ରାଜ୍ୟସଭା ପ୍ରାର୍ଥୀ ଚର୍ଚ୍ଚାକୁ ସିଧାସିଧା ଖଣ୍ଡନ କଲେ ପ୍ରଫେସର ମନୋଜ ରଞ୍ଜନ ନାୟକ : କହିଲେ, 'ରାଜନୀତିରେ ପ୍ରବେଶ କରିବାର ପ୍ରଶ୍ନ ଉଠୁନାହିଁ'

Published By : Prameya-News7 Bureau | March 06, 2020 IST

ଭୁବନେଶ୍ବର ୦୬।୦୩: ରାଜ୍ୟସଭା ରେସ୍‌ରେ ନାହାନ୍ତି ଶିକ୍ଷା ଅନୁସନ୍ଧାନ ଡିମ୍‌ଡ ବିଶ୍ବବିଦ୍ୟାଳୟ ତଥା ସମ୍‌ ହସ୍ପିଟାଲ ପ୍ରତିଷ୍ଠାତା ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ମନୋଜରଞ୍ଜନ ନାୟକ । କିଛି ଗଣମାଧ୍ୟମରେ ପ୍ରକାଶିତ ଏସଂପର୍କିତ ଖବର ଉପରେ ଖୋଦ୍‌ ପ୍ରଫେସର ମନୋଜ ରଞ୍ଜନ ନାୟକ ଟାଣିଛନ୍ତି ପୂର୍ଣ୍ଣଚ୍ଛେଦ ।

ଶୁକ୍ରବାର ରାଜ୍ୟର ୪ଟି ରାଜ୍ୟସଭା ଆସନ ଲାଗି ବିଜ୍ଞପ୍ତି ଜାରି ହେବାର ଯଥେଷ୍ଟ ପୂର୍ବରୁ ଗଣମାଧ୍ୟମରେ ପାରମ୍ପରିକ ଭାବେ ସାମ୍ଭବ୍ୟ ରାଜ୍ୟସଭା ପ୍ରାର୍ଥିଙ୍କ ନେଇ ଖବର ବାହାରୁଛି । ତେବେ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ପ୍ରଫେସର ମନୋଜରଞ୍ଜନ ନାୟକ ରାଜ୍ୟସଭା ପ୍ରାର୍ଥୀ ହେଉଥିବା ପ୍ରକାଶ ପାଇଥିଲା ବେଳେ ସ୍ବାଭାବିକ ଭାବେ ଚର୍ଚ୍ଚା ବି ବଢିଥିଲା । କିନ୍ତୁ ପ୍ରଫେସର ମନୋଜ ରଞ୍ଜନ ନାୟକ ଏଭଳି ଖବରକୁ ଭିତ୍ତିହୀନ ଓ ଅମୂଳକ ତଥା ମନଗଢା ବୋଲି କହି ଖଣ୍ଡନ କରିଛନ୍ତି । ଏହାସହ ସେ ସ୍ପଷ୍ଟ  କରି ଦେଇଛନ୍ତି ଯେ, “ ରାଜନୀତି ପ୍ରତି ତାଙ୍କର କେବେ ଆଗ୍ରହ ନଥିଲା କିମ୍ବା ଏବେ ମଧ୍ୟ ନାହିଁ । ”  ତେଣୁ ରାଜ୍ୟସଭା ପ୍ରାର୍ଥି ହେବା ଚିନ୍ତା ସେ କିପରି କରିବେ ବୋଲି ଓଲଟା ପ୍ରଶ୍ନ ମଧ୍ୟ କରିଛନ୍ତି ।

ରାଜନୀତି ପ୍ରତି ସଂପୂର୍ଣ୍ଣ ଅନାଗ୍ରହୀ ପ୍ରଫେସର ମନୋଜ ରଞ୍ଜନ ନାୟକ ଆହୁରି କହିଛନ୍ତି , “ ମୋର ଲକ୍ଷ୍ୟ ହେଲା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉଜ୍ବଳ ଓ ସୁରକ୍ଷିତ ଭବିଷ୍ୟତ ଏବଂ ରାଜ୍ୟବାସୀଙ୍କ ଲାଗି ଉତ୍ତମ ସ୍ବାସ୍ଥ୍ୟସେବା ତଥା ଚିକିତ୍ସା ବ୍ୟବସ୍ଥା ” ।

ଗଣମାଧ୍ୟମ ବିଶେଷକରି ସାମାଜିକ ଗଣାମଧ୍ୟମରେ ପ୍ରଫେସର ମନୋଜ ରଞ୍ଜନ ନାୟକ ରାଜ୍ୟସଭା ପ୍ରାର୍ଥୀ ହେଉଥିବା ବା ଆଶାୟୀ ତାଲିକାରେ ଥିବା ପ୍ରକାଶ ପାଇଆସୁଥିଲା । ଏପିରିକି ରାଜ୍ୟସଭାର ୪ର୍ଥ ଆସନ ପାଇଁ ପ୍ରଫେସର ନାୟକ ବିଜେଡି ଏବଂ ବିଜେପିର ମିଳିତ ପ୍ରାର୍ଥି ହେଉଥିବା ଚର୍ଚ୍ଚା  ହେଉଥିଲା । ଗତ ଫେବୃଆରୀ ୨୯ତାରିଖରେ ଅନୁଷ୍ଠିତ ଅତ୍ୟାଧୁନିକ ତଥା ସୁପରସ୍ପେସିଆଲିଟି ହସ୍ପିଚାଲ “ସମ୍ ଅଲଟିମେଟ୍ ମେଡିକେୟାର (SUMUM)”ର ଲୋକର୍ପଣ ଉତ୍ସବ । ସେହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା , ପେଟ୍ରୋଲିୟମ୍ , ପ୍ରାକୃତିକ ଗ୍ୟାସ୍‌ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅତିଥି ହୋଇଥିଲେ । ଶାସକ ବିଜେଡି ସହ ବିଜେପିର ତୁଙ୍ଗନେତା ଏହି ଉତ୍ସବରେ ସାମିଲ ହୋଇଥିବାରୁ ଉଭୟ ଦଳ ସହ ପ୍ରଫେସର ନାୟକଙ୍କ ସୁସଂପର୍କର ଯୁକ୍ତି ରଖି କିଛି ଗଣମାଧ୍ୟମ ରାଜ୍ୟସଭା ନିର୍ବାଚନର ପ୍ରାର୍ଥୀତ୍ବକୁ ଯୋଡିଥିଲେ । ମାର୍ଚ୍ଚ ୨୬ରେ ରାଜ୍ୟସଭା  ନିର୍ବାଚନରେ ପ୍ରଫେସର ମନୋଜ ରଞ୍ଜନ ନାୟକ ପ୍ରାର୍ଥି ହେବେ ବୋଲି ଖବର ପ୍ରକାଶ କରିଥିଲେ । ତେବେ ପ୍ରଫେସର ନାୟକ ଏହାକୁ ରୋକ୍‌ଠୋକ୍‌ ନା କହିବା ସହ ରାଜନୀତିରେ ଯୋଗଦେବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.