'ଆମେ ମହାମାରୀର କରାଳରୂପ ସରିଗଲାଣି ବୋଲି ଭାବିବା ଅନୁଚିତ୍': ପ୍ରଫେସର ଅମିତ୍‌ ବାନାର୍ଜୀ

Published By : Prameya-News7 Bureau | January 27, 2021 IST

ଭୁବନେଶ୍ୱର୨୭/୧: ମଙ୍ଗଳବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଦୁଇ ବିଶିଷ୍ଟ ସ୍ୱାସ୍ଥ୍ୟସେବା ବିଶେଷଜ୍ଞ କୋଭିଡ-୧୯ ନିୟମକୁ କଡାକଡି ପାଳନ କରିବାକୁ ପରାମର୍ଶ ଦେଇଥିଲେ। ଏହି ମହାମାରୀର ପ୍ରଭାବ କମିଗଲାଣି ବୋଲି ଭୁଲ୍ ଧାରଣା ରଖିବା ଅନୁଚିତ୍ ବୋଲି କହିଥିଲେ।

ଆମେ ମହାମାରୀର କରାଳରୂପ ସରିଗଲାଣି ବୋଲି ଭାବିବା ଅନୁଚିତ୍। ପୂର୍ବକିଛି ମାସ ଭଳି ଆମେ ନିୟମିତ ଭାବରେ ମୁହଁରେ ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ସାମାଜିକ ଦୂରତା ଜାରି ରଖିବା ଉଚିତ୍। କାରଣ ଏହି ମହାମାରୀର ଭୟାବହତା ଏବେ ବି ରହିଛି ବୋଲି ବିଶ୍ୱବିଦ୍ୟାଳୟର କର୍ପୋରେଟ୍ ଅଫିସ୍‌ରେ ପତାକା ଉତ୍ତୋଳନ ଅବସରରେ ସୂଚନା ଦେଇଛନ୍ତି 'ସୋଆ'ର ପ୍ରୋ-ଚାନ୍‌ସେଲର୍‌ ତଥା ବିଶିଷ୍ଟ କାର୍ଡିଓ - ଥୋରାସିକ୍ ସର୍ଜନ୍ ପ୍ରଫେସର ଅମିତ ବାନାର୍ଜୀ । ଏହି ଅବସରରେ ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋ ସର୍ଜନ୍ ପ୍ରଫେସର ଅଶୋକ କୁମାର ମହାପାତ୍ର କହିଥିଲେ ଯେ କୋଭିଡ ବିରୁଦ୍ଧରେ ଭାକ୍ସିନ୍ ଆସିଗଲାଣି ତଥାପି ଏହି ମହାମାରୀର ଭୟାବହତା ଚାଲିଗଲାଣି ବୋଲି କେହି ଭାବିବା ଉଚିତ୍ ନୁହେଁ ।

ଭାକ୍ସିନ୍ ଆସିଯିବା ଦ୍ୱାରା ଏବଂ ନୂଆ ସଂକ୍ରମିତଙ୍କ ସଂଖ୍ୟା କମିବା ଦ୍ୱାରା ବିନା କୌଣସି କଟକଣାରେ ସବୁଆଡେ ଅନାୟସରେ ବୁଲି ହେବ ବୋଲି ଲୋକେ ଭାବିବା ଆରମ୍ଭ କଲେଣି । ତେବେ ଏହା ଠିକ୍ କଥା ନୁହେଁ । ଅନେକ ଦେଶରେ ବର୍ତ୍ତମାନ ସଂକ୍ରମଣର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଗଲାଣି। ତେଣୁ ଆମକୁ ଏ କଥାକୁ ଏତେ ସହଜରେ ନେବା ଉଚିତ୍ ନୁହେଁ ବୋଲି ପ୍ରଫେସର ମହାପାତ୍ର କହିଥିଲେ। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସୋଆରେ ପୂର୍ବଭଳି ଗଣତନ୍ତ୍ର ଦିବସ ପାଳନରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଅନୁଷ୍ଠାନଗୁଡ଼ିକରେ ପୃଥକ ପୃଥକ ଭାବେ ପତାକା ଉତ୍ତୋଳନ କରାଯାଇଥିଲା।

ଏହି ଅବସରରେ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ମଧ୍ୟ ଉଦ୍‌ବୋଧନ ଦେଇଥିଲେ। ଗଣତନ୍ତ୍ର ଦିବସ ପାଳନ ଅବସରରେ 'ସୋଆ' ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ଡିନ୍ (ରିସର୍ଚ୍ଚ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ୍) ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍‌ର ଡିନ୍ (ପୋଷ୍ଟ ଗ୍ରାଜୁଏଟ୍‌ ଷ୍ଟଡିଜ୍‌) ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ଡିନ୍ ପ୍ରଫେସର ବିଜୟ କୁମାର ସାହୁ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର୍ ଷ୍ଟଡିଜ୍‌ ଡିନ୍ ପ୍ରଫେସର ଅନୁପ୍ କୁମାର ସାମନ୍ତରାୟ, ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଡେଣ୍ଟାଲ ସାଇନ୍‌ସେସ୍‌ର ଡିନ୍ ପ୍ରପେସର ନୀତା ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.