୨୦୨୧ରେ ଭାରତୀୟ ବଜାରକୁ ଜୋରଦାର ଆର୍ଥିକ ଝଟକା, ଲାଭ ଓ ରାଜସ୍ୱରେ ହେବ ଡବଲ ଡିଜିଟ୍ ଲସ୍

Published By : Prameya-News7 Bureau | May 01, 2020 IST

ମୁମ୍ବାଇ : କରୋନା ସଂକ୍ରମଣ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ଦୋହଲି ଯାଇଛି। ଏଥିରେ ଭାରତ ସମେତ ବିଶ୍ୱର ବିଭିନ୍ନ ରେଟିଂ ଏଜେନ୍ସୀ ଦେଶର ଅଭିବୃଦ୍ଧି ହାରକୁ ନେଇ ଅଙ୍କକଷିବାରେ ଲାଗିଛନ୍ତି। ତେବେ ଘରୋଇ ରେଟିଂ ଏଜେନ୍ସୀ କ୍ରିସିଲ ୨୦୨୦-୨୧ରେ ଦେଶର ଅଭିବୃଦ୍ଧି ଅନୁମାନକୁ ଅଧାରୁ ବି ହ୍ରାସ କରିଥିବା ବେଳେ ଏବେ ୧.୮ ପ୍ରତିଶତରେ ସୀମିତ କରିଦେଇଛନ୍ତି। କରୋନା ଭାଇରସ୍‌ ନିୟନ୍ତ୍ରଣ ଲାଗି ସରକାରଙ୍କ ଲକଡାଉନ୍‌ ଯୋଗୁ ଭାରତୀୟ ବଜାର ଲାଭ ଓ ରାଜସ୍ୱରେ ଡବଲଡିଜିଟ୍ ଲସ୍ ଅର୍ଥାତ ୧୦ ଲକ୍ଷ କୋଟି ଟଙ୍କାରୁବି ଅଧିକ କ୍ଷତି ଆକଳନ କରଛନ୍ତି କ୍ରିସିଲ।

ଏହା ପୂର୍ବରୁ କ୍ରିସିଲ ଜାରି ଆର୍ଥିକ ବର୍ଷରେ ୬ ପ୍ରତିଶତ ଜିଡିପି ଅଭିବୃଦ୍ଧିର ଆକଳନ କରିଥିଲେ। ଯାହାକୁ ମାର୍ଚ୍ଚ ୩୧ତାରିଖରେ ଏଜେନ୍ସୀ ୩.୫ ପ୍ରତିଶତକୁ ହ୍ରାସ କରିଥିବା ବେଳେ ଏବେ ୧.୮ ପ୍ରତିଶତ କରିଦେଇଛନ୍ତି। ଫଳରେ କରୋନା ଲକଡାଉନ୍‌ ଯୋଗୁ ଦେଶର ପ୍ରତିବ୍ୟକ୍ତି କ୍ଷତିର ପରିମାଣ ଅନୁମାନିକ ୭ହଜାର ଟଙ୍କା ହୋଇପାରେ ବୋଲି ଏବେ ଆକଳନ କରାଯାଉଛି।

କୋଭିଡ-୧୯ ମହାମାରୀ ଲାଗି ଦେଶକୁ ସିଧାଶଳକ ୪ ପ୍ରତିଶତ ଦୀର୍ଘକାଳିକ ଜିଡିପି କ୍ଷତିର ସମ୍ମୁଖୀନ ହେବାକୁ ପଡିବ ବୋଲି କ୍ରିସିଲ ମୁଖ୍ୟ ଅର୍ଥନୀତିଜ୍ଞ ଧର୍ମକିର୍ତ୍ତି ଯୋଶୀ କହିଛନ୍ତି। ଏଥିରେ ଦେଶର ସର୍ବ ବୃହତ୍ତ ନିୟୋଜକ ନିର୍ମାଣ କ୍ଷେତ୍ର ସବୁଠାରୁ ଅଧିକ ପ୍ରଭାବିତ ହେବାକୁ ଥିବା ବେଳ ଦେଶର ଶ୍ରମ ଶକ୍ତିର ସୁରକ୍ଷା ନୀତି ନିର୍ଣ୍ଣାୟକଙ୍କ ଲାଗି ସବୁଠୁ ବଡ ଚାଲେଞ୍ଜ ହୋଇପଡିବ ବୋଲି ଯୋଶୀ କହିଛନ୍ତି। ତେବେ ଲକଡାଉନ ଯୋଗୁ ଶୋଇପଡିଥିବା ଅର୍ଥବ୍ୟବସ୍ଥାକୁ ପୁଣି ଜାଗ୍ରତ କରିହେବ ବୋଲି କହିଛନ୍ତି ଯୋଶୀ । ହେଲେ ଏଥିପାଇଁ ସେହିପରି ଆର୍ଥିକ ସହଯୋଗର ମଧ୍ୟ ଆବଶ୍ୟକତା ପଡିବ ବୋଲି ମଧ୍ୟ ସେ କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.