ପୁଲୱାମା ଆକ୍ରମଣକୁ ପୁରିଲା ବର୍ଷେ : ଦେଶ ପାଇଁ ଜୀବନ ଦେଇଥିବା ସହିଦ ଯବାନଙ୍କୁ ମନେ ପକାଉଛନ୍ତି ଦେଶବାସୀ

Published By : Prameya-News7 Bureau | February 14, 2020 IST

ଶ୍ରୀନଗର ୧୪।୨: ପୁଲୱାମା ଆକ୍ରମଣକୁ ପୁରିଛି ବର୍ଷେ । ଆଜିର ଦିନରେ ଜାମ୍ମୁ କାଶ୍ମୀର ପୁଲୱାମରେ ହୋଇଥିଲା ଭୟଙ୍କର ଆତଙ୍କବାଦୀ ହମଲା । ଏଥିରେ ୪୦ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ । ତେବେ ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ମନେ ପକାଉଛନ୍ତି ଦେଶବାସୀ । ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଛି।

୨୦୧୯ ଫେବ୍ରୁଆରୀ ୧୪ ରେ ପୁଲୱାମା ରାଜପଥରେ ଲମ୍ବା ଲାଇନ୍ ହୋଇ ସିଆରପିଏଫ୍ ଯବାନଙ୍କ କାଫିଲା ଚାଲିଥିଲା । ୭୮ଟି ବସରେ ଟ୍ରାଂଜିଟ୍ କ୍ୟାମ୍ପରୁ ଫେରୁଥିଲେ ପ୍ରାୟ ଅଢ଼େଇ ହଜାର ଯବାନ । ହଠାତ୍ ଯବାନଙ୍କ ବସ୍ କୁ ଧକ୍କା ଦେଇଥିଲା ଆରଡିଏକ୍ସ ବୋଝେଇ କାର୍ । ଆଉ ପିଛୁଳାରେ ସବୁ ଖିନଭିନ୍ ହୋଇଯାଇଥିଲା ।

ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ଘଟଣାସ୍ଥଳରେ ହିଁ ଟଳିପଡିଲେ ସିଆରପିଏଫର ୪୦ ଯବାନ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଖଣ୍ଡ ଖଣ୍ଡ ହୋଇ ଯାଇଥିଲା ଯବାନଙ୍କ ଶରୀର । ରକ୍ତରେ ଭିଜିଯାଇଥିଲା ରାଜରାସ୍ତା । ଏହି ଘଟଣା ପରେ ଶୋକରେ ବୁଡ଼ିଯାଇଥିଲା ପୂରା ଦେଶ ।

ଏହି ଘଟଣା ଭିଆଇଥିବା ଆତଙ୍କବାଦୀ ସଂଗଠନ ଜୈସ୍-ଇ-ମହମ୍ମଦ ଉପରେ ଆକ୍ରମଣ ପାଇଁ ଆରମ୍ଭ ହୋଇଥିଲା ଅପରେସନ । ଭାରତୀୟ ବାୟୁସେନା ପାକ୍ ଅଧିକୃତ କାଶ୍ମୀରର ବାଲାକୋଟ୍ ରେ ଥିବା ଜୈସ୍-ଇ-ମହମ୍ମଦର ବିଭିନ୍ନ ଆଡ୍ଡା ଉପରେ ଆକ୍ରମଣ କରିଥିଲା । ଯେଉଁଥିରେ ପାଖାପାଖି ୩୦୦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.