Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ମୋଦିଙ୍କୁ ମାନୁ ନାହାନ୍ତି ଯୋଗୀ, ବିରୋଧୀଙ୍କୁ ବି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପରୱା ନାହିଁ

28/03/2020 at 5:08 PM

ନୂଆଦିଲ୍ଲୀ ୨୮। ୩: କରୋନାକୁ ନେଇ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଏହି ଭୟଙ୍କର ଭୂତାଣୁ ଭାରତରେ ବି ପ୍ରଭାବ ବିସ୍ତାର କରିବାରେ ଲାଗିଛି। ଏଣୁ ସଂକ୍ରମଣ ନିୟନ୍ତ୍ରଣ ଲାଗି ସରକାର ପଦକ୍ଷେପ ନେବା ସହ ସାମାଜିକ ଦୂରତା ଲାଗି ଦେଶକୁ ଲକ୍ ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଗୋଟିଏ ପଟେ ୨୧ ଦିନିଆ ଲକ୍ ଡାଉନ ଚାଲିଥିବା ବେଳେ ବିଜେପି ଶାସିତ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକଳାପ ଏବଂ କେନ୍ଦ୍ର ଓ ରାଜ୍ୟ ସମ୍ପର୍କ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି  ହୋଇଛି। ବଡ଼ ପ୍ରଶ୍ନ ଟି ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ’ଣ ମାନନ୍ତି ନାହିଁ  ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ?

ଏପରି ପ୍ରଶ୍ନର କାରଣ ଟି ହେଲା , ସାରା ଦେଶ ଲକ୍‌ଡାଉନ ବେଳେ, ତାହାକୁ ଉଲ୍ଲଂଘନ କରିଛନ୍ତି ଯୋଗୀ । ଗତ ୨୪ ତାରିଖ  ବିଳମ୍ବିତ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ସାରା ଦେଶକୁ ୨୧ ଦିନିଆ ଲକ୍ ଡାଉନ୍ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଘୋଷଣାର ୨୪ ଘଣ୍ଟା ପୂରଣ ହୋଇନଥିବା ବେଳେ ଉତ୍ତପ୍ରଦେଶର ଅଯୋଧ୍ୟାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବା  ନୂଆ ବିବାଦର ସୂତ୍ରପାତ  କରିଛି। ଅଯୋଧ୍ୟାର ବିବାଦିତ ରାମ ମନ୍ଦିର ସ୍ଥଳରେ  ସ୍ଥାପିତ ନୂଆ ଅସ୍ଥାୟୀ ମନ୍ଦିରକୁ ରାମଲାଲାଙ୍କ ସ୍ଥାନାନ୍ତରଣ  କାର୍ଯ୍ୟକ୍ରମ ଅଟକିଲାନାହିଁ, ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ କଟକଣା ଅଟକାଇ ପାରିଲାନି।

ବୁଧବାର ନବରାତ୍ର ଆରମ୍ଭ ପ୍ରହରରେ ରାମଲାଲାଙ୍କୁ ତମ୍ବୁରୁ ବାହାର କରି ଏହି ମନ୍ଦିରରେ ସ୍ଥାପିତ କରାଯାଇଥିଲା। ଏହା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରାଳୟ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଧାର୍ମିକ ଉତ୍ସବ ପାଳନ ଲାଗି ଲୋକେ ଏକତ୍ର ହେବା ନେଇ ଜାରି କରିଥିବା କଟକଣାକୁ ବି ଖାତିର କରିନାହାନ୍ତି ଯୋଗୀ। ରାମଲାଲାଙ୍କୁ ଅସ୍ଥାୟୀ ମନ୍ଦିରରେ ସ୍ଥାପନା ଲାଗି କାର୍ଯ୍ୟକ୍ରମରେ ଯୋଗୀଙ୍କ ସମେତ ଶତାଧିକ ଲୋକେ ମଧ୍ୟ ଭାଗ ନେଇଥିଲେ।

