Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‌ଦେଶରେ ଶୀଘ୍ର ଆରମ୍ଭ ହେବ ସାର୍ବଜନୀନ ପରିବହନ ସେବା, ତିଆରି କରୁଛୁ ଗାଇଡ୍‌ ଲାଇନ୍: ଗଡକରୀ

6/05/2020 at 7:16 PM

ନୂଆଦିଲ୍ଲୀ ୦୬।୦୫: ସମଗ୍ର ଦେଶରେ ଜୋନ୍ ଆଧାରରେ କିଛିଟା କୋହଳ ଦିଆଯିବା ପରେ ଦେଶରେ ଖୁବ୍ ଶୀଘ୍ର ସାର୍ବଜନୀନ ପରିବହନ ସେବା ଆରମ୍ଭ ହୋଇପାରେ। କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ବୁଧବାର ସୂଚନା ଦେଇଛନ୍ତି ଯେ, ଦେଶରେ ଶୀଘ୍ର ସାର୍ବଜନୀନ ପରିବହନ ସେବା ପୁଣି ଥରେ ଆରମ୍ଭ କରାଯିବ। ସରକାର ଏଥିପାଇଁ ଗାଇଡ୍‌ ଲାଇନ୍‌ ପ୍ରସ୍ତୁତ କରୁଛନ୍ତି। ଏଥିରେ ସାମାଜିକ ଦୂରତା ପରି ନିୟମ ମଧ୍ୟ ଲାଗୁ  ହେବ। ବସ୍ ଓ କାର ସଞ୍ଚାଳକ ସଂଘକୁ ସମ୍ବୋଧିତ କରି ଏହା କହିଛନ୍ତି।

କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ବୁଧବାର ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ବୈଠକରେ କହିଛନ୍ତି ପରିବହନ ସେବା ଆରମ୍ଭ କରିବା ଏବଂ ରାଜମାର୍ଗ ଖୋଲିବା ଜନତାଙ୍କ ବିଶ୍ଵାସ ଜିଣିବାର ପ୍ରଭାବୀ ପଦକ୍ଷେପ ହୋଇପାରେ। ବସ୍ ଓ କାର ସଞ୍ଚାଳନ ଆରମ୍ଭ ହେଲେ ସାମାଜିକ ଦୂରତ୍ଵ ଓ ସଫା ସୁତୁରାର ସମସ୍ତ ନିୟମ ପାଳନ ବାଧ୍ୟତାମୂଳକ କରାଯିବ। ଏନେଇ ଗାଇଡ୍‌ ଲାଇନ୍‌ ପ୍ରସ୍ତୁତ ଚାଲିଛି ଏବଂ ଦେଶରେ ଶୀଘ୍ର ପରିବହନ ସେବା ଆରମ୍ଭ  ହେବ ବୋଲି ଗଡକରୀ କହିଛନ୍ତି।

ଯାତ୍ରୀ ପରିବହନ ଶୀଳ୍ପର ବିଭିନ୍ନ ଦାବି ଉପରେ ନୀତିନ ଗଡକରୀ କହିଛନ୍ତି, ସରକାର ସେମାନଙ୍କୁ ଯଥା ସମ୍ଭବ ସହାୟତା ଯୋଗାଇ ଦେବେ। ଗଡକରୀଙ୍କ ଅନୁସାରେ ସେ କ୍ରମାଗତ ପ୍ରଧାନମନ୍ତ୍ରୀ ମୋଦୀ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଯୋଗାଯୋଗରେ ଅଛନ୍ତି। ଭାରତୀୟ ଅର୍ଥବ୍ୟବସ୍ଥାକୁ ପୁଣି ଥରେ ଗତିଶୀଳ କରାଇବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି।

ନୀତିନ ଗଡକରୀ ନିବେଶକ ଏବଂ ଶିଳ୍ପଙ୍କୁ କୋଭିଡ୍ ୧୯ ସଙ୍କଟର ଏହି ସମୟ ଲାଭ ବିଶ୍ଵ ବଜାରରେ ନିଜର ପ୍ରାଧ୍ୟାନ୍ୟ ବଢାଇବାକୁ ପ୍ରସ୍ତାବ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, କରୋନା ଭାଇରସ୍‌ ମହାମାରୀ କାରଣରୁ ଅର୍ଥବ୍ୟବସ୍ଥା ଭୁଶୁଡି ପଡିଛି। ଏବେ କେହି ମଧ୍ୟ ଚୀନ ସହିତ କାରବାର କରିବାକୁ ଚାହୁଁ ନାହାନ୍ତି। ତେଣୁ ଏମିତି ସମୟରେ ଏହାର ଲାଭ ଉଠାଇବା ଉଚିତ୍। ଜାପାନର ପ୍ରଧାନମନ୍ତ୍ରୀ ନିଜ ଦେଶରେ ନିବେଶ ପାଇଁ ଶିଳ୍ପ କ୍ଷେତ୍ରରେ ଅଧିକ ସୁଗମ କରୁଛନ୍ତି। ଭାରତୀୟ ଅର୍ଥବ୍ୟବସ୍ଥାକୁ ନୂତନ ଦିଗ ଦେବାକୁ ଏହା ଭଲ ସୁଯୋଗ ବୋଲି ଗଡକରୀ କହିଛନ୍ତି।

ଉଲ୍ଲେଖନୀୟ ଦେଶରେ କରୋନା ଭାଇରସ୍‌ ସଂକ୍ରମିତ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଏବେ ସୁଦ୍ଧା ଦେଶରେ କରୋନା ଜନିତ ସଂକ୍ରମିତ ସଂଖ୍ୟା ୪୯,୩୯୧ରେ ପହଞ୍ଚିଛି। ଏହା ସହିତ ୧୬୯୪ ଜଣଙ୍କ ମୃତ୍ୟୁ ଘଟିଛି। ଦେଶରେ କରୋନା ସଂକ୍ରମଣର ପ୍ରତିରୋଧ ଲାଗି ମେ ୧୭ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଲଗାଯାଇଛି। ଫଳରେ ଦେଶରେ ବସ୍, ରେଳ, ମେଟ୍ରୋ ଓ ବିମାନ ଚଳାଚଳ ସମେତ ସମସ୍ତ ସାର୍ବଜନୀନ ସେବା ବନ୍ଦ ରହିଛି।

   Related Posts