ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀ : ସୁଜିତ କୁମାର ସବୁଠୁ ଧନୀ, ସୁବାସ ସିଂଙ୍କ ନାମରେ ୧୧ ଅପରାଧିକ ମାମଲା

Published By : Prameya-News7 Bureau | March 11, 2020 IST

ଭୁବନେଶ୍ବର ୧୧।୩: ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିଜେଡିର ୪ ପ୍ରାର୍ଥୀ । ପୂର୍ବାହ୍ନରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସୁବାସ ସିଂହ, ମୁନ୍ନା ଖାଁ, ସୁଜିତ କୁମାର ଏବଂ ମମତା ମହାନ୍ତ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ପ୍ରାର୍ଥୀପତ୍ର ଦାଖଲ ସମୟରେ ବିଜେଡିର ବହୁ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ଥିଲେ । ତେବେ ସୁବାସ ସିଂହଙ୍କ ପାଇଁ ପ୍ରସ୍ତାବକ ରହିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଜେଡିର ୪ ପ୍ରାର୍ଥୀଙ୍କର ସମ୍ପତ୍ତି ତାଲିକା ଅନୁଯାୟୀ ସୁଜିତ କୁମାରଙ୍କ ସମ୍ପତ୍ତି ସବୁଠୁ ବେଶୀ  । ସୁଜିତ କୁମାରଙ୍କ ନାଁରେ ଏକ କୋଟି ୧୦ ଲକ୍ଷ ୯ ହଜାର ୨୩୦ଟଙ୍କାର ସମ୍ପତ୍ତି ରହିଛି । ତାଙ୍କ ସ୍ତ୍ରୀଙ୍କ ନାଁରେ ୨୬ ଲକ୍ଷ ୬୯ ହଜାର ୧୮୦ ଟଙ୍କାର ସମ୍ପତ୍ତି ଅଛି । ଭୁବନେଶ୍ବର ଧଉଳିନଗରରେ ତାଙ୍କ ନାଁରେ ଜମି ରହିଛି । ସୁଜିତ କୁମାରଙ୍କର ସ୍ଥାବର ସମ୍ପତ୍ତିର ମୂଲ୍ୟ ୭୮ ଲକ୍ଷ ୩୦ ହଜାର ରହିଛି । ତାଙ୍କ ସ୍ତ୍ରୀଙ୍କର ୭୪ ଲକ୍ଷ ୪୬ ହଜାର ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି । ସୁଜିତ କୁମାରଙ୍କ ନାଁରେ ମୋଟ୍ ୭୪ ଲକ୍ଷ ୯୪ ହଜାର ୩୮୨ ଟଙ୍କାର ଋଣ ରହିଛି । ୭ଟି କମ୍ପାନୀରେ ସୁଜିତ କୁମାରଙ୍କ  ୫୧ ଲକ୍ଷ ୫୩ ହଜାର ଟଙ୍କା ବିନିଯୋଗ କରିଛନ୍ତି । ସୁଜିତ କୁମାରଙ୍କ ନିକଟରେ ୨୫୦ ଗ୍ରାମ ସୁନା ଥିବା ବେଳେ ତାଙ୍କ ପତ୍ନୀଙ୍କ ନିକଟରେ ୫୨୦ ଗ୍ରାମ ସୁନା ରହିଛି । ଏକ କିଲୋ ଓଜନର ରୂପା ରହିଛି । ତାଙ୍କ ପାଖରେ ଥିବା ୧୨୦ ଗ୍ରାମର ରତ୍ନ ପଥର ମୂଲ୍ୟ ୧.୫ ଲକ୍ଷ ଟଙ୍କା ।