ଏଣୁ ଉତ୍ତରପ୍ରଦେଶ କଂଗ୍ରେସ ସଭାପତି ଅଜୟ ଲଲ୍ଲୁ ତମାମ ପ୍ରକ୍ରିୟାକୁ ନେଇ ପ୍ରଶ୍ନ କରିଥିବା ବେଳେ ସାମ୍ବିଧାନିକ ପଦପଦବୀରେ ଥିବା ଲୋକେ ଯଦି କଟକଣା ଅବମାନନା କରିବେ, ତେବେ  ଆମେ ସାଧାରଣ ଲୋକଙ୍କ କଥା କ’ଣ କହିବା ବୋଲି ପ୍ରଶ୍ନ କରିଛନ୍ତି। କରୋନା ସଂକ୍ରମଣକୁ ନେଇ  ଉତ୍ତରପ୍ରଦେଶ ମଧ୍ୟ ସ୍ତବ୍ଧ। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଣୁ ନବରାତ୍ର ପ୍ରାରମ୍ଭରେ ଲୋକେ ମନ୍ଦିରକୁ ଯାଇ ମାଁଙ୍କ ଆରାଧନା କରିବାକୁ ଚାହୁଁଥିଲେ ହେଁ ଭୟରେ ନିଜକୁ କବାଟ ପଛପଟେ ରଖିବାକୁ ବାଧ୍ୟ ହୋଇଛନ୍ତି। ଅଥଚ ମୁଖ୍ୟମନ୍ତ୍ରୀ ସମସ୍ତ କଟକଣା, ଆବେଦନ, ନିବେଦନକୁ  ଟାଳି ରାମଲାଲାଙ୍କ ମନ୍ଦିର ସ୍ଥାନାନ୍ତରଣରେ ଭାଗ ନେଇଛନ୍ତି।

ସେପଟେ ମାଇକ୍ରୋ ବ୍ଲଗିଙ୍ଗରେ ଏକଦା ବିବାଦୀୟ ରାମ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ସହ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଶୁଭାରମ୍ଭ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଏଥିରେ ରାମ ମନ୍ଦିର ଲାଗି ଯୋଗୀ ଆଦିତ୍ୟ ନାଥଙ୍କ ଅନୁଦାନ ମଧ୍ୟ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କୁ ଭେଟି ମନ୍ଦିର ନିର୍ମାଣ ନିମନ୍ତେ ତାଙ୍କର ଯୋଗଦାନ ୧୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି।  

ତେବେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଅବଜ୍ଞା କିଛି ନୂଆ କଥା ନୁହେଁ। ଗତ ବିଧାନସଭା ନିର୍ବାଚନରେ ବିଜେପି  ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନିଶ୍ଚିତ କରିନଥିଲା। ତେବେ ନିର୍ବାଚନ ପ୍ରଚାରରେ ଯୋଗୀ ଆଦିତ୍ୟ ନାଥ ନିଜକୁ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କ ସମ୍ମୁଖରେ ଉପସ୍ଥାପିତ କରିଥିଲେ ଏବଂ ନିର୍ବାଚନ ଫଳ ଆସିବାପରେ ବେସ୍‌ କିଛି କସରତ କରି  ମୁଖ୍ୟମନ୍ତ୍ରୀ  ପଦବୀ ହାସିଲ କରିଥିଲେ। ତେବେ ଯାହା ଜଣାଯାଏ ବିଜେପି, ମୋଦି ଅଥବା ଅମିତ ଶାହା କେହି ହେଲେ ଯୋଗୀ ମୁଖ୍ୟମନ୍ତ୍ରୀ  ହୁଅନ୍ତୁ ଚାହୁଁ ନଥିଲେ। ହେଲେ ଯୋଗୀ ତାଙ୍କ ପ୍ରଭାବ ବଳରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ହାସଲ କରିବା ସହ ସରକାରକୁ ବି ନିୟନ୍ତ୍ରିତ କରୁଛନ୍ତି।

ଅନେକ ସମୟରେ ସେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ କଥା ଗ୍ରହଣ କରିବାକୁ ସହଜରେ ରାଜି ହେଉନଥିବା ମଧ୍ୟ ଦେଖାଯାଇଛି । ତେବେ ବିଜେପି ରାଜନୀତିର ଏହି ଗୁମର ସହଜରେ ବାହାରକୁ ଆସୁନଥିବା ବେଳେ ଲକ୍‌ଡାଉନ ସମୟରେ ଯୋଗୀଙ୍କ ମନ୍ଦିର କାର୍ଯ୍ୟକ୍ରମରେ ସାମିଲ ହେବା ଘଟଣା ମୋଦି ବନାମ ଯୋଗୀ ବିବାଦରେ କିଛି ସତ୍ୟତା ଥିବା ସନ୍ଦେହକୁ ମଜବୁତ କରିଛି । ସେପଟେ କେବଳ ବିଜେପିର କେନ୍ଦ୍ରୀୟ ନେତା ନୁହନ୍ତି ବିରୋଧୀଙ୍କୁ ବି ପରୱା କରନ୍ତି ନାହିଁ ଯୋଗୀ ।

   Related Posts