ବିବାଦରେ ଡିଆରଏସ, ପେନ୍ଙ୍କ ଆଉଟକୁ ନେଇ ଅସନ୍ତୁଷ୍ଟ କଙ୍ଗାରୁ ଟିମ୍
29/12/2020 at 8:12 AM

ମେଲବର୍ଣ୍ଣ,୨୯/୧୨: ଭାରତ ବିପକ୍ଷ ବକ୍ସିଂ ଡେ ଟେଷ୍ଟର ତୃତୀୟ ଦିନରେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଟିମ୍ ପେନ୍ଙ୍କ ଆଉଟକୁ ନେଇ କଙ୍ଗାରୁ ଖେଳାଳି ଡିଆରଏସରେ ସୁଧାର ଆଣିବାକୁ ଦାବି କରିଛନ୍ତି ।
ଖେଳର ତୃତୀୟ ଦିନରେ ରବିନ୍ଦ୍ର ଜାଡେଜାଙ୍କ ବଲରେ ଓ୍ୱିକେଟ୍ କିପର ଋଷଭ ପନ୍ତ ଏକ କ୍ୟାଚ୍ ଧରିଥିଲେ । ସେତେବେଳେ କ୍ରିଜରେ ବ୍ୟାଟିଂ କରୁଥିଲେ ଟିମ୍ ପେନ୍ । ଫିଲ୍ଡ ଅମ୍ପାୟାର ପଲ୍ ରାଫେଲ ଏହାକୁ ଆଉଟ ଦେଇଥିଲେ । ଏହା ବିରୋଧରେ ନିଆଯାଇଥିବା ଡିଆରଏସରେ ତୃତୀୟ ଅମ୍ପାୟାର ପଲ୍ ଓ୍ୱିଲସନ୍ ପେନଙ୍କୁ ଆଉଟ୍ ଦେଇଥିଲେ ।
ଏପରି ଏକ ମାମଲା ମ୍ୟାଚର ଦ୍ୱିତୀୟ ଦିନରେ ମଧ୍ୟ ହୋଇଥିଲା । ଅଷ୍ଟ୍ରେଲିଆ ବୋଲର ପେଟ୍ କମିନ୍ସଙ୍କ ବଲରେ ଚେତେଶ୍ୱର ପୂଜାରାଙ୍କ ବିପକ୍ଷରେ କଟ୍ ବିହାଇଣ୍ଡ୍ ଅପିଲ୍ ହୋଇଥିଲା । ଯାହାକୁ ନଟଆଉଟ୍ ଦିଆଯାଇଥିଲା ।

ପେନ୍ ଓ ପୂଜାରା ଉଭୟଙ୍କ ମାମଲାରେ ହଟସ୍ପଟରେ ବ୍ୟାଟ୍ ସହ ବଲ୍ ବାଜିଥିବା ଦେଖିବାକୁ ମିଳିନଥିଲା । କିନ୍ତୁ ସ୍ନିକୋମିଟରରେ ବଲ୍ ବ୍ୟାଟରେ ବାଜିଥିବା ଶବ୍ଦ ଆସିଥିଲା । ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ୍ ମାଥ୍ୟୁ ଓ୍ୱେଡ୍ କହିଛନ୍ତି ଯେ, ପେନଙ୍କୁ ଆୁଟ୍ ଦେବା ମାମଲା ପୂଜାରାଙ୍କ ଭଳି ଥିଲା । କିନ୍ତୁ ଜଣଙ୍କୁ ଆଉଟ୍ ଦିଆଗଲା ଓ ଅନ୍ୟଜଣଙ୍କୁ ଆଉଟ୍ ଦିଆଯାଇ ନଥିଲା । ଏଥିରେ ସମାନତା ହେବା ଆବଶ୍ୟକ । ସେ ପୂଜାରାଙ୍କ ବ୍ୟାଟରେ ବଲ୍ ବାଜିଥିବା ଶବ୍ଦ ଶୁଣିଥିଲେ ବୋଲି କହିଛନ୍ତି ।