":151969,"width":580,"height":325}

ବାଦ୍ୟର ତାଳ, ଲୟ ଓ ଛନ୍ଦ ସହ ପରିଚିତ ୪୦ କୈଦୀ ଏକାଠୀ ହୋଇଛନ୍ତି ଗଣପତିଙ୍କ ଢୋଲ ପଥକ ଲାଗି। ଏଥିପାଇଁ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଉତ୍ତମ ଗୁରୁ ମଧ୍ୟ ଯୋଗାଇଦେଇଛନ୍ତି।  ଯେଉଁ କୈଦୀ ଯେଉଁ ବାଦ୍ୟ ଯନ୍ତ୍ରରେ ପ୍ରବୀଣ ତାଙ୍କୁ ଗୁରୁ ସେହି ବାଦ୍ୟ ଯନ୍ତ୍ରରେ କିପରି ବପ୍ପାଙ୍କ ଢୋଲପଥ କରିବେ ତାହା ପ୍ରଶିକ୍ଷଣ ଦେଉଛନ୍ତି। ସେମାନେ ସାମୂହିକ ଭାବେ ଗଣପତିଙ୍କ ସ୍ୱାଗତରେ ଢୋଲପଥକ କରିବେ। ଏଥିପାଇଁ କୈଦୀମାନେ ଆବଶ୍ୟକ କରୁଥିବା ଢୋଲ, ତାସ, ନିଶାଣ ଆଦି ଯୋଗାଇ ଦିଆଯାଇଥିବା ବେଳେ ପୁଣେର ପ୍ରସିଦ୍ଧ ନାଦବ୍ରହ୍ମ ଢୋଲ ଓ ତାସା ପଥକ ସେମାନଙ୍କୁ ଜେଲ ପରିସରରେ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି।

{"id":151971}

ଯେଉଁ କୈଦୀଙ୍କ ଆଚରଣରେ ସୁଧାର ଆସିଛି କେବଳ ସେହି କୈଦୀମାନଙ୍କୁ କର୍ତ୍ତୃପକ୍ଷ ଏଥିରେ ସାମିଲ କରିଛନ୍ତି। କାରା ସୁଧାର କାର୍ଯ୍ୟକ୍ରମର ଅଂଶ ସ୍ୱରୂପ କୈଦୀମାନଙ୍କୁ ଏଥିଲାଗି ଉତ୍ସାହିତ କରାଯାଇଛି। ଗଣେଶୋତ୍ସବ ଅବସରରେ କୈଦୀଙ୍କୁ ବିଭିନ୍ନ ପୂଜା ପେଣ୍ଡାଲରେ ଢୋଲ ପଥକ କରୁଥିବାର ଲୋକେ ଦେଖିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.