୪ ଦିନିଆ ରିମାଣ୍ଡରେ କୁବେର ପିଏସ୍‌ ବିରଞ୍ଚି ସାହୁ ; କିଛି ମିଳିଛି, ଆହୁରି ବାହାରିବ !

Published By : Prameya-News7 Bureau | August 03, 2021 IST

ଭୁବନେଶ୍ବର ୦୩/୦୮ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡି ଗିରଫ ହୋଇଥିବା ଓଏସଏସସି ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କୁ ରିମାଣ୍ଡରେ ନେବ ଭିଜିଲାନ୍ସ । ୪ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ଭିଜିଲାନ୍ସ କୋର୍ଟ । କୁବେର ପିଏସ୍‌ ବିରଞ୍ଚି ନାରାୟଣ ସାହୁଙ୍କ ବିରୋଧରେ ବିଭାଗୀୟ ତଦନ୍ତ ହେବା ନେଇ ପୂର୍ବରୁ ଘୋଷଣା କରିଥିଲେ ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ମିଶ୍ର । କିଭଳି ଜଣେ ପିଏସ୍ ହୋଇ କୋଟିପତି ହେଲେ ଏହାକୁ ନେଇ ତଦନ୍ତ ହେବ । ତାଙ୍କ ଘରୁ ମିଳିଥିବା ଆଡମିଟ୍ କାର୍ଡ ବାବଦରେ ସମସ୍ତ ତଦନ୍ତ ହେବ । ଆଡମିଟ୍ କାର୍ଡ ସେ ଛାତ୍ରଛାତ୍ରୀଙ୍କଠାରୁ ନେଇଥିବା ସନ୍ଦେହ କରାଯାଇଛି । ସିଧାସଳଖ ଲାଞ୍ଚ କାରବାର ନେଇ ଏଭଳି ବେଆଇନ ସମ୍ପତ୍ତି ଆୟ କରିଥିବା ଜଣାପଡିଛି ।

ଷ୍ଟାଫ ସିଲେକସନ କମିସନ ଅଧକ୍ଷଙ୍କୁ ଭିଜିଲାନ୍ସ ମାରଥନ ଜେରା କରିଛି । ବିରଞ୍ଚିଙ୍କ ଚାମ୍ବରରେ ଥିବା ସମସ୍ତ ଫାଇଲକୁ ତଦନ୍ତ ପରିସରଭୁକ୍ତ କରିଛି ଭିଜିଲାନ୍ସ । ଷ୍ଠାଫ ସିଲେକସନ କମିସନଙ୍କ କାର୍ଯ୍ୟାଳୟରେ ଯୋଗଦେବା ପରେ ବିରଞ୍ଚି କାହା କାହା ସହିତ ବ୍ୟକ୍ତିଗତ ସମ୍ପର୍କରେ ଥିଲେ କାହାର ଖୋଳତାଡ ହେବ । ସେପଟେ ଷ୍ଟାଫ ସିଲେକସନ ଜରିଆରେ ଚାକିରୀ ପାଇବାପାଇଁ ଯୋଗ୍ୟ ପ୍ରାର୍ଥି ଚାକିରୀ ନପାଇ ଏବେ ବିରଞ୍ଚିଙ୍କ ବିରୁଦ୍ଧରେ ଭିଜିଲାନ୍ସରେ ଅଭିଯୋଗ କରିଛନ୍ତି ।

କୁବେର ପିଏସ୍‌ ଗୋଟିଏ ପରେ ଗୋଟିଏ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ମଙ୍ଗଳବାର ଷ୍ଟାଫ ସିଲେକସନ୍ ଅଧକ୍ଷ ନିର୍ମଳ ମିଶ୍ରଙ୍କୁ ମାରଥନ ଜେରା କରିଛି ଭିଜିଲାନ୍ସ ଟିମ । ଜଣେ ଡିଏସପିଙ୍କ ନେତ୍ତ଼ତ୍ବରେ ଦୁଇଜଣ ଅଧିକାରୀ ଦିର୍ଘ ୫ ଘଣ୍ଟା ଧରି ପଚରା ଉଚୁରା କରିଥିଲେ । ୨୦୧୦ ମସିହାରୁ ଆଜି ପର୍ଯ୍ୟନ୍ତ ବିରଞ୍ଚି କେଉଁ କେଉଁ ଧିକାରୀ ଙ୍କ ଅଧିନରେ କାର୍ଯ୍ୟ କରିଛନ୍ତି , ଛାତ୍ର ଛାତ୍ରୀଙ୍କ କେଉଁ କେଉଁ କାର୍ଯ୍ୟରେ ସେ ଶିଧା ସଳଖ ଜଡିତ ରହୁଥିଲେ , ବିରଞ୍ଚିଙ୍କ ଆଲମିରାରୁ ମିଳିଥିବା ଆଇ କାର୍ଡ ଗୁଡିକର ପ୍ରକ଼ତ ପରିଚୟ କଣ । ସେମାନେ ଏବେ ସରକାରୀ ଚାକିରୀରେ ଅଛନ୍ତି ନାଁ ନାହିଁ ତାର ସମସ୍ତ ବିବରଣି ହାସଲ କରିବାକୁ ପ୍ରୟାସ ଜାରି ରଖିଛି ଏହି ଟିମ । ତେବେ ତଦନ୍ତ ପ୍ରକ୍ରିୟା ଜାରୀ ରହିଥିବାରୁ କୌଣସି ପ୍ରଶ୍ନର ଉତ୍ତର ରଖିବାକୁ ମନା କରିଦେଇଛନ୍ତି ନିର୍ମଳ ମିଶ୍ର ।

