ଟଙ୍କା ଦେବାକୁ ମନା କରିବାରୁ ରକ୍ତ ସମ୍ପର୍କ ଭୁଲିଗଲା ମଦ୍ୟପ ପୁଅ, କଟୁରୀରେ ବାପାକୁ ହାଣିଦେଲା
1/03/2021 at 12:33 PM

ଢେଙ୍କାନାଳ,୧/୦୩ : ପୁଅ ଭୁଲି ଗଲା ରକ୍ତର ସମ୍ପର୍କ । ଟଙ୍କା ଆଗରେ ଫିକା ପଡିଗଲା ବାପାର ସ୍ନେହ ଓ ଭଲ ପାଇବା । ଟଙ୍କା ନଦେବାରୁ ବାପାକୁ କଟୁରୀରେ ଚୋଟ ମାରିଲା ପୁଅ । ଫଳରେ ବାପା ଗୁରୁତର ହୋଇଥିବାବେଳେ ମୂର୍ମୁଷୁ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ଅଞ୍ଚଳରେ ।
ସୂଚନାନୁସାରେ, ଢେଙ୍କାନାଲ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପାରିଖେଦା ଗ୍ରାମରେ ରୁହନ୍ତି ଚୈତନ୍ୟ ନାୟକ । ତାଙ୍କ ପୁଅ ଲିଙ୍ଗା ନାୟକ ସର୍ବଦା ମଦ୍ୟପାନ କରେ । ରବିବାର ଲିଙ୍ଗା ମଦ୍ୟ ପାନ କରି ଘରକୁ ଫେରିବା ପରେ ବାପାକୁ ଆଉ ଟଙ୍କା ମାଗିଥିଲା । ମାତ୍ର ବାପା ଚୈତନ୍ୟ ମନା କରିବାରୁ ଏଥିରେ ଉତକ୍ଷିପ୍ତ ହୋଇ ପଡିଥିଲା ପୁଅ । ଏପରିକି ବାପାକୁ ଘରେ ଥିବା ଏକ କଟୁରୀରେ ବାପାକୁ ହାଣି ପକାଇଥିଲା ।
ଆକ୍ରମଣରେ ଗୁରୁତର ହୋଇ ପଡିଥିଲେ ଚୈତନ୍ୟ । ଗ୍ରାମବାସୀ ତାଙ୍କୁ ଉଦ୍ଧାର ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ତେବେ ଅଭିଯୁକ୍ତ ପୁଅ ଲିଙ୍ଗା ନାୟକ ଫେରାର ହୋଇଯାଇଛି । ସଦର ପୋଲିସ ପହଂଚି ଆକ୍ରମଣରେ ବ୍ୟବହୃତ କଟୁରି ଜବତ କରି ତଦନ୍ତ ଆରମ୍ଭ କରିଛି ।