ବେଉସା ଉପରେ କରୋନା ମାଡ, ଦୁର୍ଦ୍ଦଶାରେ ୨୦୦ ବାଉଁଶ କାରିଗର

Published By : Prameya-News7 Bureau | May 23, 2020 IST

ବରଗଡ, ୨୩|୦୫:   ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଦହିଗାଁ ପଂଚାୟତର ବ୍ରାହ୍ମଣଡିହି ଗ୍ରାମରେ ପ୍ରାୟ ୨୦୦ଜଣ ବାଉଁଶ କାରିଗର ନିଜେ ତିଆରି କରିଥିବା ସାମଗ୍ରୀ ବିକ୍ରି କରିନପାରି ଦୁର୍ଦ୍ଦଶାରେ କାଳାତିପାତ କରୁଛନ୍ତି । ପେଟପାଟଣା ପାଇଁ ସେମାନେ ବାଉଁଶରେ ନିର୍ମିତ ବିଭିନ୍ନ ପ୍ରକାରର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ନିର୍ମାଣ କରି ବିଭିନ୍ନ ସାପ୍ତାହିକ ବଜାରକୁ ଯାଇ ବିକ୍ରୟ କରି ପରିବାର ପୋଷଣ କରନ୍ତି । ଏହାବ୍ୟତୀତ ଅନ୍ୟ କାମଧନ୍ଦା ତାଙ୍କୁ ଜଣାନାହିଁ । ବାଉଁଶ ତାଙ୍କର ଚିରସାଥି କହିଲେ ଅତ୍ୟୁକ୍ତି ହେବନାହିଁ ।

ବାଉଁଶରେ  ଡଲା, ଭୁଗଲି, କୂଲା, ଧୁକନା ଇତ୍ୟାଦି ଅନେକ ପ୍ରକାରର ସାମଗ୍ରୀ ପ୍ରସ୍ତୁତ କରିବାରେ ବେଶ ସିଦ୍ଧହସ୍ତ । ହେଲେ ଜନତାକର୍ଫ୍ୟୁ ଠାରୁ ଆଜି ପର୍ଯ୍ୟନ୍ତ ଚାଲିଥିବା ଲକଡାଉନକୁ ସ୍ୱାଗତର ସହ ସମ୍ମାନଜଣାଇ ନିଜ ଘରୁ ପଦାକୁ ବାହାରୁ ନାହାନ୍ତି । ତାଙ୍କ ପାଖରେ ଥିବା ଗଛିତ ବାଉଁଶରେ ସେମାନେ ବିଭିନ୍ନ ପ୍ରକାରର ସାମଗ୍ରୀ ପ୍ରସ୍ତୁତ କରି  ଘରେହିଁ ବସିରହିଛନ୍ତି  । ବାହାଘର ସମୟରେ ଏହି ସାମଗ୍ରୀର ଚାହିଦା ବେଶି ରହିଥାଏ । ହେଲେ ଏବର୍ଷ ବାହା ଘର କଟକଣା ପାଇଁ ବାହାଘର ମାନ ମଧ୍ୟ  ଧୁମଧାମ ହେଉନାହିଁ ତେଣୁ ଏହି ସାମଗ୍ରୀ କେହି କିଣୁ ନାହାଁନ୍ତି । ଅନ୍ୟ ବର୍ଷ ବିଭିନ୍ନ ରାଜ୍ୟର ବେପାରୀ ଆସି ମଧ୍ୟ କିଣି ନେଉଥିଲେ ତାଙ୍କର ହାତ ତିଆରି ସାମଗ୍ରୀ ହେଲେ କଟକଣା ହେତୁ ଏବର୍ଷ କେହି ଆସିଲେଣି କି ଆସିବାର ସମ୍ଭାବନା ମଧ୍ୟ ନାହିଁ।

ବେପାର ପାଇଁ  ହୋଇଥିବା ବିଭିନ୍ନ କଟକଣା ହେତୁ ତିଆରି କରିଥିବା ସାମଗ୍ରୀ ଗୁଡିକ ଘରେ ପଡିରହିଛି । ସେମାନଙ୍କ ବର୍ତମାନ ସ୍ଥିତି ଅସମ୍ଭାଳ । ଘର ଚଳାଇବା ପାଇଁ ଟଙ୍କା ରୋଜଗାର କରି ପାରୁ ନାହାଁନ୍ତି । ତେଣୁ ଆଜି  ଲିଖିତଭାବେ ଏକ ଦାବୀପତ୍ର ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ସେମାନେ ଦାବି କରିଛନ୍ତି ଯେ,  ବ୍ୟବସାୟ ଠପ୍ ହେତୁ ତାଙ୍କୁ ସରକାରୀସ୍ତରରେ ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଉ ନହେଲେ ନିର୍ମିତ ଗଛିତ ସାମଗ୍ରୀ ବିକ୍ରୟ ପାଇଁ  ସୁବିଧା ପ୍ରଦାନ କରାଯାଉ ବୋଲି ପଦ୍ମପୁର ଉପଜିଲ୍ଲାପାଳ କାର୍ଯାଳୟକୁ ଆସି ଦାବିପତ୍ର ପ୍ରଦାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.