ତହସିଲଦାରଙ୍କ କାର୍ଯ୍ୟରେ ଅତିଷ୍ଠ ହେଲେଣି ଲୋକେ, ଧାରଣା ଦେବାକୁ ହେଉଛନ୍ତି ସଜବାଜ

Published By : Prameya-News7 Bureau | July 22, 2021 IST

କରଞ୍ଜିଆ ୨୨।୭: ମୟୁରଭଞ୍ଜ ଜିଲ୍ଲାର ରରୁଆଁ ତହସିଲଦାରଙ୍କ ନାଁରେ ଆସିଛି ଅଭିଯୋଗ । ରରୁଆଁ ତହସିଲଦାର ସାଇସ୍ମିତା ଉପାଧ୍ୟାୟ ନିଜ ସରକାରୀ ବାସଭବନରେ ନରହି ଏଠାରୁ ୪୦ କି.ମି. ଦୂର କେନ୍ଦୁଝର ଜିଲ୍ଲା ପାଟଣାରେ ରହି ଦିନ ୧୨ଟା ବେଳେ କାର୍ଯ୍ୟାଳୟକୁ ଆସନ୍ତି ଓ ୩ଟା ବେଳେ ପୁଣି ପାଟଣା ଫେରିଯାଆନ୍ତି । ଏହି ତିନି ଘଣ୍ଟା ଭିତରେ ସେ ଯେତିକି କାର୍ଯ୍ୟ କରନ୍ତି ନହେଲେ ସବୁ ସେମିତି ଟେବୁଲରେ ପଡିଥାଏ ଓ କାଲିକି ଦେଖିବା କହି କଥା ବାଁରେଇ ଦେଇଥାନ୍ତି ବୋଲି ଜଣେ କର୍ମଚାରୀ ତାଙ୍କ ନାମ ଗୋପନ ରଖି କହିଛନ୍ତି ।

ଏବେ ଜନସାଧାରଣଙ୍କ କଥା ନ କହିବା ଭଲ, ସେ ବିଭିନ୍ନ ଆଳ ଦେଖାଇ ଲୋକଙ୍କ ଜରୁରୀ ହେଉଥିବା ଜାତିଗତ ପ୍ରମାଣପତ୍ର, ସ୍ଥାୟୀବାସିନ୍ଦା ପ୍ରମାଣପତ୍ର, ଉତ୍ତରାଧିକାରୀ ପ୍ରମାଣପତ୍ର ଓ ଜମିଜମା ସଂକ୍ରାନ୍ତୀୟ କାଗଜପତ୍ରକୁ ଅଟକାଇ ରଖିଥାନ୍ତି, ଯାହା ଫଳରେ ଲୋକେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେବାର ଦୃଷ୍ଟିଗୋଚର ହୋଇଛି । ସେପଟେ ଲୋକେ ତାଙ୍କୁ କାର୍ଯ୍ୟାଳୟରେ ସାକ୍ଷାତ କରି କାରଣ ପଚାରିଲେ ସେ ଲୋକଙ୍କୁ ପୋକମାଛି ପରି ବ୍ୟବହାର କରିଥାନ୍ତି ବୋଲି ରରୁଆଁର କିଛି ସଚେତନ ନାଗରିକ ପ୍ରକାଶ କରିଛନ୍ତି । ତେଣୁ ଜଣେ ସରକାରୀ ବେତନ ପ୍ରାପ୍ତ ଅଧିକାରୀଙ୍କ ଏହିପରି ବ୍ୟବହାରରେ ରରୁଆଁ ଜନସାଧାରଣ ଅତିଷ୍ଠ ହୋଇ ଯାଇଥିବାରୁ ଆଗାମୀ ଦିନରେ ତହସିଲଦାରଙ୍କ ବଦଳି ଦାବିରେ ଧାରଣା ଦେଇପାରନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି  । ତେବେ ଏ ସମ୍ପର୍କରେ ତହସିଲଦାରଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.