ବିଶିଷ୍ଟ ନାଟ୍ୟଶାସ୍ତ୍ରୀ ପ୍ରଫେସର ସତ୍ୟବ୍ରତ ରାଉତ ପାଇଲେ ଡି.ଲିଟ୍

Published By : Prameya-News7 Bureau | November 02, 2019 IST

ଭୁବନେଶ୍ବର ୨।୧୧: ହାଇଦ୍ରାବାଦ ବିଶ୍ବବିଦ୍ୟାଳୟର ସରୋଜିନୀ ନାଇଡୁ ସ୍କୁଲର ଥିଏଟର ଆର୍ଟ ବିଭାଗର ପ୍ରଫେସର ସତ୍ୟବ୍ରତ ରାଉତଙ୍କୁ ଡି.ଲିଟ୍ ଉପାଧି ପ୍ରଦାନ କରାଯାଇଛି । ଖୈରାଗଡ ବିଶ୍ବବିଦ୍ୟାଳୟ (ଇନ୍ଦିରା କଳା ସଙ୍ଗୀତ ବିଶ୍ବବିଦ୍ୟାଳୟ) ଦ୍ବାରା ପ୍ରଫେସର ସତ୍ୟବ୍ରତ ରାଉତଙ୍କୁ ତାଙ୍କ ଗବେଷଣା ‘ଡାୟଲେକ୍ଟିକ୍ସ ଅଫ୍ ନ୍ୟୁ ଡାଇରେକସନ ଥିଓରିଜ୍‌- ଏ କ୍ରିଟିକଲ ଷ୍ଟଡି’ ପାଇଁ ଡି.ଲିଟ୍ ଉପାଧି ପ୍ରଦାନ କରାଯାଇଛି । ଏହି ଗବେଷଣାରେ ସମସାମୟିକ ଭାରତୀୟ ରଙ୍ଗମଞ୍ଚ ନିର୍ଦ୍ଦେଶକଙ୍କ ଦ୍ବାରା ଏକବିଂଶ ଶତାବ୍ଦୀରେ ଉପଯୋଗ ହେଉଥିବା ନୂଆ ନୂଆ ଶୈଳୀ, ବିଚାରଧାରା, ପ୍ରୟୋଗ ଏବଂ ଅବଧାରଣାର ଉପଯୋଗ ଆଦିର ସଂକଳନକୁସ୍ଥାନିତ କରାଯାଇଛି ।

ପ୍ରଫେସର ସତ୍ୟବ୍ରତ ରାଉତ ଗବେଷଣାରେ ଶିକ୍ଷାନୁଷ୍ଠାନ ବନାମ ସାମୁହିକ ଥିଏଟରର ତୁଳନାତ୍ମକ ଅଧ୍ୟୟନ ଦ୍ବାରା ବିଭିନ୍ନ ପ୍ରକାରର ରଙ୍ଗମଞ୍ଚ ଧାରା ଉପରେ ମଧ୍ୟ ଗୁରୁତ୍ବ ଦେଇଛନ୍ତି । ଏହି ଗବେଷଣା ପାଇଁ ପ୍ରଫେସର ସତ୍ୟବ୍ରତ ରାଉତଙ୍କୁ ୬ବର୍ଷ ସମୟ ଲାଗିଥିଲା ।

ପ୍ରଫେସର ସତ୍ୟବ୍ରତ ରାଉତ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ (ଏନଏସଡି)ର ପୂର୍ବତନ ଛାତ୍ର ।ଶୈଖିକ ଅନୁସନ୍ଧାନ କାର୍ଯ୍ୟକ୍ରମ ମାଧ୍ୟମରେ ସର୍ବୋଚ୍ଚ ଶିକ୍ଷାଗତ ଉପାଧି ଡି.ଲିଟ୍ ପାଇବାରେ ପ୍ରଥମ । ଏହା ପୂର୍ବରୁ ସେ ନାଟ୍ୟ ନିର୍ଦ୍ଦେଶନା କ୍ଷେତ୍ରରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସହ ଅନ୍ୟ ପ୍ରତିଷ୍ଠିତ ପୁରସ୍କାର ପାଇସାରିଛନ୍ତି ।

