ତିନି ଦୁର୍ବୃର୍ତ୍ତ ବାରମ୍ବାର କରୁଥିଲେ ଅଶାଳୀନ ଇଙ୍ଗିତ: ଛାତ୍ରୀଜଣକ ହାରିଦେଲେ ଜୀବନ, ସୁଇସାଇଡ୍ ନୋଟରେ ଲେଖିଲେ…

Published By : Prameya-News7 Bureau | December 14, 2020 IST

ପୁଣେ ୧୪/୧୨ : ଭାରତୀୟ ସେନାରେ ଯୋଗଦେବାକୁ ଚାହୁଁଥିବା ଜଣେ ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ସେ ତାଙ୍କ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ଛାତ୍ରୀଙ୍କ ଘର ମହାରାଷ୍ଟ୍ରର ପାନ୍ଧରପୁର ଅଞ୍ଚଳରେ । ଛାତ୍ରୀଙ୍କୁ ୩ ଜଣ ଦୁର୍ବୃର୍ତ୍ତ ବାରମ୍ବାର ଅଶାଳୀନ ଇଙ୍ଗିତ କରିଥିଲେ । ତେବେ ଏଥିରେ ଅତିଷ୍ଠ ହୋଇ ସେ ଏପରି ଚରମ ପଦକ୍ଷେପ ନେଇଥିବା ସୂଚନା ମିଳିଛି ।

ଆତ୍ମହତ୍ୟା କରିବା ପୂର୍ବରୁ ଛାତ୍ରୀଜଣକ ଏକ ସୁଇସାଇଡ୍ ନୋଟ ଛାଡିଯାଇଛନ୍ତି । ତେବେ ଏହି ସୁଇସାଇଡ ନୋଟ ଆଧାରରେ ସପୃକ୍ତ ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଆଇପିସିର ଧାରା ଅନୂଯାୟୀ ତିନି ଜଣଙ୍କୁ ଗିରଫ କରିଯାଇଛି ବୋଲି ପନ୍ଦରପୁର ରୁରାଲ୍ ପୋଲିସ ଷ୍ଟେସନର ଥାନାଧିକାରୀ ପ୍ରଶାନ୍ତ ଭାସମେ କହିଛନ୍ତି ।

ସୁଇସାଇଡ୍ ନୋଟରେ ଛାତ୍ରୀ ଲେଖିଛନ୍ତି, ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ତାଙ୍କ ହାତକୁ ଜବରଦସ୍ତ ଧରି ଏ ବିଷୟରେ କାହାକୁ କିଛି ନକହିବା ପାଇଁ ଧମକ ଦେଇଥିଲା । ତେବେ ଯୁବତୀଙ୍କ ମୃତ୍ୟୁର ୩ ଦିନ ପରେ ପରିବାର ଲୋକ ଗୋଟିଏ ଖାତା ଭିତରୁ ସୁଇସାଇଡ୍ ନୋଟଟିକୁ ପାଇଥିଲେ ।

ଚିଠିରେ ସେ ଲେଖିଛନ୍ତି ଯେ, ‘ଭାରତୀୟ ସେନାରେ ଯିବା ଓ ସେନା ପୋଷାକ ପିନ୍ଧିବା ସ୍ବପ୍ନ ଅଧୁରା ରହିଗଲା । ବାରମ୍ବାର ୩ ଜଣଙ୍କ ଦ୍ବାରା ଅଶାଳୀନ ଇଙ୍ଗିତ ହେବା ପରେ ମୁଁ ଆତ୍ବହତ୍ୟା କରିବାକୁ ଯାଉଛି । ’

ଭାରତୀୟ ସେନାରେ ଯୋଗଦେବାର ସ୍ୱପ୍ନକୁ ନଷ୍ଟ କରିଥିବା କହିବା ସହିତ ସେ ଏହି ତିନି ଜଣଙ୍କୁ ଦୋଷୀ ବୋଲି କରିଛନ୍ତି ଏବଂ ତାଙ୍କ ଜୀବନ ଶେଷ କରିବା ପୂର୍ବରୁ ସେ  ସୁଇସାଇଡ୍ ନୋଟରେ ଲେଖିଛନ୍ତି 'ଭାରତ ମାତା ମୁଁ ଦୁଃଖିତ…' । ଏହା ସହିତ ସୁଇସାଇଡ୍ ନୋଟରେ ସେ ତାଙ୍କ ପିତାମାତା  ତାଙ୍କୁ କ୍ଷମା କରିଦେବା ପାଇଁ ମଧ୍ୟ ଲେଖିଛନ୍ତି । ତେବେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଘଟଣାର ଅଧିକ ତଦନ୍ତ ଚଳାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.