ଭିଜିଲାନ୍ସ ଚଢ଼ାଉରେ ଧରାପଡ଼ିଥିବା ଷ୍ଟାଫ ସିଲେକସନ କମିସନଙ୍କ ବ୍ୟକ୍ତିଗତ ସଚିବ କୋଟିପତି ବିରଞ୍ଚି ସାହୁଙ୍କୁ ଚାକିରୀରୁ ବିଦା କରିଛନ୍ତି ରାଜ୍ୟ ସରକାର । ତାଙ୍କୁ ବାଧ୍ୟତା ମୂଳକ ଅବସର ଦିଆଯାଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିଲେ ବିରଞ୍ଚି । ଏଥି ସହିତ ତାଙ୍କର ପୁରୁଣା ଫାଇଲ ଦରାଣ୍ଡିବା ଆରମ୍ଭ କରିଦେଇଛି ଭିଜିଲାନ୍ସ ବିଭାଗ । ତାଙ୍କ ଆଲମିରାରୁ ମିଳିଥିବା ଛାତ୍ରଛାତ୍ରୀଙ୍କ ଆଇ କାର୍ଡ ଗୁଡିକର ଠିକଣା ଯୋଗାଡ କରୁଛି ଭିଜିଲାନ୍ସ । ଏଥି  ସହିତ ଏହି ଛାତ୍ରଛାତ୍ରୀ ମାନେ ଏବେ ଚାକିରୀ କରିସାରିଛନ୍ତି ନା ଚାକିରୀ ପାଇବାକୁ ଅପେକ୍ଷାରେ ଅଛନ୍ତି ତାର ମଧ୍ୟ ଚାଲିଛି ଛାନଭିନ ।

ବିରଞ୍ଚିଙ୍କ ସାହୁଙ୍କ ଶାଳକ ଆଉ ପତ୍ନୀ କୁଆଡେ ଗଲେ ସେ ନେଇ ଖୋଜୁଛି ଭିଜିଲାନ୍ସ ଟିମ୍‌ । ବିରଞ୍ଚି କରୁଥିବା ଦୁର୍ନୀତିରେ ଏମାନଙ୍କର କେତେ ସହଭାଗିତା ରହିଛି । ଏହି ଦୁଇ ଭାଇ ଭଉଣୀଙ୍କ ଆକାଉଣ୍ଟକୁ କେତେ ଟଙ୍କା କାହା ଆକାଉଣ୍ଟରୁ ଆସିଛି ତାର ସମସ୍ତ ତଥ୍ୟ ଖୋଜିବା ଆରମ୍ଭ କରିଦେଇଛି ଭିଜିଲାନ୍ସ ବିଭାଗର ସ୍ବତନ୍ତ୍ର ଟିମ ।  ଅନ୍ୟପଟେ ବିରଞ୍ଚିଙ୍କ ଘରୁ ମିଳିଥିବା ପାସବୁକ, ଏଲଆଇସି ବଣ୍ଡ, ଅନ୍ୟାନ୍ୟ ଡିପୋଜିଟ ସମ୍ପର୍କରେ ଖୋଳତାଡ ଆରମ୍ଭ କରିଦେଇଛି ଭିଜିଲାନ୍ସ । ଶନିବାର ବିରଞ୍ଚିକୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ବେଳେ ତାଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିବ ଭିଜିଲାନ୍ସ । କେଉଁକେଉଁ ମାନେ ବିରଞ୍ଚିଙ୍କ ଦ୍ବାରା ଚାକିରି ପାଇବାକୁ ଅର୍ଥ ଦେଇଛନ୍ତି । ସେମାନଙ୍କ ସମ୍ପର୍କରେ ମଧ୍ୟ ଖୋଳତାଡ ଆରମ୍ଭ କରିଛି ଭିଜିଲାନ୍ସ

