ପୃଥ୍ବୀ ଶ’ ଙ୍କ ଧୂଆଁଧାର ୧୮୫ ରନର ଇନିଂସ୍, ଭାଙ୍ଗିଲେ ଧୋନୀ ଓ କୋହଲିଙ୍କ ଏହି ପୁରୁଣା ରେକର୍ଡ

Published By : Prameya-News7 Bureau | March 09, 2021 IST

ନୂଆଦିଲ୍ଲୀ ୦୯/୦୩ : ବିଜୟ ହଜାରେ ଟ୍ରଫିରେ ଚମକିଛି ମୁମ୍ବାଇ ଟିମ୍‌ର ଅଧିନାୟକ ପୃଥ୍ବୀ ଶ’ଙ୍କ ବ୍ୟାଟ୍‌ । ମଙ୍ଗଳବାର ସୌରାଷ୍ଟ୍ର ବିରୁଦ୍ଧରେ ଖେଳାଯାଇଥିବା ଚତୁର୍ଥ କ୍ବାର୍ଟର ଫାଇନାଲ ମ୍ୟାଚରେ ୧୮୫ ରନର ବିଶାଳ ଇନିଂସ ଖେଳିଛନ୍ତି ପୃଥ୍ବୀ । ଏହା ସହିତ ମୁମ୍ବାଇ ସହଜ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ସୌରାଷ୍ଟ୍ର ନିର୍ଦ୍ଧାରିତ ୫୦ ଓଭରରେ ୨୮୪ ରନ କରିଥିଲା । ଜବାବରେ ମୁମ୍ବାଇ ୪୧.୫ ଓଭରରେ ମାତ୍ର ଗୋଟିଏ ଓ୍ବିକେଟ୍ ହରାଇ ୨୮୫ ରନ କରିବା ସହିତ ସେମିଫାଇନାଲରେ ପ୍ରବେଶ କରିଛି । ୟ

ପୃଥ୍ବୀ ଶ’ ଙ୍କ ଅପରାଜିତ ୧୮୫ ରନର ଧୂଆଁଧାର ଇନିଂସ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହା ସହିତ ସେ ମହେନ୍ଦ୍ର ସିଂହ ଧୋନୀ ଏବଂ ବିରାଟ କୋହଲିଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ଲିଷ୍ଟ-ଏ କ୍ରିକେଟରେ ଲକ୍ଷ୍ୟ ପିଛାକରି ସବୁଠାରୁ ଅଧିକ ରନ କରିବାର ରେକର୍ଡ ଏବେ ପୃଥ୍ବୀ ଶ’ଙ୍କ ନାଁରେ ହୋଇଯାଇଛି । ଏହା ପୂର୍ବରୁ ଏହି ରେକର୍ଡ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ଏମ୍‌ଏସ୍‌ ଧୋନୀଙ୍କ ନାଁରେ ଥିଲା । ୨୦୦୫ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଲକ୍ଷ୍ୟକୁ ପିଛା କରି ଅପରାଜିତ ୧୮୩ ରନର ଇନିଂସ ଖେଳିଥିଲେ ଧୋନୀ ।

ସେହିଭଳି ୨୦୧୨ ମସିହା​‌ରେ ପାକିସ୍ତାନ ବିପକ୍ଷରେ, ଲକ୍ଷ୍ୟକୁ ପିଛା କରିବାକୁ ଯାଇ ବିରାଟ କୋହଲି ୧୮୩ ରନ କରିଥିଲେ । ପୃଥ୍ବୀ ଶ’ ଏବେ ଏହି ୨ ମହାନ କ୍ରିକେଟରଙ୍କୁ ପଛରେ ପକାଇଦେଇଛନ୍ତି । ପୃଥ୍ବୀ ମାତ୍ର ୧୨୩ ବଲ ଖେଳି ୨୧ ଚୌକା ଏବଂ ୭ ଛକା ସହାୟତାରେ ଅପରାଜିତ ୧୮୫ ରନ କରିଛନ୍ତି । ପୃଥ୍ବୀଙ୍କ ସହିତ ବ୍ୟାଟିଂ ଆସିଥିବା ଅନ୍ୟତମ ଓପନର ଯଶସ୍ବୀ ଜୟସ୍ବାଲ ୭୫ ରନ କରି ଆଉଟ ହୋଇଥିଲେ । ପୃଥ୍ବୀ ଶ’ ଏବଂ ଜୟସ୍ବାଲ ପ୍ରଥମ ଓ୍ବିକେଟ୍ ପାର୍ଟନରସିପ୍‌ରେ ୨୩୮ ରନ କରିଥିଲେ । ଆଦିତ୍ୟ ତାରେ ୨୦ ରନ୍‌ କରି ନଟ୍‌ଆଉଟ୍ ଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.