ସେହିଭଳି ସୁବାସ ସିଂହ ସମ୍ପତ୍ତି ମୂଲ୍ୟ ୨୩ ଲକ୍ଷ ୩୭ ହଜାର ୧୮୭ ଟଙ୍କା ରହିଛି । ତାଙ୍କର ୭ ଲକ୍ଷ ୨୫ ହଜାର ଟଙ୍କାର ଘର ରହିଛି । ସୁବାସ ସିଂହଙ୍କର ୧୫୦ ଗ୍ରାମ୍ ସୁନା ଏବଂ ସ୍ତ୍ରୀଙ୍କ ପାଖରେ ୨୯୦ ଗ୍ରାମ୍ ସୁନା ରହିଛି । ତାଙ୍କ ନିକଟରେ ଏକ ହୋଣ୍ଡା ଆକ୍ଟିଭା ଗାଡି ଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ପାଖରେ ମଧ୍ୟ ଏକ ହୋଣ୍ଡା ଆକ୍ଟିଭା ଓ ମାରୁତି ସୁଜୁକି ବ୍ରିଜା ରହିଛି । ସୁବାସଙ୍କ ଶିକ୍ଷାଗତ ଯୋଗ୍ୟତା ହେଲା, ସେ ରାଜନୀତି ବିଜ୍ଞାନରେ ସ୍ନାତ୍ତୋକତର ଶିକ୍ଷା ସହ ଆଇନରେ ବି ଡିଗ୍ରୀ କରିଛନ୍ତି । ଅନ୍ୟପକ୍ଷରେ ସୁବାସ ସିଂହଙ୍କ ନାଁରେ ୧୧ଟି ଅପରାଧିକ ମାମଲା ରହିଥିବା ତାଙ୍କ ପ୍ରାର୍ଥୀ ପତ୍ରରେ ଦର୍ଶାଯାଇଥିବା ତଥ୍ୟରୁ ଜଣାଯାଇଛି ।

ମୁନା ଖାଁଙ୍କର ୩୨ ଲକ୍ଷ ୯୫ ହଜାର ୫୭୬ଟଙ୍କାର ସମ୍ପତ୍ତି ରହିଛି । ତାଙ୍କର ଏକ ହୋଣ୍ଡା ସିଟି ଗାଡି ରହିଛି । ଡାକ ଘରେ ୨ ଲକ୍ଷ ୩୬ ହଜାର ୮୬୬ଟଙ୍କାର ଜମା ରହିଛି । ତାଙ୍କ ନାଁରେ ୧୪ ଲକ୍ଷ ଟଙ୍କାର ଋଣ ରହିଛି । ୨୨ ଲକ୍ଷ ୫୦ ହଜାର ଟଙ୍କାର ଏଲଆଇସି, ୨୪ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ରହିଛି । ମୁନା ଖାଁଙ୍କ ନାଁରେ ୧ କୋଟି ୬୦ ଲକ୍ଷ ୩୯୦ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି । ମୁନା ଖାଁଙ୍କ ପାଖରେ ୫୦୦ ଗ୍ରାମ ସୁନା ଏବଂ ତାଙ୍କ ସ୍ତ୍ରୀଙ୍କ ପାଖରେ ୮୦୦ ଗ୍ରାମ ସୁନା ରହିଛି।

ସେହିପରି ମମତା ମହନ୍ତଙ୍କ ମୋଟ୍ ସମ୍ପତ୍ତି ୨୫ ଲକ୍ଷ ୩ ହଜାର ୯୪୪ ଟଙ୍କା ରହିଛି ବୋଲି ସେ ଦର୍ଶାଇଛନ୍ତି । ତାଙ୍କ ନାଁରେ ୮ ଲକ୍ଷ ୨୨ ହଜାର ୭ ଟଙ୍କାର ସମ୍ପତ୍ତି ରହିଛି । ତାଙ୍କ ସ୍ବାମୀଙ୍କ ନାଁରେ ୧୬ ଲକ୍ଷ ୮୧ ହଜାର ୯୩୭ ଟଙ୍କାର ସମ୍ପତ୍ତି ରହିଛି । ମମତାଙ୍କ ନିକଟରେ ନଗଦ ୩୦ ହଜାର ଟଙ୍କା ଥିବାବେଳେ ତାଙ୍କ ସ୍ବାମୀଙ୍କ ନିକଟରେ ଲକ୍ଷେ ଟଙ୍କା ରହିଛି । ତାଙ୍କର ୯ ହଜାର ୪୬୯ ଟଙ୍କାର ଫିକ୍ସଡ ଡିପୋଜିଟ୍ ରହିଛି । ତାଙ୍କ ସ୍ବାମୀଙ୍କ ନିକଟରେ ୧୧ ହଜାର ଟଙ୍କାର ସ୍ଥାୟୀ ଜମା ରହିଛି । ମମତାଙ୍କର ୬ ଲକ୍ଷ ୬୧ ହଜାର ୫ଶହ ଟଙ୍କା ମୂଲ୍ୟର ଜମି ରହିଛି । ତାଙ୍କର ୧୫୦ ଗ୍ରାମ୍ ଓଜନର ସୁନା ଏବଂ ୩ଶହ ଗ୍ରାମ ରୂପା ଅଳଙ୍କାର ରହିଛି । ସ୍ବାମୀଙ୍କ ପାଖରେ ୧୦୦ ଗ୍ରାମ ସୁନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.