ସେପଟେ ସରକାରୀ ଚାକିରି ଆଶାୟୀଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଥିବା ଷ୍ଟାଫ ସିଲେକସନ୍‌ କମିଶନଙ୍କ ବ୍ୟକ୍ତିଗତ ସଚିବଙ୍କ ସହିତ ଆଉ କାହାର କାହାର ହାତ ରହିଛି ତାର ଖୁଲାସା କରିବାକୁ ରାଜ ରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ ।  ବିଚାର ବିଭାଗୀୟ ତଦନ୍ତ କରିବାକୁ ମଧ୍ୟ ଦାବି କରିଛି ଛାତ୍ର କଂଗ୍ରେସ । ଏପରିକି କିଛି ଆଶାୟୀ ଚାକିରି ପାଇବା ଆଶାରେ ବିରଞ୍ଚିଙ୍କୁ ୧୦ ଲକ୍ଷ ଟଙ୍କା ଦେବାକୁ ଡିଲ କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ଆସନ୍ତାକାଲି ବିଜେପି ଷ୍ଟାଫ ସିଲେକସନ କମିସନଙ୍କ ଅଫିସ ଘେରିବାକୁ ସଜବାଜ ହେଉଛି । ସେପଟେ ବିରଞ୍ଚିଙ୍କ ପକ୍ଷରୁ ଉପର କୋର୍ଟରେ ଜାମିନ ପାଇଁ ଆବେଦନ କରାଯିବ ବୋଲି ତାଙ୍କ ଓକିଲ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଶୁକ୍ରବାର OSSC ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ବିରଞ୍ଚିଙ୍କ ଘରୁ ୩ କୋଟି ୭୯ ଲକ୍ଷର ସଂପତ୍ତି ଜବତ ସହ ନଗଦ ୨୫ ଲକ୍ଷ ଟଙ୍କା ଓ ଦେଢ଼ କେଜି ସୁନା ଗହଣା ଜବତ ହୋଇଥିଲା । ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି ନୀଳାଦ୍ରିବିହାରରେ ୨ଟି ଦୁଇ ମହଲା ଘର, ଭୁବନେଶ୍ବର ଭକ୍ତିବିହାର ଓ କଟକ କୋଡିଆବନ୍ଧରେ ୨ଟି ଏକ ମହଲା ଘର । ଭୁବନେଶ୍ବର, ଖୋର୍ଦ୍ଧା ଓ ପୁରୀରେ ରହିଛି ୧୪ଟି ପ୍ଲଟ୍‌ । ଗୋଟିଏ କାର୍‌, ୨ଟି ବାଇକ୍‌, ୫୬ଲକ୍ଷ ଟଙ୍କାର ଜୀବନବୀମା, ଦେଢ଼ କେଜି ସୁନା ।  ଏହା ବ୍ୟତୀତ ତାଙ୍କ ଘରୁ ନଗଦ ୧୨ ଲକ୍ଷ ଟଙ୍କା ଓ ତାଙ୍କ ଶଳାଙ୍କ ଘରୁ ୧୩ ଲକ୍ଷ ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।

ବ୍ୟାଙ୍କ୍‌ ଓ ଲକରରେ ଥିବା ସମ୍ପତ୍ତି ଆକଳନ କରିପାରିନି ଭିଜିଲାନ୍ସ । ଆସନ୍ତାକାଲି ତାଙ୍କ ସମ୍ପତ୍ତି ଯାଞ୍ଚ କରାଯିବ ବୋଲି ଭିଜିଲାନ୍ସ ଏସ୍‌ପି ସୂଚନା ଦେଇଥିଲେ । ସବୁଠାରୁ ବଡ଼ କଥା ହେଲା ସେ ତାଙ୍କ ସମ୍ପର୍କୀୟଙ୍କ ନାଁରେ କୋଟି କୋଟି ଟଙ୍କା ସମ୍ପତ୍ତି ରଖିଥିବା ଜଣାପଡିଛି । ସେ କରୋନା ମହାମାରୀ ସମୟରେ ୨ ଥର ବିଦେଶ ଗସ୍ତ କରିଥିବାର ପ୍ରମାଣ ମିଳିଛି । ଏଥିସହ ତାଙ୍କ ଘରୁ ବିଡା ବିଡା ବିଦେଶୀ ନୋଟ୍‌ ମଧ୍ୟ ଠାବ କରାଯାଇଛି ।

ଗତ କିଛି ମାସ ତଳେ ଏସ୍‌ଏସ୍‌ସି ମାଧ୍ୟମରେ ଚାକିରି ବିଜ୍ଞାପନ ବାହାରିଥିଲା । ବିରଞ୍ଚି ନାରାୟଣ ସାହୁ ଓ ତାଙ୍କର କିଛି ଖାସ୍‌ ସହଯୋଗୀ ଲକ୍ଷ ଲକ୍ଷ ଟଙ୍କାରେ ଡିଲ୍‌ କରୁଥିଲେ। ହେଲେ ଭିଜିଲାନ୍ସ ଏମାନଙ୍କୁ ଧରିବା ପୂର୍ବରୁ ଖସି ଯାଇଥିଲେ । ସେବେଠାରୁ ଭିଜିଲାନ୍ସ ତାଙ୍କ ଉପରେ ନଜର ରଖିଥିଲା । ଶୁକ୍ରବାର ସକାଳେ ଭିଜିଲାନ୍ସ ଚଢ଼ାଉ କରିଥିଲା । ହେଲେ ଏତେ ଟଙ୍କା ଓ ସମ୍ପତ୍ତି କେଉଁଠୁ ଆସିଲା ସେ ନେଇ ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.