ମୁଖ୍ୟମନ୍ତ୍ରୀ ସବୁଠୁ ଧନୀ, ତଥାପି ଭଉଣୀଙ୍କଠାରୁ ଧାର ୧୫ଲକ୍ଷ : ମନ୍ତ୍ରୀଙ୍କ ଭିତରେ ନବ ସବୁଠୁ ଧନୀ, ତୁଷାରକାନ୍ତି ଗରିବ

Published By : Prameya-News7 Bureau | February 12, 2020 IST

ଭୁବନେଶ୍ବର ୧୨।୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ନିଜ ସମ୍ପତ୍ତି ତାଲିକା ଜାରି କରିଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷର ସମ୍ପତ୍ତି ତାଲିକାରେ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ମିଶାଇଲେ ନବୀନ ସବୁଠାରୁ ଧନୀ ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସମ୍ପତ୍ତି ତାଲିକା ଜାରି କରାଯାଇଛି । କିଛି ମନ୍ତ୍ରୀ ୨୦୧୯ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ନିଜର ସମ୍ପତ୍ତି ବିବରଣୀ ଦେଇଥିବା ବେଳେ ଅନ୍ୟ କିଛି ଜୁଲାଇ ପର୍ଯ୍ୟନ୍ତ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ୬୩.୬୪ କୋଟି ଟଙ୍କା ରହିଛି । ଫରିଦାବାଦ ନିକଟରେ ୧୦.୭୫କୋଟି ଟଙ୍କାର ୨୨.୭ ଏକରର ଫାର୍ମ ହାଉସ ରହିଛି ।

ସେହିପରି ନୂଆଦିଲ୍ଲୀ ସ୍ଥିତ ଏପିଜେ ଅବଦୁଲ କଲାମ ରାଡରେ ଥିବା ପୈତୃକ ଗୃହରେ ନବୀନଙ୍କ ୫୦ ପ୍ରତିଶତ ଅଂଶଧନ ରହିଛି ଓ ଏହି ପରିମାଣ ୪୩.୩୬ କୋଟି ଟଙ୍କା । ୨୦୧୯ ମସିହାରେ ସାଧାରଣ ନିର୍ବାଚନ ପାଇଁ ନବୀନ ହିଞ୍ଜିଳିକାଟୁ ଓ ପଦ୍ମପୁରସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ ୨ଟି ବ୍ୟାଙ୍କ ଆକାଉଣ୍ଟ ଖୋଲି ସେଥିରେ ପ୍ରାୟ ୪୦ଲକ୍ଷ ଟଙ୍କା ଜମା ରଖିଛନ୍ତି ।

ନବୀନଙ୍କ ପାଖରେ ଏବେ ବି ୧୯୮୦ ମଡେଲର ଆମ୍ବାସାଡ଼ର କାର ଥିବାବେଳେ ୨ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ରହିଛି । ୨୦୧୫ ମାର୍ଚ୍ଚରେ ତାଙ୍କ ବଡ଼ଭଉଣୀ ଗୀତା ମେହେଟ୍ଟାଙ୍କଠୁ ଧାର ସୂତ୍ରରେ ଆଣିଥିବା ୧୫ଲକ୍ଷ ଟଙ୍କାକୁ ଆଜି ପର୍ଯ୍ୟନ୍ତ ପରିଶୋଧ କରିନାହାନ୍ତି ।

ସେହିପରି ଆଇଟି ଓ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କର ପ୍ରାୟ ୨୬ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି । ସେ ରାଜ୍ୟର ସବୁଠୁ ଗରିବ ମନ୍ତ୍ରୀ । ତାଙ୍କର ଭୁବନେଶ୍ବର ଚନ୍ଦକା ଅଞ୍ଚଳରେ ୪୮୦୦ ବର୍ଗଫୁଟର ଜମି ରହିଛି । ୫ ଲକ୍ଷ ଟଙ୍କାର କାର ଓ ୯୦ ଗ୍ରାମର ସୁନା ରହିଛି ।

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଦ୍ବିତୀୟ ଧନୀ ମନ୍ତ୍ରୀ । ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପାଖରେ ୨ଟି ରିଭଲଭର ଓ ଗୋଟିଏ ରାଇଫଲ୍‌ ରହିଛି । ନବ ଓ ତାଙ୍କ ପରିବାର ପାଖରେ ପ୍ରାୟ ୩୨ଲକ୍ଷ ନଗଦ, ଏକ କୋଟି ଟଙ୍କାର ବ୍ୟାଙ୍କ ଜମା ଓ ଦୁଇ କୋଟି ଟଙ୍କାରୁ ଅଧିକ ଫିକ୍ସଡ ଡିପାଜିଟ୍‌ ରହିଛି ।

ସେହିପରି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପତ୍ତି ସମ୍ପତ୍ତିର ପରିମାଣ ପ୍ରାୟ ୧୦କୋଟି ଟଙ୍କା ହେବ । କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପତ୍ତି ପ୍ରାୟ ୬୭ଲକ୍ଷ ଟଙ୍କା ବୋଲି ଜଣାପଡିଛି । ଅରୁଣଙ୍କ ନାଁରେ ୨୨ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି । ଏହାଛଡା ସେ ୪୫୦ ଗ୍ରାମ ସୁନା ଓ ୨ଟି କାର୍‌ ରହିଛି । ଅରୁଣଙ୍କ ପତ୍ନୀଙ୍କ ନାଁରେ ୩୭ ଲକ୍ଷ ଟଙ୍କାର ସମ୍ପତ୍ତି ଥିବା ତାଲିକାରେ ଦର୍ଶାଯାଇଛି ।

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କର ପ୍ରାୟ ୨ କୋଟି ଟଙ୍କାର ସମ୍ପତ୍ତି ରହିଛି । ତାଙ୍କର ଭୁବନେଶ୍ବରରେ ୨ଟି ଆପାର୍ଟମେଣ୍ଟ, ୪ଟି କାର୍‌ ଓ ଟିଟିଲାଗଡରେ ଦୁଇ ମହଲା କୋଠା ଏବଂ ପ୍ରାୟ ୬ ଏକରର ଜମି ରହିଛି । ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ମୋଟ୍ ସମ୍ପତ୍ତି ପ୍ରାୟ ୪୨ ଲକ୍ଷ ଟଙ୍କା । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସମ୍ପତ୍ତିରେ ୩.୯୨ କୋଟି ଟଙ୍କା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.