Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ବରଗଡ଼ ସମବାୟ ଚିନି କାରଖାନା ବନ୍ଦ : ୪୦ମାସର ଦରମା ମିଳିନି , ଆଶଙ୍କା ଓ ଯନ୍ତ୍ରଣାରେ ୬ଶହ ପରିବାର , ମେଧାବୀଙ୍କ ଭବିଷ୍ୟତ ଅନ୍ଧକାର

7/11/2020 at 3:19 PM

ବରଗଡ଼ ୦୭।୧୧: ରାଜନେତା ଓ ସରକାରଙ୍କ ଦୁରଦୃଷ୍ଟି ଅଭାବରୁ ବନ୍ଦ ହେବାକୁ ଯାଉଛି କୃଷି ଶିଳ୍ପାଞ୍ଚଳ ବରଗଡ଼ ଜିଲ୍ଲାର ଗୋଟିଏ ପରେ ଗୋଟିଏ କଳ କାରଖାନା । ଯାହାର ପ୍ରଭାବ ସିଧା ପଡୁଛି , ସେଠାରେ କାମ କରୁଥିବା ବା ତା ଉପରେ ନିର୍ଭର କରୁଥିବା ଲୋକଙ୍କ ଉପରେ । ତେବେ ଗତ କିଛି ଦିନ ହେବ ବରଗଡ଼ ଜିଲ୍ଲାରେ ଥିବା ସମବାୟ ଚିନି କାରଖାନା ବନ୍ଦ ହୋଇଯାଇଛି । କାରଖାନା ବନ୍ଦ ହେବା ପରେ ଅନାହାର ମୃତ୍ୟୁକୁ ଅପେକ୍ଷା କରିଛନ୍ତି ତା ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ଲୋକେ ।

ବରଗଡ଼ କୃଷିପ୍ରଧାନ ଜିଲ୍ଲା ହୋଇଥିବା ଲାଗି ସରକାର ଏଠାରେସରକାର ଏଠାରେ ଗଢ଼ିଥିଲେ ଗୋଟିଏ ପରେ ଗୋଟିଏ କଳକାରଖାନା । ଆଉ ଏହି କଳକାରଖାନା ଗୁଡିକ ସ୍ଥାନୀୟ ଲୋକଙ୍କୁ ଯୋଗେଇଦେଇଥିଲା ରୋଜଗାର । ତେବେ ଧାନ ପରେ ବରଗଡ଼ ଜିଲ୍ଲା ଏବଂ ଏହାର ଚତୁଃପାଶ୍ୱର୍ରେ ବ୍ୟାପକ ଆଖୁଚାଷ ହେଉଥିବା ଲାଗି ୧୯୭୪ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବରଗଡ଼ର ତୋରା ଠାରେ ପ୍ରତିଷ୍ଠା କରିଥିଲେ ସମବାୟ ଚିନି କାରଖାନା ।

ଏହି କାରଖାନାରେ ଦୈନିକ ୧୨୫୦ ଟନ୍‌ରୁ ପ୍ରାୟ ୧୫୦୦ ଟନ୍ ପର୍ଯ୍ୟନ୍ତ ଆଖୁ ପେଡାଯାଇ ଉନ୍ନତ ମାନର ଚିନି ଉତ୍ପାଦନ କରାଯାଉଥିଲା । କିନ୍ତୁ ସରକାରଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ବନ୍ଦ ହୋଇଯାଇଛି ଚିନି କାରଖାନା । ତୋରା ସ୍ଥିତ ଏହି କାରଖାନା ଉପରେ ୭୦୦୦ କୃଷକ ଓ ୧୫୦୦୦ କୃଷି ଶ୍ରମିକ ନିର୍ଭର କରୁଥିଲେ । କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ କଲୋନୀ ମଧ୍ୟ ତିଆରି ହୋଇଥିଲା । କାରଖାନା ଚାଲୁଥିବା ସମୟରେ ସବୁ କିଛି ଠିକ ଠାକ ଥିଲା କିନ୍ତୁ ଏବେ ସ୍ଥିତି ସଙ୍ଗୀନ ହୋଇପଡିଛି । ଦରମା ପ୍ରାୟ ୪ବର୍ଷ ହେଲାଣି ମିଳିନାହିଁ ଅନ୍ୟ ପକ୍ଷରେ କଲୋନୀର ବିଦ୍ୟୁତ ଓ ପାନୀୟ ଜଳ ବିଛିନ୍ନ କରିବାକୁ ନୋଟିସ ପାଇବା ପରେ କଲୋନୀ ବାସୀ ଜିଲ୍ଲାପାଳଙ୍କୁ ନିଜ ଦାବି ଜଣାଇଥିଲେ ।

