ସମ୍ପତ୍ତି ହଡ଼ପ ବିରୋଧରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ : ବିକ୍ଷୋଭକାରୀଙ୍କୁ BMCର ନାଲିଆଖି, ମାମଲା ରୁଜ୍ଜୁ କଲା ପୋଲିସ

Published By : Prameya-News7 Bureau | July 04, 2020 IST

ଭୁବନେଶ୍ୱର ୦୪।୦୭: ଉତ୍କଳ ଗ୍ୟାଲେରିଆ ବିରୋଧରେ ଯଦି କିଏ କହୁଛି, ବିଏମ୍‌ସି ଛାତିରେ ଛୁରି ଭୁସି ହୋଇଯାଇଛି। ଉତ୍କଳକୁ ସୁରକ୍ଷା ଦେବା ପାଇଁ ଲଢେଇ କରିବାକୁ ବିଏମ୍‌ସି ଲଙ୍ଗଳା ହୋଇ ରାସ୍ତାକୁ ଓହ୍ଲାଇ ଆସୁଛି। ବିଏମ୍‌ସି ଜରିଆରେ ଉତ୍କଳ ଗ୍ୟାଲେରିଆ ମାଡି ବସିଥିବା ୨୦କୋଟିର ସମ୍ପତ୍ତି ହଡ଼ପ ବିରୋଧରେ ଶୁକ୍ରବାର ବିଜେପି ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିଥିଲା। ସାମାଜିକ ଦୂରତା ବି ଥିଲା । କିନ୍ତୁ ବିଏମସି ବିଜେପିକୁ ନାଲିଆଖି ଦେଖାଇବାକୁ ଥାନାରେ ଏତଲା ଦେଇଛି। ବିଏ୍‌ମସି ଏତଲା ଦେବା ମାତ୍ରେ ପୁଲିସ ମାମଲା ରୁଜୁ କରି ଦେଇଛି ।

ବଡ଼ଗଡ଼ ଥାନାରେ ଏ ନେଇ ୧୯୨/୨୦ରେ ମାମଲା ରୁଜୁ ହୋଇଛି । ବିକ୍ଷୋଭକାରୀଙ୍କ ବିରୋଧରେ ୨୬୯(ଜୀବନ ପ୍ରତି ବିପଦପୂର୍ଣ୍ଣ ରୋଗ ଓ ସଂକ୍ରମଣର ସମ୍ଭାବନା ସୃଷ୍ଟି କରୁଥିବା ଅବହେଳାତ୍ମକ କାର୍ଯ୍ୟ), ୨୭୦(ଜୀବନ ପ୍ରତି ବିପଦପୂର୍ଣ୍ଣ ଓ ରୋଗ ସଂକ୍ରମଣ ସମ୍ଭାବନା କାରକ ଓ ହାନିକାରକ) ଦଫାରେ ମାମଲା ରୁଜୁ ହୋଇଛି। ସେପଟେ ବିଏମ୍‌ସିର ଏଭଳି ଏତଲାକୁ ନେଇ ବିଜେପି କଡା ପ୍ରତିକ୍ରିୟା ରଖିଛି। ବିଜେପି ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି, ଆମେ ସାମାଜିକ ଦୂରତା ନିୟମ ରକ୍ଷା କରି ଆନ୍ଦୋଳନକୁ ଓହ୍ଲାଇଥିଲୁ। ଏ କଥା ନୁହେଁ ଯେ, ଆମେ ନିୟମ ଉଲ୍ଲଙ୍ଘନ କରିଛୁ। ଦେଶସାରା ଏଭଳି ଆନ୍ଦୋଳନ ଚାଲିଛି। ଶାସକ ଦଳ ବି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛି। କିନ୍ତୁ ଉତ୍କଳ ଗ୍ୟାଲେରିଆ ମଲ୍‌ର ବେଆଇନ କାମକୁ ପ୍ରଶ୍ରୟ ଦେବାକୁ ବିଏମସି ଆମ ବିରୋଧରେ ଏତଲା ଦେଇଛି। ଏଥିରୁ ବିଏମସି ଓ ମଲ୍‌ ଲିଙ୍କ୍‌ କେତେ ଗଭୀର ତାହା ଜଣାପଡିଯାଉଛି। ବିଏମ୍‌ସି ମଲ୍‌କୁ ବେଆଇନ କାମକୁ ସୁରକ୍ଷା ଦେଇ ଯେଉଁ ନିଆଁକୁ ଅଣ୍ଟିରେ ପୂରାଇଛି ସେ ନିଆଁରେ ନିଜେ ଜଳିବ ବୋଲି ସେ କହିଛନ୍ତି ।

ଗତକାଲି ବିଜେପି ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଉତ୍କଳ ଗ୍ୟାଲେରିଆ ମଲ୍‌ର ଜମି ହଡପ ଓ ମ୍ୟୁଜିୟମ୍‌ ଭଙ୍ଗା ବିରୋଧରେ ପ୍ରତିବାଦ ସଭା ହୋଇଥିଲା। ସାମାଜିକ ଦୂରତା ରକ୍ଷା କରି ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା। ଧଳାର ଗୋଲେଇ ଟାଣି ଏହା ଭିତରେ ଛିଡା ହୋଇ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା। ଖାଲି ମ୍ୟୁଜିୟମ୍‌ ନୁହେଁ, ଭଞ୍ଜକଳା ମଣ୍ଡପ, ବିଏମ୍‌ସି ପାଚେରୀ, ଫାଟକ, ବିଜେବି କଲେଜ ପାଚେରୀ ଭାଙ୍ଗିବାକୁ ମଧ୍ୟ ଯୋଜନା ହୋଇଛି। ମଲ୍‌ର ସୌନ୍ଦର୍ଯ୍ୟକରଣ ସ୍ଥାନକୁ ସୁରକ୍ଷିତ ରଖି ସରକାର ନିଜ କୋଠାକୁ ଭାଙ୍ଗିବା ଦୁର୍ଭାଗ୍ୟଜନକ ବୋଲି ବିଜେପି ନେତାମାନେ କହିଥିଲେ। ଏ ନେଇ ଦଳ ପକ୍ଷରୁ ବିଏମ୍‌ସି କମିଶନରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ବି ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.