ବିହାରର କୋଭିଡ ହସ୍ପିଟାଲରେ ଯେଉଁଠି ରୋଗୀ ହାତରେ ଇଞ୍ଜେକ୍ସନ ନିଅନ୍ତି, ଘରୁ ଆଣିବାକୁ ପଡେ ବିଛଣା

Published By : Prameya-News7 Bureau | July 21, 2020 IST

ପାଟନା, ୨୧|୦୭: ବିହାରରେ ବନ୍ୟା ସହ କରୋନା ଭାଇରସର ଆତଙ୍କ ଜାରି ରହିଛି । ବିହାରବାସୀଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଜରୁରୀ ହୋଇପଡିଛି । କିନ୍ତୁ ଏଠାକାର ହସ୍ପିଟାଲରେ ବିପର୍ଯ୍ୟସ୍ତ ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି । ପାଟନାର ନାଳନ୍ଦା ମେଡିକାଲ କଲେଜରେ ମଧ୍ୟ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ଦେଖିବାକୁ ମିଳିଛି ।

ପାଟନାର ସବୁଠାରୁ ବଡ କୋଭିଡ ହସ୍ପିଟାଲ ଏନଏମସିଏଚ କରୋନା ଆକ୍ରାନ୍ତଙ୍କ ପାଇଁ ଅଭିଶାପ ପାଲଟିଛି । ଏଠାରେ ଅଞ୍ଜଳି କୁମାରୀନାମକ ଜଣେ ମହିଳାଙ୍କ ସ୍ୱାମୀଙ୍କୁ ବହୁ କଷ୍ଟରେ ହସ୍ପିଟାଲରେ ବେଡ୍ ମିଳିଥିଲା । କିନ୍ତୁ ତାଙ୍କ ବେଡ୍ କଡରେ ହିଁ ମୃତଦେହ ପଡିଥିବା ଦେଖିବାକୁ ମିଳିଛି ।

ଅଞ୍ଜଳି କହିଛନ୍ତି ଯେ, କୋଭିଡ ଓ୍ୱାର୍ଡ ଭିତରେ ମୃତଦେହ ପଡିଛି । ମୃତକଙ୍କ ପୁତ୍ର ସକାଳୁ ହସ୍ପିଟାଲ ବାହାରେ ବେହୋସ୍ ହୋଇ ପଡିରହିଛି । ଏଥିପାଇଁ ଓ୍ୱାର୍ଡର ଅନ୍ୟ ଆକ୍ରାନ୍ତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ହସ୍ପିଟାଲ କର୍ତୃପକ୍ଷଙ୍କ ଆଚାର ବ୍ୟବହାର ମଧ୍ୟ ଅତିଷ୍ଠ କରୁଛି । ଲୋକମାନେ ନିଜେ ଇଞ୍ଜେକ୍ସନ ନେଉଛନ୍ତି । ସେ ମେଡିକାଲ କର୍ମଚାରୀଙ୍କୁ ଏକ ତକିଆ ପାଇଁ କହିଥିଲେ । ବେଡ୍ ମିଳିଛି ତାହା ବହୁତ, ତକିଆ ଆବଶ୍ୟକ ନାହିଁ ବୋଲି ଜଣେ କର୍ମଚାରୀ କହିଥିଲେ । ଏପରିକି ସେ ବାଧ୍ୟ ହୋଇ ଘରୁ ବିଛଣା ଆଣିଥିଲେ ।

ହସ୍ପିଟାଲର ଆଉ ଜଣେ ଆକ୍ରାନ୍ତ ଅଭିଯୋଗ କରିଛନ୍ତି ଯେ, ଜଣେ ଆକ୍ରାନ୍ତ ନିଜେ ଇଞ୍ଜେକ୍ସନ ନଲଗାଇ ପାରିବାରୁ ପ୍ରାଣ ହରାଇଛନ୍ତି । ଅକ୍ସିଜେନ୍ ସିଲିଣ୍ଡର ପାଇଁ ନିଜେ ଯିବାକୁ ପଡୁଛି । ଏହି ଘଟଣାକୁ ନେଇ ଜଣେ ହସ୍ପିଟାଲ କର୍ମଚାରୀ କହିଛନ୍ତି ଯେ, ଏଠାରେ ଭେଣ୍ଟିଲେଟର୍ ଖରାପ ପଡିଛି । ଯେତେ ବୁଝାଇଲେ ମଧ୍ୟ ସେମାନେ ବୁଝୁନାହାଁନ୍ତି । ଏଠାରେ ଗୁରୁତରଙ୍କୁ ଭର୍ତ୍ତି କରାଯାଉ ନାହିଁ ।

ସୂଚନାଯୋଗ୍ୟ, ବିହାରରେ ଏବେସୁଦ୍ଧା ୨୭ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଥିବା ବେଳେ ୨୧୭ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ୧୭ହଜାର ୪୩୩ଜଣ ଆରୋଗ୍ୟ ଲାଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.