ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ

Published By : Prameya-News7 Bureau | December 04, 2020 IST

ନୂଆଦିଲ୍ଲୀ ୪।୧୨: ଲଘୁଚାପ ଅଞ୍ଚଳରେ ପରିଣତ ହୋଇଥିବା ସାଇକ୍ଲୋନିକ୍ ଷ୍ଟର୍ମ ‘ବୁରେଭି’ ଶୁକ୍ରବାର ତାମିଲନାଡୁ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ‘ବୁରେଭି’ ଶୁକ୍ରବାର ଅପରାହ୍ନରେ ଥିରୁବନ୍ତପୁରମ୍ ଉପକୂଳରେ ପହଞ୍ଚିବେ ବୋଲି ଆଶଙ୍କା କରାଯାଉଛି । ‘ବୁରେଭି’ ସାଇକ୍ଲୋନର ସତର୍କତାକୁ ଦୃଷ୍ଟିରେ ରଖି ଶୁକ୍ରବାର କେରଳ ଏବଂ ତାମିଲନାଡୁର ଅନେକ ଜିଲ୍ଲାରେ ସାଧାରଣ ଛୁଟି ଦିନ ଘୋଷଣା କରାଯାଇଛି । ଏହା ବ୍ୟତୀତ ଥିରୁଅନନ୍ତପୁରମ୍ ବିମାନବନ୍ଦର, ମଦୁରାଇ ଏବଂ ତୁତିକୋରିନ୍ ବିମାନବନ୍ଦରକୁ ମଧ୍ୟାହ୍ନ ପର୍ଯ୍ୟନ୍ତ ବନ୍ଦ କରାଯାଇଛି ।

ସାଇକ୍ଲୋନିକ୍ ଷ୍ଟର୍ମ ‘ବୁରେଭି’ ପ୍ରଭାବରେ କେରଳରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଏଠାରେ ‘ବୁରେଭି’କୁ ଦୃଷ୍ଟିରେ ରଖି ଥିରୁଅନନ୍ତପୁରମ୍ ଜିଲ୍ଲା ପ୍ରଶାସନ ଉପକୂଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଏହାସହ ପ୍ରାକୃତିକ ବିପର୍ଯ୍ୟୟ ପ୍ରସମନ ଟିମ୍ କୁ ମଧ୍ୟ ସଜାଗ ରଖାଯାଇଛି । ‘ବୁରେଭି’କୁ ଦୃଷ୍ଟିରେ ରଖି ତାମିଲନାଡୁ, କନ୍ୟାକୁମାରୀ ଏବଂ କେରଳର ଉପକୂଳ ଅଞ୍ଚଳରେ ଏନଡିଆରଏଫର ୨୬ଟି ଟିମ୍ ମୁତୟନ ହୋଇଛନ୍ତି । ତାମିଲନାଡୁ ଏବଂ ଦକ୍ଷିଣ କେରଳରେ ପ୍ରବଳ ବର୍ଷା ହେବା ନେଇ ଆଶଙ୍କା କରାଯାଉଛି । ସେହିଭଳି ‘ବୁରେଭି’କୁ ଦେଖି ଉଭୟ ରାଜ୍ୟରେ ପ୍ରଶାସନ ସମୁଦ୍ର ଉପକୂଳ ଅଞ୍ଚଳକୁ ଯିବାକୁ ବାରଣ କରାଯାଇଛି ।

ଏହା ବ୍ୟତୀତ ତାମିଲନାଡୁର ସରକାର ରାଜ୍ୟର ୬ ଜିଲ୍ଲା କନ୍ୟାକୁମାରୀ, ତିରୁନେବଲି, ତେକାଂସି, ରାମନାଥପୁରମ୍, ବିରୁଧୁନଗର ଏବଂ ତୁତିକୋରିନରେ ସାର୍ବଜନୀକ ଛୁଟି ଘୋଷଣା କରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.