ଟଙ୍କା ବର୍ଷାର ଲୋଭରେ ଫସିଗଲେ ବ୍ୟବସାୟୀ, ଭଣ୍ଡ ବାବା ମାରିନେଲା ୫୨ ଲକ୍ଷ, ତାପରେ...

Published By : Prameya-News7 Bureau | June 04, 2021 IST

ପୁନେ ୪/୬: ପଦାରେ ପଡ଼ିଲା ଜଣେ ଭଣ୍ଡ ବାବାର କଳାକାରନାମା। ଧନ ବର୍ଷା କରାଇବାକୁ କହି ଜଣେ ବ୍ୟବସାୟୀଙ୍କଠୁ ଠକିନେଲା ୫୨ ଲକ୍ଷ ଟଙ୍କା। ଗୁରୁବାର ବାବାକୁ ଗିରଫ କରିଛି ପୁନେ ପୋଲିସ। ପୁନେର ଜଣେ ବ୍ୟବସାୟୀଙ୍କୁ ବିଭିନ୍ନ ସମୟରେ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ନେଇ ଅଭିଯୋଗ ହେବା ପରେ ପୋଲିସ ଜଣେ ନକଲି ଗ୍ରାହକ ମାଧ୍ୟମରେ ବାବାର କଳାକାରନାର ପର୍ଦ୍ଦାଫାସ କରିଥିବା ଜଣାପଡ଼ିଛି । ଆତ୍ମଘୋଷିତ ବାବା କିଶମ ଆଶାରାମ ପାଓ୍ବାର ବୋଲି ଜଣାପଡ଼ିଥିବା ବେଳେ ତାର ବୟସ ୪୧ ବର୍ଷ।

ଏନେଇ ସୂଚନା ଦେଇଛନ୍ତି ପୁନେ ଡିସିପି (ଅପରାଧ) ଶ୍ରୀନିବାଶ ଘାଡଗେ। ଠକ ବାବା ବିରୋଧରେ ଗଣେଶ ନଗର ଅଞ୍ଚଳର ବ୍ୟବସାୟୀ ଏତଲା ଦେଇଥିଲେ। ଜଳନା ଜିଲ୍ଲାର ମନ୍ଥ ଟାଲୁକା ଅଞ୍ଚଳରୁ ବାବାକୁ ଗିରଫ କରାଯାଇଥିବା ବେଳେ ତା ପାଖରୁ ପୂଜାରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଛି ପୋଲିସ। ମିଳିଥିବା ସୂଚନା ଅନୁସାରେ ସମ୍ପୃକ୍ତ ବ୍ୟବସାୟୀ ୨୦୧୬-୧୭ରେ ଠକାମୀରେ ଶିକାର ହୋଇଥିଲେ। ବାବା ଉପରେ ବିଶ୍ବାସ କରି ସେ ଟଙ୍କା ଦେବା ଆରମ୍ଭ କରିଥିଲେ। ତାଙ୍କ ପାଖରେ ଏକ ଓ୍ବାର୍କସପ୍‌ ଥିଲା। ବାବା ପ୍ରତିଶ୍ରୁତି ଦେଇଥିଲା ଟଙ୍କାର ବର୍ଷା କରାଇଦେବ। ବାସ କିଛି ଟଙ୍କା ଦରକାର ପୂଜା କରିବା ପାଇଁ ।

ଏକାଧିକ ପୂଜା କରିବା ପରେ ଟଙ୍କା ବର୍ଷା ହେବ ବୋଲି ବ୍ୟବସାୟୀଙ୍କୁ ବିଶ୍ବାସ ଦେଇଥିଲା ବାବା । ୪୦ ବର୍ଷୀୟ ବ୍ୟବସାୟୀ ବିଶ୍ବାସ କରିଥିଲେ ଯେ ବାବା ପାଖରେ ନିଆରା ଶକ୍ତି ରହିଛି। ଯାହାକି ତାଙ୍କର ଅର୍ତାଭାବକୁ ଦୂର କରିପାରିବ। ତେବେ ବାବା ପ୍ରତିଶ୍ରୁତି ରକ୍ଷା ନକରିପାରିବାରୁ ବ୍ୟବସାୟୀ ଟଙ୍କା ଦେବା ବନ୍ଦ କରିଦେଇଥିଲେ। ଏହା ପ​‌ରେ ନିଜର ବେପାର ବନ୍ଦ ହୋଇଗଲା ବୋଲି ଭାବି ଭଣ୍ଡ ବାବା ନୂଆ ଉପାୟ ପାଞ୍ଚିଥିଲା। ଏହା ପରେ ସେ ବ୍ୟବସାୟୀଙ୍କୁ କଲ କରି କହିଥିଲା ସମସ୍ତ ପୂଜା ସଫଳ ହୋଇଛି କିନ୍ତୁ ଟଙ୍କା ବର୍ଷା ପାଇଁ ଆଉ ଏକ ଶେଷ ପୂଜା କରିବାକୁ ପଡ଼ିବ। ଏହି ପୂଜା ପାଇଁ ଟଙ୍କା ଲାଗିବ ବୋଲି ବାବା କହିଥିଲା।

ଏହା ପରେ ବ୍ୟବସାୟୀ ଜଣଙ୍କ ପୋଲିସର ସହାୟତା ଲୋଡିଥିଲେ ଏବଂ ଅଭିଯୁକ୍ତ ବିରୋଧରେ ଥାନାରେ ଏତଲା ଦେଇଥିଲେ। ଅନ୍ୟ କାହାକୁ ବାବା ଠକିଛି କି ନାହିଁ ପୋଲିସ ତଦନ୍ତ କରୁଥିବା ଜଣାପଡ଼ିଛି। ଏହା ପୂର୍ବରୁ ୨୦୧୩ରେ ଅଭିଯୁକ୍ତ କିଶମ ପାଓ୍ବାର ବିରୋଧରେ ନରବଳି, ଅଘୋରି ସାଧନ, କଳା ଯାଦୁ କରୁଥିବା ନେଇ ମାମଲା ହୋଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.