ପୁଣି ବଲିଉଡ ଇଣ୍ଡଷ୍ଟ୍ରିରେ କରୋନା ଝଟକା : ପ୍ରସିଦ୍ଧ ଫିଲ୍ମ ନିର୍ଦେଶକ ଅନିଲ ସୁରୀଙ୍କ ପରଲୋକ

Published By : Prameya-News7 Bureau | June 06, 2020 IST

ମୁମ୍ବାଇ ୬/୬: ନିକଟରେ ସଙ୍ଗୀତ ନିର୍ଦେଶକ ଓ୍ବାଜିଦ ଖାନଙ୍କ ମୃତ୍ୟୁ ପରେ ବଲିଉଡରେ ଆଉ ଜଣେ ଫିଲ୍ମ କଳାକାରଙ୍କ କରୋନା ଭାଇରସ୍ ଯୋଗୁଁ ମୃତ୍ୟୁ ହୋଇ ଯାଇଛି। ବେଗୁନାହ ଏବଂ ରାଜ ତିଳକ ଭଳି ଫିଲ୍ମର ନିର୍ମାତା ଅନିଲ ସୁରୀଙ୍କ କରୋନା ଭାଇରସ୍ ସଂକ୍ରମଣ ଯୋଗୁଁ ମୁମ୍ବାଇରେ ପରଲୋକ ହୋଇ ଯାଇଛି। ସେ ୭୭ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଅନିଲ ସୁରୀଙ୍କ ଭାଇ ରାଜୀବ ସୁରୀ ତାଙ୍କ ପରଲୋକର ସୂଚନା ଦେଇଛନ୍ତି। ରାଜୀବଙ୍କ କହିବା ଅନୁସାରେ ଅନୀଲଙ୍କ ସ୍ବାସ୍ଥ୍ୟ କିଛି ଦିନ ହେବ ଖରାପ ଥିଲା। କିନ୍ତୁ ପରେ ତାଙ୍କ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ ହୋଇଥିଲା ଏବଂ ସ୍ବାସ୍ଥ୍ୟ ଦିନକୁ ଦିନ ବିଗିଡ଼ିବାକୁ ଲାଗିଥିଲା।

ଏପରି ଅବସ୍ଥାରେ ଯେତେବେଳେ ତାଙ୍କୁ ଲୀଳାବତୀ ଏବଂ ହିନ୍ଦୁଜା ହସ୍ପିଟାଲକୁ ନିଆଯାଇଥିଲା ସେତେବେଳେ ଦୁଇଟି ହସ୍ପିଟାଲରେ ବେଡ୍ ନାହିଁ ବୋଲି କହି ତାଙ୍କୁ ଭର୍ତ୍ତି କରିବାକୁ ମନା କରି ଦିଆଯାଇଥିଲା। ଅନିଲ ସୁରୀଙ୍କୁ ଜୁନ୍ ୨ତାରିଖରୁ ଜ୍ବର ହୋଇଥିଲା। ଏହାର ପରଦିନ ତାଙ୍କୁ ନିଃଶ୍ବାସ ନେବାରେ ଅସୁବିଧା ହୋଇଥିଲା। ଫଳରେ ତାଙ୍କ ଅବସ୍ଥା ଆହୁରି ବିଗିଡ଼ିବାକୁ ଲାଗିଥିଲା।

ସେ କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ। ଏହା ପରେ ଗୁରୁବାର ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଏହାର ଅଧ ଘଣ୍ଟା ପରେ ଅର୍ଥାତ୍ ସନ୍ଧ୍ୟା ୭ଟାରେ କୋଭିଡ-୧୯ ଏବଂ ହୃଦଘାତ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଯାଇଥିଲା।

ଅନିଲ ସୁରୀଙ୍କ ୧୯୭୮ମସିହାରେ ନିର୍ଦେଶିତ ଫିଲ୍ମ ‘କର୍ମଯୋଗୀ’ ହିଟ୍ ହୋଇଥିଲା। ଏହି ଫିଲ୍ମ​ରେ ରାଜ କୁମାର,ଜିତେନ୍ଦ୍ର,ରେଖା ଏବଂ ମାଲା ସିହ୍ନା ଅଭିନୟ କରିଥିଲେ। ତାଙ୍କ ନିର୍ଦେଶିତ ରାଜ ତିଲକ ମଧ୍ୟ ସିନେମା ହଲରେ ଖୁବ୍ ଚାଲିଥିଲା। ଏଥିରେ ସୁନୀଲ ଦତ୍ତ,ହେମା ମାଲିନୀ,ରାଜ କୁମାର,ଧର୍ମେନ୍ଦ୍ର,ରୀନା ରାୟ,ସାରିକା ଏବଂ କମଲ ହାସନ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.