ଇଏ କିଭଳି ଅନଲକ ୧.୦ ! ପନିପରିବା ଦୋକାନ ୨ଟାରେ, କ୍ଷୀର ଦୋକାନ ୪ଟା ରେ ବନ୍ଦ : କିନ୍ତୁ ମଦ ଦୋକାନ ରାତି ୯ଟା ଯାଏଁ ଖୋଲା
6/06/2020 at 12:45 PM

ଗାଜିଆବାଦ ୦୬/୦୬ : କରୋନା ମହାମାରୀ ଯୋଗୁଁ ବର୍ତ୍ତମାନ ଦେଶରେ ପଞ୍ଚମ ପର୍ଯ୍ୟାୟ ଲକ ଡାଉନ ଜାରି ରହିଛି | କିନ୍ତୁ ପଞ୍ଚମ ପର୍ଯ୍ୟାୟ ଲକ ଡାଉନରେ ଅନେକ ନିୟମ କୋହଳ କରାଯାଇଛି | କେନ୍ଦ୍ର ସରକାର ଏହାକୁ ଅନଲକ ୧.୦ ନାଁ ଦେଇଛନ୍ତି | ଅନଲକ ୧.୦ ପାଇଁ ଗାଜିଆବାଦରେ ଗାଇଡଲାଇନ ଅନୁଯାୟୀ ଅଲଗା ଅଲଗା ସମୟ ସୀମା ନିର୍ଣ୍ଣୟ ହୋଇଛି | ଏଠାରେ ଫଳ, ପନିପରିବା, କ୍ଷୀର ଦୋକାନ ଆଦି ସକାଳ ୬ଟା ରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହୁଛି | ଗ୍ରସରୀ ଦୋକାନ ସକାଳ ୬ଟା ରୁ ସନ୍ଧ୍ୟା ୪ଟା ଯାଏଁ ଖୋଲା ରଖିବା ପାଇଁ ଆଦେଶ ଜାରି କରାଯାଇଛି | ଏନେଇ ଜିଲ୍ଲା ଅଧିକାରୀ ଅଜୟ ଶଙ୍କର ପାଣ୍ଡେସ ନିର୍ଦେଶ ଜାରି କରିଛନ୍ତି | ରାତି ୯ଟା ରୁ ସକାଳ ୫ଟା ଯାଏଁ ଏଠାରେ କର୍ଫ୍ୟୁ ଲାଗୁ କରାଯାଇଛି | ଏହି ସମୟରେ କାହାକୁ ମଧ୍ୟ ବାହାରକୁ ନ ବାହାରିବା ପାଇଁ ଆଦେଶ ଦିଆଯାଇଛି |

ଜିଲ୍ଲା ଅଧିକାରୀଙ୍କ ଆଦେଶ ଅନୁଯାୟୀ, ଜରୁରୀ ସେବାରେ ନିୟୋଜିତ ଗାଡିକୁ ଯିବା ଆସିବାକୁ ଅନୁମତି ଦିଆଯାଇଛି | ଏପଟେ ବିଡି ସିଗାରେଟ ଦୋକାନ ସନ୍ଧ୍ୟା ୪ଟା ଯାଏଁ ଖୋଲା ରଖିବାକୁ ଅନୁମତି ମିଳିଛି | ସେପଟେ କିନ୍ତୁ ମଦ ଦୋକାନ ସକାଳ ୧୦ଟା ରୁ ରାତି ୯ଟା ଯାଏଁ ଖୋଲିବାକୁ ଅନୁମତି ମିଳିଛି | ସହରୀ ଅଂଚଳରେ ଅନ୍ୟ ଦୋକାନମାନଙ୍କୁ ଦିନ ହିସାବରେ ଲେଫ୍ଟ ଓ ରାଇଟ ସିଫ୍ଟ ହିସାବରେ ଖୋଲିବାକୁ ଅନୁମତି ମିଳିଛି | ଗ୍ରାମୀଣ ଅଞ୍ଚଳରେ ସପ୍ତାହକୁ ୬ଦିନ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି |

କିନ୍ତୁ ଜିଲ୍ଲା ଅଧିକାରୀଙ୍କ ଆଦେଶକୁ ନେଇ ସାଧାରଣ ଜନତାଙ୍କ ସହ ଦୋକାନୀ ମଧ୍ୟ ଅସନ୍ତୋଷ ଜାହିର କରିଛନ୍ତି | କାରଣ ଅତି ଆବଶ୍ୟକ ଜିନିଷ, ଫଳ, ପନିପରିବା, ଗ୍ରସରୀ ଆଦି ପାଇଁ ଯେଉଁ ସମୟସୀମା ରହିଛି ତାହା ଉଭୟ ଜନତା ଓ ଦୋକାନୀଙ୍କ ପାଇଁ ଅସାମାନ୍ୟ ସମୟ | ଏହି ସମୟ ଉଭୟ ସାଧାରଣ ଜନତା ଓ ଦୋକାନୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି | ତେଣୁ ଅନଲକ ୧.୦ ରେ ଯେଉଁ ସମୟସୀମା ରଖାଯାଇଛି ତାକୁ ନେଇ ସାଧାରଣ ଜନତା ଅସନ୍ତୋଷ ପ୍ରକାଶ କରିଛନ୍ତି | ଲୋକଙ୍କ ସମସ୍ୟା ବୁଝି ଜିଲ୍ଲା ଅଧିକାରୀ ନିଜ ଆଦେଶରେ କିଛି ସଂଶୋଧନ କରିବା ଉଚିତ ବୋଲି ଲୋକେ କହିଛନ୍ତି |