କଟକ ସହରରେ ପୂଜା ମାହୋଲ ସରଗରମ : ହରିପୁର-ଦୋଳମୁଣ୍ଡାଇ ଓ ଖାନନଗର ପୂଜା ମଣ୍ଡପରେ କିଭଳି ଚାଲିଛି ପ୍ରସ୍ତୁତି ଜାଣନ୍ତୁ…

Published By : Prameya-News7 Bureau | September 28, 2019 IST

କଟକ ୨୮।୯: କଟକ ସହରରେ ଏବେ ସରଗରମ ପୂଜା ମାହୋଲ । ଲୋକମାନଙ୍କୁ ଆକର୍ଷିତ କରିବା ପାଇଁ ପୂଜା ମଣ୍ଡପରେ ଜୋର ଧରିଲାଣି ପ୍ରସ୍ତୁତି । ଦଶହରା ପୂଜାର ପାରମ୍ପରିକତା ଓ ତାରକସୀ କାମର ନିଖୁଣତା କିଭଳି ଦଶହରାରେ ପ୍ରତିଫଳିତ ହୁଏ ତାହା ଦେଖିବାକୁ ଇଛା ରଖୁଥିବା ଲୋକେ ନିଶ୍ଚିତ କଟକ ଦଶହରା ଦେଖିବାକୁ ଆସିବେ ବୋଲି ଆଶା ରଖିଛନ୍ତି ପୂଜା କମିଟି କର୍ମକର୍ତ୍ତା । ତେବେ ଆସନ୍ତୁ ଜାଣିବା ହରିପୁର-ଦୋଳମୁଣ୍ଡାଇ ଓ ଖାନନଗର ପୂଜା ମଣ୍ଡପରେ କିଭଳି ଚାଲିଛି ପ୍ରସ୍ତୁତି ।

{"id":163786}

କଟକ ସହରର ପୂଜା ମଣ୍ଡପ ଗୁଡିକରେ ପ୍ରସ୍ତୁତିକୁ ଦେଖିଲେ ବେଶ୍ ଅନୁଭବ କରିହେଉଛି ଦଶହରାର ମାହୋଲକୁ । ପୂଜା କମିଟିର ସଦସ୍ୟ ମାନେ ମଣ୍ଡପ ସଜାଡିବାରେ ରାତି ଦିନ ଲଗାଇ ଦେଲେଣି । ହରିପୁର-ଦୋଳମୁଣ୍ଡାଇ ପୂଜା ମଣ୍ଡପରେ ମା’ଙ୍କ ମୂର୍ତ୍ତି ତିଆରି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ପୂଜା କମିଟି ସଦସ୍ୟମାନଙ୍କ କହିବା ଅନୁସାରେ ଏହି ମଣ୍ଡପରେ ପ୍ରାୟ ୨୫ ବର୍ଷ ଧରି ହର ପାର୍ବତୀ ପୂଜା ପାଉଥିଲେ । ୧୯୯୫ ମସିହାରୁ ଏଠାରେ ବଙ୍ଗୀୟ ରିତିନୀତିରେ ଦୁର୍ଗା ପୂଜା ହେଉଛି । ଏହି ମଣ୍ଡପକୁ ଆସୁଥିବା ଶ୍ରଦ୍ଧାଳୁ କଟକ ତାରକସୀ କାମର ନିଖୁଣ କାମ ଏହାର ମେଢରେ ଦେଖିବାକୁ ପାଇବେ । ଏହାସହ ନିଖୁଣ ସୁନା କାମ ମଧ୍ୟ ହରିପୁର ଦୋଳମୁଣ୍ଡାଇ ପୂଜା ମଣ୍ଡପରେ ଦେଖିବାକୁ ପାଇବେ ଦର୍ଶକ । ଏହା ବ୍ୟତୀତ ହରିପୁର ଦୋଳମୁଣ୍ଡାଇ ପୂଜା କମିଟିର କୁମାରୀ ପୂଜା ମଧ୍ୟ ଦେଖିବାକୁ ଲୋକଙ୍କ ଭିତରେ ବିଶେଷ ଆଗ୍ରହ ଥାଏ ।

{"id":163787}

ସେହିପରି ଖାନନଗର ପୂଜା ମଣ୍ଡପରେ ମା’ଙ୍କ ପୂଜା ପାଇଁ ପ୍ରସ୍ତୁତି ଜୋର୍ ଧରିଲାଣି । ମା’ଙ୍କ ମୂର୍ତ୍ତିରେ ଖଡି ଚଢା ସରିଲାଣି । ପୂଜା କମିଟି ସଦସ୍ୟ ଓ କାରିଗରମାନେ ମେଢ ସଜାଡିବା କାମ ଆରମ୍ଭ କରିଦେଲେଣି । ଏହି ମଣ୍ଡପରେ ମା’ଙ୍କର ସ୍ଥାୟୀ ମୂର୍ତ୍ତି ଷୋଡଶ ଉପଚାର ବିଧିରେ ପୂଜା ପାଉଛନ୍ତି । ଏହାସହ ମୃଣ୍ମୟୀ ମୂର୍ତ୍ତି ମଧ୍ୟ ନବରାତ୍ର ପୂଜା ବିଧି ଅନୁସାରେ ପୂଜା ପାଆନ୍ତି । ପ୍ରତି ବର୍ଷ ଏହି ମଣ୍ଡପରେ ଚଳିତ ବର୍ଷ ତୋରଣ ଓ ୧୦ଟି ଲାଇଟ୍ ଗେଟ୍ ଆକର୍ଷଣର କେନ୍ଦ୍ର ବିନ୍ଦୁ ରହିବ । କିନ୍ତୁ ଏହା ବ୍ୟତୀତ ମା’ଙ୍କର ଚାନ୍ଦି ମେଢ ଓ ସୁନା ମୁକୁଟ ସହ ପାରମ୍ପରିକ ବଙ୍ଗୀୟ ପୂଜା ଦେଖିବାକୁ ଶ୍ରଦ୍ଧାଳୁ ମାନେ ଆସିଥାଆନ୍ତି ।

{"id":163789}

ଉଭୟ ହରିପୁର-ଦୋଳମୁଣ୍ଡାଇ ଓ ଖାନନଗର ପୂଜା ମଣ୍ଡପରେ କଟକର କାରିଗରମାନେ ମୂର୍ତ୍ତି ତିଆରି କରିଥାଆନ୍ତି । ଏହାସହ ମେଢର ଚାନ୍ଦି କାମ ମଧ୍ୟ କଟକର କାରିଗରମାନେ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.