ଚାପୁଡା ପାଇଁ ପ୍ରତିଶୋଧ: ଜିନ୍ସ-କୁର୍ତ୍ତୀ ପିନ୍ଧା ଯୁବତୀଙ୍କୁ ବ୍ଲେଡ୍‌ରେ ହମଲା କରୁଥିଲା ସାଇକୋ ଡେଲିଭରୀ ବଏ

Published By : Prameya-News7 Bureau | November 03, 2020 IST

ହାପୁଡ ୦୩/୧୧ : ଉତ୍ତର ପ୍ରଦେଶ ହାପୁଡରେ ଯୁବତୀମାନଙ୍କୁ ବ୍ଲେଡରେ ହମଲା କରି ଆତଙ୍କ ସୃଷ୍ଟି କରିଥିବା ସାଇକୋ ଯୁବକକୁ ପୋଲିସ ଗିରଫ କରିଛି। ଘଟଣାକୁ ୨୪ ଘଣ୍ଟା ନ ପୂରୁଣୁ ପୋଲିସ ଅଭିଯୁକ୍ତ ଆକାଶ ସାଗରକୁ ଗିରଫ କରିଛି। ହାପୁଡ ଏସପି ସଂଜୀବ ସୁମନ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଆକାଶ ସାଗର କୁରିୟର କମ୍ପାନୀରେ କାମ କରୁଥିଲା। ସେ ଘର ଘର ଯାଇ ହୋମ ଡେଲିଭରି କରୁଥିଲା। କିଛି ଦିନ ପୂର୍ବରୁ ହୋମ ଡେଲିଭରି ସମୟରେ ତା ବାଇକ ଜଣେ ଯୁବତୀଙ୍କୁ ଧକ୍କା ଦେଇଥିଲା। ଏହାପରେ ଯୁବତୀ ଆକାଶକୁ ଚାପୁଡ଼ା ମାରିଥିଲେ। ଯୁବତୀ ଜଣକ ଜିନ୍ସ ଓ କୁର୍ତ୍ତୀ ପିନ୍ଧିଥିଲେ। ଯୁବତୀ ଆକାଶକୁ ଚାପୁଡ଼ା ମାରିବା ପରେ ଅପମାନର ପ୍ରତିଶୋଧ ନେବା ପାଇଁ ସେ ଯୁବତୀଙ୍କର ପତା କରିଥିଲା କିନ୍ତୁ ପାଇନଥିଲା। ଏହାପରେ ସେ ସମସ୍ତ ଜିନ୍ସ ଓ କୁର୍ତ୍ତୀ ପିନ୍ଧିଥିବା ଯୁବତୀମାନଙ୍କୁ ଟାର୍ଗେଟ କରିଥିଲା।

ଏସପି ସଂଜୀବ ସୁମନ କହିଛନ୍ତି, ସୋମବାର ସକାଳୁ ମନ୍ଦିର ଯାଉଥିବା ଜଣେ ଯୁବତୀଙ୍କୁ ବ୍ଲେଡରେ ହମଲା କରି ଆକାଶ ଫେରାର ହୋଇଯାଇଥିଲା। ଏହାପରେ ସେ ପୁଣି ଆଉ ଜଣେ ମହିଳାଙ୍କୁ ମଧ୍ୟ ବ୍ଲେଡରେ ହମଲା କରିଥିଲା। ହମଲାର ଶିକାର ଉଭୟ ମହିଳା ଓ ଯୁବତୀ ଜିନ୍ସ ଓ କୁର୍ତ୍ତୀ ପିନ୍ଧିଥିଲେ। ଯୁବତୀ ଓ ମହିଳା ଆକାଶକୁ ଜାଣିନଥିଲେ। ସେ କାହିଁକି ତାଙ୍କୁ ବ୍ଲେଡରେ ହମଲା କଲା ତାହା ବି ଜାଣିନଥିଲେ। ଘଟଣା ପରେ ସହରରେ ଆତଙ୍କ ଖେଳିଗଲା। କେହି ବି ବୁଝି ପାରୁନଥିଲେ ଯେ ରାସ୍ତାରେ ଯାଉଥିବା ଯୁବତୀଙ୍କୁ କିଏ ଏବଂ କାହିଁକି ଏମିତି ବ୍ଲେଡରେ ହମଲା କରୁଛି। ପ୍ରଥମେ ପୋଲିସ ବି କିଛି ବୁଝି ପାରୁନଥିଲା। ଏହାପରେ ମାମଲାର ତଦନ୍ତ ଆରମ୍ଭ ହୋଇଥିଲା ଓ ପୋଲିସର କିଛି ଟିମ୍ ମାମଲାର ଖୁଲାସା ପାଇଁ ତଦନ୍ତ ଆରମ୍ଭ କଲେ। ପୋଲିସ ଟିମ୍ ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜ୍ ଚେକ୍ କରିଥିଲେ। ସିସିଟିଭି ଫୁଟେଜ୍ ସାହାଯ୍ୟରେ ପୋଲିସ ଅଭିଯୁକ୍ତକୁ ଚିହ୍ନିବାରେ ସକ୍ଷମ ହେଲା ଓ ଗିରଫ କରିଥିଲା।

ହାପୁଡ ଏସପି ସଂଜୀବ ସୁମନ କହିଛନ୍ତି ଯେ ଆକାଶ ସାଗର ଏକ ପ୍ରକାର ସାଇକୋ ଅପରାଧୀ। ସେ କେବଳ ଜିନ୍ସ ଓ କୁର୍ତ୍ତୀ ପିନ୍ଧିଥିବା ଯୁବତୀ ଓ ମହିଳାଙ୍କୁ ଟାର୍ଗେଟ କରୁଥିଲା। କିଛି ଦିନ ପୂର୍ବରୁ ଜଣେ ଜିନ୍ସ ଓ କୁର୍ତ୍ତୀ ପିନ୍ଧିଥିବା ଯୁବତୀଙ୍କ ସହ ତାର ବିବାଦ ହୋଇଥିଲା। ଏହାପରେ ଯୁବତୀ ତାକୁ ଚାପୁଡ଼ା ମାରିଥିଲେ। ସେହି ଘଟଣା ପରେ ସେ ପ୍ରତିଶୋଧରେ ନିଆଁରେ ସୋମବାର ଠାରୁ ସମସ୍ତ ଜିନ୍ସ ଓ କୁର୍ତ୍ତୀ ପିନ୍ଧା ଯୁବତୀଙ୍କୁ ବ୍ଲେଡରେ ହମଲା କରୁଥିଲା। ପୋଲିସ ଆକାଶ ଠାରୁ ରକ୍ତାକ୍ତ ବ୍ଲେଡ, ବାଇକ, ବନ୍ଧୁକ, ଓ ଗୁଳି ଜବତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.