ବରଗଡ଼ ସମବାୟ ଚିନି କାରଖାନା ବନ୍ଦ ହେବା ପରେ ୪୦ ମାସ ହେଲା ଦରମା ପାଇନାହାନ୍ତି କର୍ମଚାରୀ । ସେମାନଙ୍କ ପରିବାରର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି ।ଏପରିକି ପିଲାଙ୍କ ପଢିବା ଖର୍ଚ୍ଚ ମଧ୍ୟ ତୁଲାଇ ପାରୁନାହାନ୍ତି ଅଭିଭାବକ । ସେମାନେ ରହୁଥିବା କଲୋନୀ ର ବିଦ୍ୟୁତ ବିଲ୍ ପଇଠ କରାନଯିବା ଯୋଗୁଁ ଲାଇନ କାଟି ଦେଇଛନ୍ତି ବିଦ୍ୟୁତ ବିଭାଗ । ସମ୍ପୂର୍ଣ୍ଣ ଅନ୍ଧାରରେ ରହୁଛନ୍ତି କଲୋନୀ ବାସୀ । ଖାଲି ଏତିକି ନୁହେଁ ଲାଇନ କଟିଯିବା ଯୋଗୁଁ ପାନୀୟ ଜଳ ଟୋପେ ମଧ୍ୟ ପାଇପାରୁନାହାନ୍ତି ସେମାନେ । ଗତ ସାଧାରଣ ନିର୍ବାଚନ ସମୟରେ ବରଗଡ଼ ସମବାୟ ଚିନି କାରଖାନା ପୁନରୁଦ୍ଧାର ନିମନ୍ତେ ସରକାର ୧୧ କୋଟି ଟଙ୍କା ଯୋଗେଇ ଦେବେ ବୋଲି ପ୍ରତିଶ୍ରୁତି  ଦେଇଥିଲେ ହେଁ ନିର୍ବାଚନରେ ବିଜୟ ପରେ ଦେଇଥିବା ପ୍ରତିଶୃତିକୁ ଭୁଲିଯାଇଛନ୍ତି ସରକାର ।

ବରଗଡ଼ ସମବାୟ ଚିନି କାରଖାନା ବନ୍ଦ ପରେ ଅନାହାର ଓ ଅସହାୟ ଭାବେ ଦିନ କାଟୁଛନ୍ତି କାର୍ଯ୍ୟ କରୁଥିବା କର୍ମଚାରୀ ।   ଅନ୍ଧାରରେ ଡିବି ଆଲୁଅରେ ପାଠ ପଡ଼ୁଛନ୍ତି  ଛାତ୍ରଛାତ୍ରୀ । ଓଳିଏ ଖାଇଲେ ବେଳିଏ ଉପାସ ରହିବାକୁ ପଡୁଛି । କାରଖାନକୁ ପୁନଃ କାର୍ଯ୍ୟକ୍ଷମ ତଥା କଲୋନୀ ଲାଇନ ନ କାଟିବା ସମ୍ପର୍କରେ ଜିଲ୍ଲା ପ୍ରଶାସନ ପାଖରେ ସେମାନେ ଗୁହାରି କରିଥିଲେ । କିନ୍ତୁ କେହି କର୍ଣପାତ କରୁ ନଥିବା ଅଭିଯୋଗ କରିଛନ୍ତି ସମ୍ପୃକ୍ତ କ୍ଷତିଗ୍ରସ୍ତ ପରିବାର ସଦସ୍ୟ ।

ଖାଲି ସେତିକି ନୁହଁ ଘରେ ଚଳିବା ପାଇଁ ପଇସା ନାହିଁ ,ଖାଇବା ପାଇଁ ଦାନା ନାହିଁ ,ପିନ୍ଦିବା ପାଇଁ କନା ମଧ୍ୟ ନାହିଁ  । ପୂର୍ବରୁ ଖୁବ ଭଲରେ ଚଳୁଥିଲୁ । ପୂର୍ବ ଅପେକ୍ଷା ଏବେ ଭାରି କଷ୍ଟରେ ଚଳୁଛୁ । ପଢିବାକୁ ଇଛା ଅଛି ହେଲେ ଅର୍ଥ ଅଭାବ ଯୋଗୁଁ ଆମେ ପଢିପାରୁନାହିଁ । ସରକାର ଆମ କଥା ଶୁଣନ୍ତୁ , ଆମ ଦୁଃଖ ବୁଝନ୍ତୁ ବୋଲି ଜଣେ ମେଧାବୀ ଛାତ୍ରୀ ଗୁହାରି କରିଛନ୍ତି ନିଉଜ ସେଭେନ ମାଧ୍ୟମରେ ସରକାରଙ୍କୁ । ଅନ୍ୟପକ୍ଷରେ ସମବାୟ ଚିନି କାରଖାନା କ୍ଷତିରେ ଚାଲୁଛି । ପ୍ରାୟ ୨୦ ଲକ୍ଷ ରୁ ଅଧିକ ଟଙ୍କାର ବିଦ୍ୟୁତ ବିଲ ବକେୟା ଥିବାରୁ ବିଦ୍ୟୁତ ସଂଯୋଗ ବିଛିନ୍ନ କରିଛି ବୋଲି କହିଛନ୍ତି ଚିନି କାରଖାନାର ପରିଚାଳନା ନିର୍ଦେଶକ।

ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କଳାତିପାତ କରୁଥିବା ବରଗଡ଼ ସମବାୟ ଚିନି କାରଖାନା ଉପରେ ନିର୍ଭରଶୀଳ ଲୋକଙ୍କ ସମସ୍ୟା ପ୍ରକୃତରେ ସରକାର ସମାଧାନ କରୁଛନ୍ତି ନା ସେମାନଙ୍କ ସମସ୍ୟା ପ୍ରତି ଆଖି ବୁଝିଦେଉଛନ୍ତି ଦେଖିବାକୁ ବାକି ରହିଲା ।

   Related Posts