ଗଣତନ୍ତ୍ରରେ ବିରୋଧ ଦେଶଦ୍ରୋହ ନୁହେଁ: ଜଷ୍ଟିସ ଦୀପକ ଗୁପ୍ତା

Published By : Prameya-News7 Bureau | February 24, 2020 IST

ନୂଆଦିଲ୍ଲୀ ୨୪।୨:ଗଣତାନ୍ତ୍ରିକ ଦେଶରେ ବିରୋଧକୁ ଦେଶଦ୍ରୋହ ବୋଲି କୁହାଯାଇପାରିବନି। ଏହା କହିଛନ୍ତି ସୁପ୍ରିମକୋର୍ଟ  ଜଷ୍ଟିସ ଦୀପକ ଗୁପ୍ତା। ସୁପ୍ରିମକୋର୍ଟ ବାର ଆସୋସିଏସନ ପକ୍ଷରୁ ଆୟୋଜିତ 'ଲୋକତନ୍ତ୍ର ଓ ବିରୋଧ' ଶୀର୍ଷକ ବ୍ୟାଖ୍ୟାନକୁ ସମ୍ବୋଧିତ କରି ଜଷ୍ଟିସ୍ ଗୁପ୍ତା ଲୋକତନ୍ତ୍ରରେ ବିରୋଧ ଲାଗି ସ୍ୱାଧୀନତା ଜରୁରି ବୋଲି କହି ଗୁପ୍ତା କହିଥିବା ବେଳେ ଏହାର ପ୍ରୋତ୍ସାନ ଉପରେ ଗୁରୁତ୍ୱ ଦେଇଛନ୍ତି।

ତେବେ ଜଷ୍ଟିସ ଗୁପ୍ତା ଆଲୋଚନା ମାଧ୍ୟମରେ ଦେଶକୁ ଠିକ୍ ଢଙ୍ଗରେ ଚଳାଯାଇପାରିବ ବୋଲି କହିଛନ୍ତି। ତେବେ ସଂଖ୍ୟାମତ ଗଣତନ୍ତ୍ର ଲାଗି ବିପଦ ବୋଲି ଜଷ୍ଟିସ୍ କହିଥିବା ବେଳେ ସଂଖ୍ୟାମତରେ ହେଉଥିବା ନିଷ୍ପତ୍ତି ସବୁବେଳେ ସଠିକ ତାହା କୁହାଯାଇପାରିବନି ବୋଲି କହିଛନ୍ତି। ଦେଶରେ କୌଣସି ପାର୍ଟିକୁ ୫୧ ପ୍ରତିଶତ ନାଗରିକଙ୍କ ସମର୍ଥନ ରହିଛି, ହେଲେ ଏହାର ଅର୍ଥ ନୁହେଁ ବାକି ୪୯ ପ୍ରତିଶତ ଲୋକେ ୫ ବର୍ଷ ପର୍ଯ୍ୟନ୍ତ ମୁହଁ ବନ୍ଦ କରି ରହିବେ। ଲୋକ ତନ୍ତ୍ର ଶତ ପ୍ରତିଶତଙ୍କ ଲାଗି ଓ ସରକାର ସମସ୍ତଙ୍କର ବୋଲି ଜଷ୍ଟିସ ଗୁପ୍ତା କହିଛନ୍ତି। ତେବେ ଯେଉଁ ପର୍ଯ୍ୟନ୍ତ କେହି ଆଇନ ଉଲ୍ଲଂଘନ କରି ନାହିଁ ସେ ପର୍ଯ୍ୟନ୍ତ ଗଣତନ୍ତ୍ରରେ ତାର ସମସ୍ତ ଅଧିକାର ସଂରକ୍ଷିତ ରହିଥିବା କହିଛନ୍ତି ଗୁପ୍ତା।

ବ୍ୟାଖ୍ୟାନ ଅବସରରେ ଜଷ୍ଟିସ ଗୁପ୍ତା ଶ୍ରେୟା ସିଂଘର ମାମଲାର ଉଦାହରଣ ଦେଇଥିଲେ। କହିଥିଲେ ଯଦି ଆମେ ବିରୋଧକୁ ଦବାଇ ଦେବା ତେବେ ତାହା ଅଭିବ୍ୟକ୍ତିର ସ୍ୱାତନ୍ତ୍ରତା ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ଏଣୁ ନାଗରିକମାନେ ଏକତ୍ର ହୋଇ ଯେ କୌଣସି ପ୍ରସଙ୍ଗକୁ ବିରୋଧ କରିପାରିବେ, ହେଲେ ଶାନ୍ତିପୂର୍ଣ୍ଣ ଉପାୟରେ ବୋଲି ଜଷ୍ଟିସ ଗୁପ୍ତା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.