ଶିକ୍ଷୟିତ୍ରୀଙ୍କୁ ଜାତିଆଣ ଆକ୍ଷେପ କରି ଅଡୁଆରେ ବ୍ଲକ ଶିକ୍ଷାଧିକାରୀ : ମାମଲା ରୁଜୁ, ତଦନ୍ତ ଆରମ୍ଭ କଲା ପୋଲିସ
5/09/2020 at 4:16 PM

ଟାଙ୍ଗୀ, ୦୫|୦୯: ଗୁରୁଦିବସ ପୂର୍ବରୁ ଜାତିଆଣ ଆକ୍ଷେପକରି ଅଡୁଆରେ ଟାଙ୍ଗୀ ଚୌଦ୍ୱାର ବ୍ଲକ ଶିକ୍ଷାଧିକାରୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ବାଲୁଙ୍କେଶ୍ୱର ନୋଡାଲ ସରକାରୀ ବିଦ୍ୟାଳୟରେ ।
ବିଦ୍ୟାଳୟର ଶିକ୍ଷୟିତ୍ରୀ ଅନୁରାଧା ଦଳାଇ ବ୍ଲକ ଶିକ୍ଷାଧିକାରୀ ଚନ୍ଦ୍ରଶେଖର ଦାସଙ୍କ ବିରୋଧରେ ଆଣିଛନ୍ତି ଜାତିଆଣ ଆକ୍ଷେପ । ଶିକ୍ଷୟିତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି ୟେ, ସେ ଉଚ୍ଚଶିକ୍ଷା ଲାଭ ପାଇଁ ବିଇଓଙ୍କ ପାଖକୁ ଅନୁମତି ନେବାପାଇଁ ଯାଇଥିବାବେଳେ ସେ ତାଙ୍କୁ ଜାତିଆଣ ଆକ୍ଷେପ କରିଥିଲେ । ତୁ ଯାଆ କେସ୍ କରିବୁ ମଧ୍ୟ କୁଆଡେ କହିଥିଲେ । ଆହୁରି ମଧ୍ୟ ନାନା ପ୍ରକାର କଥା କହିଥିଲେ । ଯାହାକି ଶିକ୍ଷୟିତ୍ରୀଙ୍କୁ ମର୍ମାହତ କରିଥିଲା ।
ଏନେଇ ଶିକ୍ଷୟିତ୍ରୀ ଜଣଙ୍କ ଶନିବାର ଟାଙ୍ଗୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତି କରି ଟାଙ୍ଗୀ ପୋଲିସ ୧୭୨/୨୦ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି । ଏସଂକ୍ରାନ୍ତରେ ଶୁକ୍ରବାର ଏସଡିପିଓ ବିଇଓଙ୍କୁ ତାଙ୍କ ଅଫିସ ଡାକି ତିନିଘଣ୍ଟା ଜେରା କରିଥିଲେ । ଅପରପକ୍ଷରେ ବିଇଓଙ୍କ ଅବଧି ପୁରିଥିଲେ ସୁଦ୍ଧା କାହାର ଛତ୍ରଛାୟା ତଳେ ଗାଦି ଜମାଇ ଗୋଟାଏ ସ୍ଥାନରେ ଦୀର୍ଘ ବର୍ଷ ଧରି ରହିଆସୁଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ବିଓଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲା । କିନ୍ତୁ ବିଇଓଙ୍କ ଦେଖା ମିଳିନଥିଲା ଏବଂ ତାଙ୍କ ମୋବାଇଲ ସୁଇଚ ଅଫ୍ ଥିଲା।