ପ୍ରଧାନମନ୍ତ୍ରୀ ଆବାସ ତାଲିକାରୁ ଯୋଗ୍ୟ ହିତାଧିକାରୀଙ୍କୁ ବାଦ, ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ନେଇ ପଞ୍ଚାୟତବାସୀଙ୍କ ଚେତାବନୀ

Published By : Prameya-News7 Bureau | July 25, 2021 IST

ଭୋଗରାଇ, ୨୫/୦୭: ୨୦୨୨ ସୁଦ୍ଧା କଚା ଘରେ ବସ ବାସ କରୁଥିବା ସମସ୍ତ ପରିବାରକୁ ପକ୍କା ଘର ଯୋଗାଇ ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି । ଏଥି ପାଇଁ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକରେ ବହୁ ହିତାଧିକାରୀଙ୍କ ତାଲିକା ସଦ୍ୟ ପ୍ରକାଶିତ ହୋଇଛି । ମାତ୍ର ଏହି ତାଲିକାରେ ବହୁ ଯୋଗ୍ୟ ହିତାଧିକାରୀ ବାଦ ଥିବା ଜଣାପଡିଛି । ଏହି ବ୍ଲକର ନିମାତପୁର ପଂଚାୟତର ବହୁ ଗରିବ ପରିବାର  ଏହାର ପ୍ରତିବାଦ କରିଛନ୍ତି । ଯଥାଶୀଘ୍ର ଉକ୍ତ ପରିବାରକୁ ତାଲିକାରେ ସାମିଲ କରାନଗଲେ ଭୋଗରାଇ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି ସେମାନେ ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ।

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ନିମାତପୁର ପଂଚାୟତରେ ବହୁ ଅନୁସୂଚିତ ଜାତି ଓ ଜନ ଜାତି ସମ୍ପ୍ରଦାୟର ପରିବାର ସବୁ ବସବାସ କରନ୍ତି । ଏବେବି ବହୁ ପରିବାର ପଲିଥିନ ତଳେ ଓ ଝାଟିମାଟି କୁଡ଼ିଆ ଘରେ ବସ ବାସ କରନ୍ତି । ଘରଟିଏ ପାଇଁ ପଂଚାୟତ ଓ ବ୍ଲକ କାର୍ଯ୍ୟାଳୟ ଦୌଡି ଦୌଡି ନୟାନ୍ତ ହେଉଥିଲେ ମଧ୍ୟ ବାରମ୍ବାର ତାଲିକାରୁ ସେମାନଂକୁ ବାଦ ଦିଆଯାଉଛି । ଘରଟିଏ ପାଇଁ ପଂଚାୟତରୁ ବହୁ ଲୋକ ଆବେଦନ କରିଥିଲେ । ସର୍ଭେ କରିବାପାଇଁ ଏକ ଟିମ ମଧ୍ୟ ଆସି ଘରକୁ ଘର ବୁଲି ଦେଖିଥିଲେ । ମାତ୍ର ଗରିବଙ୍କ କଥା ଶୁଣୁଛି ବା କିଏ ?

ପ୍ରଥମ ତାଲିକାରେ ୨୨୭ ଜଣ ହିତାଧିକାରୀଙ୍କ ନାମ ପଞ୍ଜିକୃତ ହୋଇଥିଲା । ପୁଣି ଦ୍ୱିତୀୟ ତାଲିକାରେ ୬୯ ଜଣ ହିତାଧିକାରୀ ସେଥିରୁ ବାଦ ପଡିଥିଲେ । ମାତ୍ର ଏବେ ୯୭ ଜଣ ହିତାଧିକାରୀଙ୍କ ନାମ ଉକ୍ତ ତାଲିକାରେ ରହିଛି । ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଯେଉଁମାନେ ପୂର୍ବରୁ ଘର ପାଇଥିଲେ ସେମାନେ ମଧ୍ୟ ଏହି ତାଲିକାରେ ଅଛନ୍ତି । ପ୍ରାୟ ୨୦ଜଣଙ୍କ ନାମ ମଧ୍ୟ ଅଛି । ଫଳରେ ବାଦ ପଡ଼ିଥିବା ହିତାଧିକାରୀ ମାନଙ୍କୁ ଏହି ତାଲିକାରେ ଅନ୍ତର୍ଭୁକ୍ତ କରାନଗଲେ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ କରିବେ ବୋଲି ଗ୍ରାମବାସୀ ଗଣମାଧ୍ୟମକୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.