କୃଷି ଆଇନ ବିରୋଧରେ ଅକାଳୀ ଦଳର ଆନ୍ଦୋଳନ ତୀବ୍ର, ସୁଖବୀର୍ ସିଂହ ବାଦଲ ଓ ହରସିମରତ୍ କୌରଙ୍କୁ ଉଠାଇନେଲା ପୋଲିସ

Published By : Prameya-News7 Bureau | September 17, 2021 IST

ନୂଆଦିଲ୍ଲୀ ୧୭/୦୯ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୁଦ୍ଧରେ ଶିରୋମଣି ଅକାଳୀ ଦଳ (SAD) କର୍ମୀମାନେ ଆଜି ଦିଲ୍ଲୀ ବିରୋଧ ପ୍ରଦର୍ଶନ କରିଛନ୍ତି । ଗୁରୁଦ୍ବାରରୁ ସଂସଦ ଭବନ ଯାଏଁ ମାର୍ଚ୍ଚ କରିବାକୁ ଆହ୍ବାନ ଦେଇଥିଲେ ଅକାଳୀ ଦଳ ଅଧ୍ୟକ୍ଷ ସୁଖବୀର ସିଂହ ବାଦଲ । ଚାଷୀ ବିରୋଧୀ ଆଇନ ନାରା ଦେଇ ଚାଷୀମାନେ ଆଗକୁ ବଢିଥିଲେ । ପ୍ରଦର୍ଶନ ବେଳେ ଶିରୋମଣି ଅକାଳୀ ଦଳ ଅଧ୍ୟକ୍ଷ ସୁଖବୀର ସିଂହ ବାଦଲଙ୍କ ସମେତ ଦଳର ଅନ୍ୟ ନେତାମାନଙ୍କୁ ଉଠାଇ ନେଇଛି ପୋଲିସ । ସଂସଦ ମାର୍ଗ୍‌ ପୋଲିସ ସେମାନଙ୍କୁ ଉଠାଇ ନେଇଥିବା ଜଣାପଡିଛି ।

ଶିରୋମଣି ଅକାଳି ଦଳର ମୋଟ ୧୧ ଜଣଙ୍କୁ ଉଠାଇ ନେଇଛି ପୋଲିସ । ସେମାନଙ୍କ ମଧ୍ୟରେ ସୁଖବୀର ସିଂହ ବାଦଲଙ୍କ ସମେତ ହରସିମରତ୍‌ କୌର ମଧ୍ୟ ରହିଛନ୍ତି । ବିରୋଧ ପ୍ରଦର୍ଶନ ବେଳେ ଅକାଳି ଦଳ ଅଧ୍ୟକ୍ଷ ସୁଖବୀର ସିଂହ ବାଦଲ କହିଛନ୍ତି, ‘ଆମେ ଏଠାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ସନ୍ଦେଶ ଦେବାକୁ ଆସିଛୁ ଯେ, ପୁରା ଦେଶ ବିଜେପି ସରକାରକୁ ବିରୋଧ କରୁଛି ।’

ହରସିମରତ କୌର ବାଦଲ କହିଛନ୍ତି, ‘ସବ୍‌କା ସାଥ୍‌ ସବ୍‌କା ବିକାଶର ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଏ ସରକାର ସାରା ଦେଶର ଚାଷୀଙ୍କ ସହିତ ବିଶ୍ବାସଘାତକତା କରିଛି । ସ୍ବାଧୀନତା ପାଇବା ପରେ ଚାଷୀମାନେ ଦେଶ ବିକାଶର କର୍ଣ୍ଣଧାର ସାଜିଛନ୍ତି, ଦେଶର ହିତ ପାଇଁ କାମ କରୁଛନ୍ତି । କିନ୍ତୁ ଦୁର୍ଭାଗ୍ୟବଶତଃ ଏବେ ଚାଷୀମାନେ ସୀମାରେ ବସିଛନ୍ତି । କେତେ ଯେ ଚାଷୀ ସହିଦ ହୋଇଛନ୍ତି କିନ୍ତୁ ତଥାପି ସରକାର କାନ ବନ୍ଦ କରିଦେଇଛନ୍ତି । ଆଜି ଦେଶର ଯୁବକମାନେ ଏକାଠି ହୋଇଛନ୍ତି ଏବଂ ଜୋସ୍‌ ଦେଖାଇଛନ୍ତି । ଏ ଆନ୍ଦୋଳନ ଜାରି ରହିବ ।’

ବିରୋଧ ପ୍ରଦର୍ଶନ ବେଳେ ଅନେକ ନେତାଙ୍କୁ ପୋଲିସ ଉଠାଇ ନେଇଛି । ଝାରୋଡା ସୀମାରେ ଯାତାୟତ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । ଦିଲ୍ଲୀର ଗଂଜ ରୋଡ୍‌, ଆର୍‌ଏମ୍‌ଏଲ୍‌ ହସ୍ପିଟାଲ, ଜିପିଓ, ଅଶୋକ ରୋଡ୍‌, ବାବା ଖଗଡ ସିଂହ ମାର୍ଗରେ ଚାଷୀଙ୍କ ଭିଡକୁ ଦୃଷ୍ଟରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଯେଭଳି ଭାବେ ନଉପୁଜେ ସେ ନେଇ ପୋଲିସ ସତର୍କ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.