ପ୍ରଫେସର ସତ୍ୟବ୍ରତ ରାଉତ ମଞ୍ଚ ନାଟକର ଜଣେ ପ୍ରଚଣ୍ଡ ପ୍ରବକ୍ତା । ଏ ସମ୍ପର୍କରେ ସେ ବହୁ ଉପାଦେୟ ତଥା ଗବେଷଣାତ୍ମକ ପୁସ୍ତକ ରଚନା କରିଛନ୍ତି । ‘ସିନୋଗ୍ରାଫି : ଆନ୍ ଇଣ୍ଡିଆନ ପ୍ରସପେକ୍ଟିଭ’ ତାଙ୍କର ଏକ ଉଚ୍ଚକୋଟୀର କୃତି । ପ୍ରଫେସର ରାଉତ ନାଟକ ପରିବେଷଣ, ନିର୍ଦ୍ଦେଶନା, କର୍ମଶାଳା ଓ ଶିକ୍ଷା ପ୍ରଦାନ ପାଇଁ ବହୁ ଦେଶ ବିଦେଶ ଭ୍ରମଣ କରି ଖ୍ୟାତି ଅର୍ଜନ କରିଛନ୍ତି । ‘ମାତେ ଏକଲବ୍ୟ’ ନାଟକ ପ୍ରଯୋଜନା ପାଇଁ ସେ ସମ୍ମାନଜନକ ‘ମେଟା’ (ମହିନ୍ଦ୍ରା ଏକ୍ସଲେନ୍ସି ଇନ୍ ଥିଏଟର ଆଓ୍ବାର୍ଡ) ପାଇସାରିଛନ୍ତି । ଦିଲ୍ଲୀ ସାହିତ୍ୟ କଳା ପରିଷଦ ଆନୁକୂଲ୍ୟରେ ଆୟୋଜିତ ତାଙ୍କ ନାଟକ ‘ତୁହ୍ମାରା ଭିନସେଣ୍ଟ’ ଶ୍ରେଷ୍ଠ ପାଣ୍ଡୁଲିପି ପୁରସ୍କାର ହାସଲ କରିଥିଲା ।

ପ୍ରଫେସର ରାଉତ ଶିକ୍ଷାଦାନ ଏବଂ ଟ୍ରେନିଂ ପାଇଁ ୟୁରୋପ, ଆମେରିକା, ଏସୀୟ ଦେଶଗୁଡିକ ଭ୍ରମଣ କରିଛନ୍ତି । ଇଂଲଣ୍ଡର ଇଷ୍ଟ-୧୫ ଆକ୍ଟିଂ ସ୍କୁଲ ଏବଂ କଲୋମ୍ବିଆର ଇଣ୍ଟରନ୍ୟାସନାଲ ବାୟୋ ଡ୍ରାମା ସ୍କୁଲ ମଧ୍ୟ ଭ୍ରମଣ କରିସାରିଛନ୍ତି ।

ତାଙ୍କ ଦ୍ବାରା ଲିଖିତ ପ୍ରମୁଖ ଦୁଇଟି ପୁସ୍ତକ ହେଉଛି ‘ଅନ୍ ଦି କ୍ରସ୍ ରୋଡ୍ ଅଫ୍ ଥିଏଟର’ ଏବଂ ‘ଆନିମଲ ଫାର୍ମ’ ।

ପ୍ରଫେସର ସତ୍ୟବ୍ରତ ରାଉତ ଯାଜପୁର ଜିଲ୍ଲା ସାହାସପୁର ଗାଁରେ ଜନ୍ମଗ୍ରହଣ କରିଥିଲେ । ସେ ବାପା ସୁରେନ୍ଦ୍ର ନାଥ ରାଉତ ଏବଂ ମା ମନୋରମା ରାଉତଙ୍କ କୋଳମଣ୍ଡନ କରିଥିଲେ । ତାଙ୍କ ବାପା ଜଣେ ଅବସରପ୍ରାପ୍ତ ଶିକ୍ଷକ ଏବଂ ରେଡିଓ ଡ୍ରାମା କଳାକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.