ମେହବୁବାଙ୍କୁ ଝଟକା : ତ୍ରିରଙ୍ଗା ପ୍ରତି ଦେଇଥିବା ଅପମାନଜନକ ବୟାନକୁ ତୀବ୍ର ବିରୋଧ, ପିଡିପି ଛାଡିଲେ ୩ ନେତା

Published By : Prameya-News7 Bureau | October 26, 2020 IST

ଶ୍ରୀନଗର, ୨୬୧୦ପିଡିପି ନେତା ଟିଏସ ବାଜଓ୍ୱା, ବେଦ୍ ମହାଜନ୍ ଓ ହୁସେନ୍ ଏ ବଫକ୍କା ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ଦଳର ଅଧ୍ୟକ୍ଷା ମେହବୁବା ମୁଫତିଙ୍କ ତରଫରୁ ଜାତୀୟ ପତାକା ପ୍ରତି ଦିଆଯାଇଥିବା ଅପମାନଜନକ ବୟାନକୁ ବିରୋଧ କରି ଏହି ନେତାମାନେ ଦଳ ଛାଡିଛନ୍ତି । ଏହି ନେତାମାନେ ମୁଫତିଙ୍କୁ ପତ୍ର ଲେଖି କହିଛନ୍ତି ଯେ, ତାଙ୍କର କିଛି କାର୍ଯ୍ୟ ଓ ବୟାନ ଅସହଜ ମନେ ହେଉଛି । ଯାହା ଦେଶଭକ୍ତିର ଭାବନାକୁ ଆଘାତ ପହଁଚାଇଛି ।

ସୂଚନାନୁସାରେ, ପିଡିପି ନେତ୍ରୀ ମେହବୁବା ମୁଫତି କହିଥିଲେ ଯେ, ଗତ ଅଗଷ୍ଟ ୫ରେ ଜମ୍ମୁ-କାଶ୍ମୀରକୁ ନେଇ ଯେଉଁ ଆଇନ ଆସିଛି ତାହାକୁ ବିରୋଧ କରାଯିବ । ଏହି ନିୟମ ଓ ଆଇନକୁ ଫେରସ୍ତ ନନେବା ଯାଏଁ ତ୍ରିରଙ୍ଗାକୁ ମାନିବେ ନାହିଁ । ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ସମୟରେ ମେହବୁବାଙ୍କୁ ଗୃହବନ୍ଦୀ କରାଯାଇଥିଲା । ମୁକ୍ତି ପାଇବା ପରେସେ ତ୍ରିରଙ୍ଗାକୁ ଛୁଇଁବେ ନାହିଁ ଏବଂ ପୂର୍ବ ସମ୍ବିଧାନ ଓ ଜମ୍ମୁ-କାଶ୍ମୀରର ସ୍ୱତନ୍ତ୍ର ପତାକାକୁ ଗ୍ରହଣ କରିବେ ବୋଲି କହିଥିଲେ ।

ମେହବୁବାଙ୍କ ଏହି ବୟାନକୁ ବିଜେପି ଓ କଂଗ୍ରେସ ବିରୋଧ କରିବା ସହ ଗିରଫଦାରି ଦାବି କରିଥିଲେ । ମେହବୁବାଙ୍କ ବୟାନ ହିଂସା ଓ ଘୃଣା ସୃଷ୍ଟି କରୁଛି ବୋଲି ଅଭିଯୋଗ ମଧ୍ୟ ହୋଇଛି । ଏପରିକି ମେହବୁବାଙ୍କୁ ବିରୋଧ କରି ଜମ୍ମୁ-କାଶ୍ମୀରରେ ଅବସ୍ଥିତ ପିଡିପି କାର୍ଯ୍ୟାଳୟରେ କିଛି ଯୁବକ ତ୍ରିରଙ୍ଗା ଉଡାଇଥିଲେ । ତେବେ କାର୍ଯ୍ୟାଳୟରେ ଭଙ୍ଗାରୁଜା କରାଯାଇଥିବା ପିଡିପି ଅଭିଯୋଗ କରିଥିଲା ।

ଏପରି ହିଂସାସୃଷ୍ଟିକାରୀ ବୟାନକୁ ବିଜେପି କଡା ଭାଷାରେ ସମାଲୋଚନା କରିଥିଲା । ଉତ୍ତର ପ୍ରଦେଶ ସରକାରର ମନ୍ତ୍ରୀ ମହସିନ୍ ରାଜା ମୁଫତି ପାକିସ୍ତାନ ଚାଲିଯିବା ଉଚିତ ବୋଲି କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.