ସକାଳେ ଜଳିଲା ପୁଅ ବିବାହ ବେଦି ନିଆଁ, ସନ୍ଧ୍ୟାରେ ଜଳିଲା ବାପାଙ୍କ ଜୁଇ ନିଆଁ
15/07/2020 at 2:11 PM

ରାସଗୋବିନ୍ଦପୁର ୧୫।୦୭: ପୁଅର ବିବାହ ପାଇଁ ବାପା ଓ ମା ଅନେକ ଅପେକ୍ଷା କରିଥାନ୍ତି । କେତେବେଳେ ନିଜର ପୁଅର ବିବାହ ହେବ । କିନ୍ତୁ ଏମିତି କିଛି ଘଟଣା ଆମ ଆଖିସାମ୍ନାକୁ ଆସିଯାଏ । ଯାହା ସବୁବେଳ ପାଇଁ ଆଖିରେ ଛାପି ହୋଇ ରହିଯାଏ । ଏମିତି ଏକ ଘଟଣା ଘଟିଛି ରାସଗୋବିନ୍ଦପୁର ବ୍ଲକ୍ ରାଘବପୁର ପଞ୍ଚାୟତର ବର୍ତ୍ତନା ଗାଁରେ । ନିଜର ଏକମାତ୍ର ପୁଅର ବିବାହ ସକାଳ ହୋଇଥିଲା । କିନ୍ତୁ ସଂଧ୍ୟା ସମୟରେ ବାପା ଆରପାରିକୁ ଚାଲିଗଲେ । ସକାଳ ଜଳିଲା ପୁଅର ବେଦୀ ନିଆଁ, ସଂଧ୍ୟାରେ ଜଳିଲା ବାପାର ଜୁଇ ନିଆଁ ।
ଏକମାତ୍ର ପୁଅର ବିବାହ ପାଇଁ ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଉଥିଲା । ଲକ୍ଡାଉନ୍ ଯୋଗୁଁ ସୋମବାର ପୁଅକୁ ମନ୍ଦିରରେ ବିବାହ କରାଇଲେ । ବିବାହ ଶେଷ ପରେ ପୁଅ ବୋହୂଙ୍କୁ ଘରକୁ ଆଣିଥିଲେ । ହେଲେ ସନ୍ଧ୍ୟାରେ ଆଖି ବୁଜିଦେଲେ ରାସଗୋବିନ୍ଦପୁର ବ୍ଲକ୍ ରାଘବପୁର ପଞ୍ଚାୟତର ବର୍ତ୍ତନା ଗାଁର ବିପିନ ରାମ ।
ସକାଳେ ବେଦିରେ ପୁଅ ସତ୍ୟଜିତର ହୋମଯଜ୍ଞ ଜଳିଥିଲା, ଆଉ ସନ୍ଧ୍ୟାରେ ବାପା ବିପିନଙ୍କ ଜୁଇ ଜଳିଲା । ସୋମବାର ତୋଟାପଡ଼ା ପଞ୍ଚାୟତ ପାଇକସାହି ମନ୍ଦିରରେ ପୁଅ ସତ୍ୟଜିତର ବିବାହ କରାଇ ପୁଅବୋହୂଙ୍କୁ ଖୁସିରେ ଧରି ଘରକୁ ଫେରିଥିଲେ ବିପିନ । ଉଚ୍ଚ ରକ୍ତଚାପ ଯୋଗୁଁ ସନ୍ଧ୍ୟାରେ ବିପିନ ହଠାତ୍ ସଂଜ୍ଞାହୀନ ହୋଇପଡ଼ିଲେ । ପରିବାର ଲୋକ ତାଙ୍କୁ ବାଲେଶ୍ୱର ସଦର ଡାକ୍ତରଖାନା ନେଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।