ଉମର ଅବଦୁଲ୍ଲା ଓ ମହବୁବା ମୁଫ୍ତିଙ୍କ ବିରୋଧରେ ଲାଗିଲା PSA, ଜାଣନ୍ତୁ କ’ଣ କହିଛି PDP
6/02/2020 at 10:12 PM

ଜମ୍ମୁ ୫।୨: ଜମ୍ମୁ-କାଶ୍ମୀରର ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଓ ମହବୁବା ମୁଫ୍ତିଙ୍କ ବିରୋଧରେ ପବ୍ଲିକ୍ ସଫ୍ଟି ଆକ୍ଟ (ପିଏସଏ) ଲାଗୁ କରାଯାଇଥିବା ଗୁରୁବାର ଜଣାପଡିଛି। ଉଭୟ ନେତା ଗତ ୬ ମାସ ହେଲା ନଜର ବନ୍ଦୀ ଅଛନ୍ତି। ଏଣୁ ଏବେ ପିଏସଏ ଲାଗୁ ହୋଇଥିବାରୁ ଉଭୟଙ୍କୁ ବିନା ଶୁଣାଣିରେ ୩ ମାସ ଜେଲ ମଧ୍ୟ ହୋଇପାରେ।

ମିଳୁଥିବା ସୂଚନା ଅନୁସାରେ ସିଆରପିସିର ଧାରା ୧୦୭ ଅନୁଯାୟୀ ସେମାନଙ୍କ ବିରୋଧରେ ପିଏସଏ ଆକ୍ଟରେ ମୋକଦ୍ଦମା ରୁଜୁ ହୋଇଛି। ଏହା ପୂର୍ବରୁ ନ୍ୟାସନାଲ କନଫରେନ୍ସର ସାଧାରଣ ସମ୍ପାଦକ ଅଲ୍ଲୀ ମହମ୍ମଦ ସାଗର ଓ ପିଡିପି ନେତା ସରତାଜ ମଦନୀଙ୍କ ବିରୋଧରେ ପିଏସଏ ଲଗାଯାଇଥିଲା। ସେମାନଙ୍କୁ ଏମଏଲଏ ହଷ୍ଟେଲରୁ ଗୁପ୍ତରେ ଏମ-୫କୁ ପଠାଇ ଦିଆଯାଇଛି। ସେହିପରି ଏମଏଲଏ ହଷ୍ଟେଲରେ ରହୁଥିବା ନ୍ୟାସନାଲ କନଫରେନ୍ସର ଅନ୍ୟଜଣେ ନେତା ବଶିଦ ଅହମ୍ମଦ ବିରୀଙ୍କୁ ଜାବାହାର ନାଗରରେ ଥିବା ତାଙ୍କ ଅଧିକାରୀକ ଘରକୁ ପଠାଇ ଦିଆଯାଇଛି।

ପ୍ରଶାସନର ଏହି ନିଷ୍ପତ୍ତିକୁ ନେଇ ପିଡିପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ପିଡିପି ମୁଖପାତ୍ର କହିଛନ୍ତି ଯେ ସରକାରଙ୍କୁ ବିରୋଧ କରିବାରୁ ମୁଖ୍ୟଧାରାର ନେତାଙ୍କ ବିରୋଧରେ ଯଦି ପିଏସଏ ଲାଗୁ ହେଉଛି ତେବେ ଏହା ଗଣତନ୍ତ୍ରର ହତ୍ୟା ବ୍ୟତୀତ ଅନ୍ୟ କିଛି ନୁହେଁ। ତେବେ ଏହା ପୂର୍ବରୁ ସୂଚନା ମିଳିଥିଲା ଯେ ଅବଦୁଲ୍ଲା ଓ ପିଡିପି ନେତ୍ରୀଙ୍କୁ ତାଙ୍କ ଘରକୁ ପଠାଇ ଦିଆଯିବ।