ରାଷ୍ଟ୍ରପତିଙ୍କ ଦରମାରେ ଲାଗୁଛି ମୋଟା ଅଙ୍କର ଟିକସ: କିନ୍ତୁ କେଉଁ ବାଟରେ କେତେ କେତେ ଟ୍ୟାକ୍ସ ? ନେଟିଜେନ୍ସଙ୍କ ପ୍ରଶ୍ନ ବେଶୀ

Published By : Prameya-News7 Bureau | June 28, 2021 IST

କାନପୁର ୨୮/୬: ଦେଶର ରାଷ୍ଟ୍ରପତି ଏବଂ  ପ୍ରଥମ ନାଗରିକ ରାମନାଥ କୋବିନ୍ଦଙ୍କ ଦରମା କେତେ ? ଭାରତର ରାଷ୍ଟ୍ରପତିଙ୍କୁ ସବୁ ପ୍ରକାର ସୁବିଧା ମିଳୁଥିବା ବେଳେ ସେ ନିଜର ଦରମା କଣ କରୁଛନ୍ତି ?  ଏମିତି ଅନେକ ପ୍ରଶ୍ନ ସାଧାରଣ ଲୋକର ମନକୁ ଆସୁଥିବା ନିଶ୍ଚୟ। ଏହାର ଜବାବ ମଧ୍ୟ ଖୋଦ ରାଷ୍ଟ୍ରପତି ହିଁ ଦେଇଥିଲେ । ଏବେ ରାଷ୍ଟ୍ରପତିଙ୍କ ଏହି ଜବାବକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।

ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ କାନପୁରର ଏକ କାର୍ଯ୍ୟକ୍ରମରେ ତାଙ୍କୁ ମିଳୁଥିବା ଦରମା ଏବଂ ତା ଉପରେ କଟୁଥିବା ଟିକସ୍‌ ଉପରେ ଚର୍ଚ୍ଚା କରିଥିଲେ। ଏବେ ଏହା ସୋସିଆଲ୍‌ ମିଡିଆରେ ହଟ୍ ଟପିକ୍‌ରେ ସାମିଲ ମଧ୍ୟ ହୋଇଯାଇଛି। ପ୍ରକୃତରେ ରାଷ୍ଟ୍ରପତି ଏମିତି କଥା କହିଥିଲେ ଯେ ଲୋକେ ବିଶ୍ବାସ କରିପାରୁନାହାନ୍ତି ଏବଂ ୟୁଜର ଖୁବ୍‌ କମେଣ୍ଟ କରୁଛନ୍ତି। ନିଜ ଦରମାରେ ମୋଟା ଅଙ୍କର ଟ୍ୟାକ୍ସ କଟୁଥିବା ବେଳେ ଇନହ୍ୟାଣ୍ଡ ସାଲାରିର ତୁଳନା ଜଣେ ଶିକ୍ଷକଙ୍କ ଦରମା ସହ କରିଥିଲେ ରାଷ୍ଟ୍ରପତି। ରାଷ୍ଟ୍ରପତି କହିଥିଲେ, ତାଙ୍କୁ ମିଳୁଥିବା ୫ ଲକ୍ଷ ଦରମାରୁ ୨.୭୫ ଲକ୍ଷ ଟଙ୍କା ଟ୍ୟାକ୍ସ ଆକାରରେ କଟିଯାଉଛି।

ଏବେ ସୋସିଆଲ ମିଡିଆରେ ଲୋକେ ପଚାରୁଛନ୍ତି, ରାଷ୍ଟ୍ରପତିଙ୍କ ଦରମାରେ ଟ୍ୟାକ୍ସ କେବେଠୁ ଲାଗୁଛି ? ନିୟମ କାନୁନ୍‌ ସମ୍ପର୍କରେ ଲେଖି ରାଷ୍ଟ୍ରପତିଙ୍କ ଦରମା ଟିକସ୍‌ ମୁକ୍ତ ବୋଲି ଲୋକେ କହୁଛନ୍ତି। କେହି କେହି ଲେଖୁଛନ୍ତି, ଅଳ୍ପ ସମୟ ପାଇଁ ଟ୍ୟାକ୍ସ କଟୁଛି ବୋଲି ଯଦି ଧରିନିଆଯାଏ ତେବେ ବର୍ତ୍ତମାନର ଟ୍ୟାକ୍ସ ସ୍ଲାବ୍‌ ଅନୁସାରେ ରାଷ୍ଟ୍ରପତିଙ୍କ ଦରମା ଉପରେ ଏତେ ଟିକସ୍‌ ଲାଗିବନି ଯେତିକି ସେ ଦାବି କରିଛନ୍ତି। ଅନ୍ୟ କିଛି ୟୁଜରଙ୍କ ମତରେ ରାଷ୍ଟ୍ରପତିଙ୍କୁ ମିଳୁଥିବା ସୁବିଧା ଶିକ୍ଷକଙ୍କୁ ମିଳୁନାହିଁ ।

ସେ ସବୁ ଛାଡ଼ନ୍ତୁ ଏବେ ଆପଣଙ୍କୁ କହିବାକୁ ଯାଉଛୁ  ସତ କଣ ? ପ୍ରକୃତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦରମାରୁ ୩୦ ପ୍ରତିଶତ କଟିଯାଉଛି। କିନ୍ତୁ ଏହା ଟିକସ୍ ପାଇଁ ନୁହେଁ ବରଂ ଖୋଦ ରାଷ୍ଟ୍ରପତି ଏହି ରାଶି ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏନେଇ ଗତବର୍ଷ ମେ ମାସରେ ରାଷ୍ଟ୍ରପତି ନିଷ୍ପତ୍ତି ନେଇଥିଲେ। ୧୪ ମେ’ରେ ରାଷ୍ଟ୍ରପତି ଭବନ ପକ୍ଷରୁ ଗତବର୍ଷ କୁହାଯାଇଥିଲା, କରୋନା ସଙ୍କଟକୁ ନଜରରେ ରଖି ରାଷ୍ଟ୍ରପତି ଗୋଟିଏ ବର୍ଷ ନିଜ ଦରମାର ୩୦ ପ୍ରତିଶତ ଦାନ କରିବେ। ଏହା ସହ ରାଷ୍ଟ୍ରପତି ଭବନରେ ଖର୍ଚ୍ଚ କାଟ କରିବାକୁ ନେଇ ମଧ୍ୟ କୁହାଯାଇଥିଲା। ସେଥିପାଇଁ ଗତ ବର୍ଷେ ହେଲା ରାଷ୍ଟ୍ରପତିଙ୍କ ଦରମାର ୩୦ ପ୍ରତିଶତ କଟୁଛି । ଏହାକୁ ରାଷ୍ଟ୍ରପତି ଟିକସ ବୋଲି କହିଦେବାରୁ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.