ସ୍ଥାୟୀ ଜମିପଟ୍ଟା ଦାବିରେ ବରଗଡ଼ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
10/12/2018 at 5:05 PM

ବରଗଡ଼ ୧୦|୧୨: ଭୂମି ନାହିଁ ତ ଭୋଟ୍ ନାହିଁ, ସ୍ଥାୟୀ ଜମିପଟ୍ଟା ଆମର ଦାବି, ଏଭଳି ନାରାବାଜି କରି ଆଜି ସ୍ଥାନୀୟ ଜୟ କୋସଲ ଭୂମିହୀନ ସଂଗ୍ରାମ ସମିତି ପକ୍ଷରୁ ବରଗଡ଼ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ବରଗଡ଼ ସହର ସମେତ ଆଖପାଖ ଗ୍ରାମର ହଜାର ହଜାର ଭୂମିହୀନ ମହିଳା ଓ ପୁରୁଷ ନିଜ ପିଲା ଛୁଆଙ୍କୁ ଧରି ସ୍ଥାନୀୟ ଗଣେଶରାମ ଭବନଠାରେ ଏକାଠି ହୋଇଥିଲେ। ସ୍ଥାୟୀ ଜମିପଟ୍ଟା ଦାବିନେଇ ହାତରେ ବିଭିନ୍ନ ପ୍ଲାକାର୍ଡ଼ ଧରି ସେଠାରୁ ଏକ ବିଶାଳ ରାଲିରେ ଜିଲ୍ଲାପାଳ ଅଫିସ ଅଭିମୁଖେ ଆସିଥିଲେ। ସେମାନେ ପହଞ୍ଚିବା ପୂର୍ବରୁ ପୋଲିସ ଜିଲ୍ଲାପାଳ ଅଫିସ ମୁଖ୍ୟଫାଟକ ବନ୍ଦ କରି ଦେଇଥିଲା। ଫଳରେ ଭୂମିହୀନମାନେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜୟ କୋସଲ ଭୂମିହୀନ ସଂଗ୍ରାମ ସମିତିର ରମେଶ ମହାପାତ୍ର, ଭବାନୀ ପ୍ରସାଦ ସାହୁ, ଅମିତାଭ ପାତ୍ର, ପବିତ୍ର ଦେହେରୀ ପ୍ରମୁଖ ଏହାର ନେତୃତ୍ବ ନେଉଥିବାବେଳେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ ସେଠାକୁ ପହଞ୍ଚିଉଦବୋଧନ ଦେଇଥିଲେ। ସେହିପରି ସ୍ଥାନୀୟ ବୀର ବୀର୍ସାମୁଣ୍ଡା ସଂଘର୍ଷ ବାହିନୀ, ଡକ୍ଟର ଆମ୍ବେଦକର ଚାରିଟେବୁଲ ଟ୍ରଷ୍ଟ ସମେତ ବିଭିନ୍ନ ଦଳିତ ଓ ଭିନ୍ନକ୍ଷମ ସଂଗଠନ ଏଥିରେ ସାମିଲ ହୋଇଛନ୍ତି।