ପାରାଦୀପ ତୈଳ ବିଶୋଧନାଗାରରୁ ପ୍ରଥମ ଥର ପାଇଁ ଉତ୍ପାଦିତ ହୋଇଛି ପ୍ରୋପିଲିନ୍ ଗ୍ୟାସ୍
25/08/2018 at 4:50 AM

ପାରାଦୀପ ତୈଳ ବିଶୋଧନାଗାର ରୁ ପ୍ରଥମ ଥର ପାଇଁ ଉତ୍ପାଦିତ ହୋଇଛି ପ୍ରୋପିଲିନ୍ ଗ୍ୟାସ୍ | ଯାହାକି ପ୍ରଥମ ଥର ପାଇଁ ଟ୍ୟାଙ୍କର ଯୋଗେ ଗୁଜରାଟର ବରୋଦା ପ୍ଲାଣ୍ଟ୍ କୁ ପଠା ଯାଇଛି। ଏନେଇ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ବିଶୋଧନାଗାର ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଗୌରୀ ଶଙ୍କର ସିଂ। ତେବେ ଏହି ଗ୍ୟାସ୍ ମୁଖ୍ୟତଃ ପଲି ପ୍ରୋପିଲିନ୍ ୟୁନିଟ ରେ ବ୍ୟବହୃତ ହେବ ଯେଉଁଥିରୁ ସମସ୍ତ ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାଦିତ ହେବ। ବର୍ତ୍ତମାନ ଏହି ଗ୍ୟାସ୍ ପାରାଦୀପ ତୈଳ ବିଶୋଧନାଗାର ରେ ଦୈନିକ ପ୍ରାୟ ୩୦୦ ମେଟ୍ରିକ୍ ଟନ୍ ଉତ୍ପାଦିତ ହେଉଛି। ଏବଂ ପ୍ରାୟ ୪ହଜାର ମେଟ୍ରିକ୍ ଟନ୍ ଗଚ୍ଛିତ ରହିଛି। ତେବେ ଏହା ବ୍ୟବହୃତ ହେଉଥିବା ପଲି ପ୍ରୋପିଲିନ୍ ୟୁନିଟ ପାରାଦୀପ ରେ ମଧ୍ୟ ନିର୍ମିତ ହେଉଛି ଏବଂ ଏହା ବର୍ତ୍ତମାନ ନିର୍ମାଣଧୀନ ଅବସ୍ଥାରେ ରହିଛି। ଆସନ୍ତା ଡ଼ିସେମ୍ବର ମାସ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଲକ୍ଷ ରଖାଯାଇଛି। ଯେହେତୁ ଏହି ଗ୍ୟାସ୍ ର ରାଜ୍ୟ ବାହାରେ ଚାହିଦା ରହିଛି ସେଥିପାଇଁ ଏବେ ଏହାକୁ ବାହାରକୁ ପଠା ଯାଉଛି। କିନ୍ତୁ ପାରାଦୀପ ରେ ଏହି ପଲି ପ୍ରୋପିଲିନ୍ ୟୁନିଟ କାର୍ଯ୍ୟକ୍ଷମ ହେଲେ ପ୍ରଥମେ ପାରାଦୀପ ରେ ବ୍ୟବହୃତ ହେବ ଏବଂ ବଳକା ବାହାରକୁ ପଠାଯିବ ବୋଲି ଜଣାପଡିଛି। ତେବେ ଏହାକୁ ସ୍ବତନ୍ତ୍ର ଟ୍ୟାଙ୍କ ଲରୀ ଯୋଗେ ପରିବହନ କରାଯାଉଛି ଏବଂ ସୁରକ୍ଷା ଓ ନିରାପତ୍ତା ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉଛି ବୋଲି ସୁଚନା ମିଳିଛି।