ସାଇକୋ କିଲର୍ ନାରାୟଣ ସାହୁକୁ ଗିରଫ କଲା ପୋଲିସ, ୩ଟି ନୁହେଁ ଦୁଇଟି ହତ୍ୟାକାଣ୍ଡରେ ସଂପୃକ୍ତ

Published By : Prameya-News7 Bureau | August 01, 2019 IST

କଟକ ୧|୮:  କଟକ ଟ୍ରିପଲ ମର୍ଡର ଘଟଣାରେ ଅଟକ ଥିବା ନାରାୟଣ ସାହୁକୁ ଗିରଫ କରିଛି ପୋଲିସ । ତେବେ ତିନୋଟି ନୁହେଁ ନାରାୟଣ ଦୁଇଟି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ପୋଲିସ ଆଗରେ ସ୍ବୀକାର କରିଛି । ଓଏମପି ଛକରେ ଘଟିଥିବା ଦୁଇଟି ହତ୍ୟାକାଣ୍ଡରେ ନାରାୟଣର ସଂପୃକ୍ତି ଥିବା ନେଇ ପୋଲିସ ହାତରେ ଲାଗିଛି ପ୍ରମାଣ । ତେବେ ରାଣୀହାଟ ହତ୍ୟାକାଣ୍ଡ ଘଟଣାରେ ନାରାୟଣର ସଂପୃକ୍ତି ଅଛି କି ନାହିଁ ସେନେଇ ନାରାୟଣକୁ ରିମାଣ୍ଡରେ ଆଣିବ ପୋଲିସ । ଏଥିସହ ନାରାୟଣର ଲାଏ ଡିଟେକସନ ଟେଷ୍ଟ ମଧ୍ୟ ପୋଲିସ କରିବ । ନାରାୟଣ ମାନସିକ ବିକାରଗ୍ରସ୍ତ କି ନୁହଁ ତାହା ପୋଲିସ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ । ଏନେଇ ପୋଲିସ ଛାନଭିନ୍ ଜାରି ରଖିଛି ।

ହତ୍ୟାକାଣ୍ଡ ଘଟଣାରେ କ୍ରାଇମ୍ ସ୍ପଟ୍ ଓଏମପି ଛକରେ ନାରାୟଣକୁ ଧରି ଯାଞ୍ଚ କରୁଛି ପୋଲିସ । ଏଥି ସହ ନାରାୟଣ ରହୁଥିବା ସ୍ଥାନକୁ ମଧ୍ୟ ନେଇଛି ପୋଲିସ । ଉଭୟ ଫରେନସିକ୍ ଟିମ୍ ଓ ପୋଲିସ ଯାଞ୍ଚ କରୁଛନ୍ତି ।

ପୋଲିସ ହାତରେ ଧରାପଡିଥିବା ସାଇକୋ କିଲର ନାରାୟଣ ନରହନ୍ତା କି ନୁହେଁ ତାକୁ ନେଇ ଦେଖାଦେଇଛି ବିବାଦ । ପୋଲିସ ନାରାୟଣକୁ ସାଇକୋ କିଲର କହୁଥିବା ବେଳେ ତାଙ୍କ ପତ୍ନୀ, ବାପା ଏବଂ ଗାଁ ଲୋକେ କିନ୍ତୁ ଏହାକୁ ସହଜରେ ବିଶ୍ବାସ କରୁନାହାନ୍ତି । ନାରାୟଣ ନିର୍ଦ୍ଦୋଶ ବୋଲି ଦାବି କରିବା ସହ ତୁରନ୍ତ ତାଙ୍କୁ ଖଲାସ କରିବାକୁ ଆଜି ନୟାଗଡ ଏଏସପିଙ୍କ ନିକଟରେ ଗୁହାରି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.