ବିହାର ମହାମେଣ୍ଟରେ ଫାଟ : ଆରଜେଡି ନେତା କହିଲେ- 'ନିର୍ବାଚନ ବେଳେ ରାହୁଲ ଗାନ୍ଧୀ ସିମଲାରେ ପିକନିକ୍ କରୁଥିଲେ'

Published By : Prameya-News7 Bureau | November 16, 2020 IST

ପାଟନା, ୧୬|୧୧: ବିହାରରେ ରାଜନୈତିକ ବାତାବରଣ ସରଗରମ ରହିଛି । ଗୋଟିଏ ପଟେ ନୀତିଶ କୁମାରଙ୍କ ନେତୃତ୍ୱରେ ଏନଡିଏ ସରକାର ଗଠନ କରିବାକୁ ଯାଉଛି । ଅନ୍ୟପଟେ କଂଗ୍ରେସ-ଆରଜେଡି-ସିପିଏମକୁ ନେଇ ଗଠିତ ମହାମେଣ୍ଟରେ କନ୍ଦଳ ଆରମ୍ଭ ହୋଇଯାଇଛି । ଆରଜେଡିର ବରିଷ୍ଠ ନେତା ଶିବାନନ୍ଦ ତିଓ୍ୱାରୀ ଏବେ କଂଗ୍ରେସକୁ କଡା ଭାଷାରେ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ କାର୍ଯ୍ୟଶୈଳୀ ପାଇଁ ବିଜେପିକୁ ଫାଇଦା ମିଳିଛି ।

ଶିବାନନ୍ଦ ତିଓ୍ୱାରୀ କହିଛନ୍ତି ଯେ, କଂଗ୍ରେସ ମହାମେଣ୍ଟ ପାଇଁ ଅଡୁଆ ବଢାଇଥିଲା । ଦଳ ତରଫରୁ ୭୦ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ । କିନ୍ତୁ ୭୦ଟି ରାଲି ମଧ୍ୟ ହୋଇନଥିଲା । ରାହୁଲ ଗାନ୍ଧୀ ବିହାରକୁ କେବଳ ତିନି ଦିନ ପାଇଁ ଆସିଥିଲେ । ପ୍ରିୟଙ୍କା ଗାନ୍ଧୀ ଆସିନଥିଲେ କାରଣ ସେ ବିହାରରେ ସେତେ ମାତ୍ରାରେ ପରିଚିତ ନୁହଁନ୍ତି ।

wp:html /wp:html

ସେ ଆହୁରି କହିଛନ୍ତି ଯେ, ବିହାରରେ ନିର୍ବାଚନ ଉଷ୍ମତା ଜୋର୍ ଧରିଥିବା ବେଳେ ରାହୁଲ ଗାନ୍ଧୀ ସିମଲାରେ ପ୍ରିୟଙ୍କା ଗାନ୍ଧୀଙ୍କ ଘରେ ପିକନିକ୍ କରୁଥିଲେ । ଏପରି ହେଲେ ଦଳ ଚାଲିବ ନାହିଁ । କଂଗ୍ରେସ ଦଳ ଯେପରି ଭାବେ ଚାଲୁଛି, ଏଥିରୁ ବିଜେପିକୁ ଫାଇଦା ମିଳୁଛି । ରାହୁଲ ଗାନ୍ଧୀଙ୍କ ଘରେ ବୈଠକ ହୋଇଥିଲା । ଏଥିରେ କପିଲ ଶିବ୍ବଲ, ଶଶି ଥରୁର, ମନୀଷ ତିଓ୍ୱାରୀ ଆଦି ସମସ୍ତେ ଉପସ୍ଥିତ ଥିଲେ । ସମସ୍ତେ ଜୀବନ ସାରା କଂଗ୍ରେସରେ ରହିବେ ବୋଲି ଏକ ଚିଠିରେ କହିଥିଲେ । ଏପରି ହେଲେ ଦଳ ଆଗକୁ ବଢିପାରିବ ନାହିଁ । କେବଳ ବିହାର ନୁହେଁ ଅନ୍ୟ ରାଜ୍ୟରେ ମଧ୍ୟ କଂଗ୍ରେସ ଅଧିକରୁ ଅଧିକ ଆସନରେ ନିର୍ବାଚନ ଲଢିବା ନେଇ ଜୋର୍ ହେଉଛି । କିନ୍ତୁ ଜିତିବାରେ ବିଫଳ ହେଉଛି । କଂଗ୍ରେସ ଏହାକୁ ନେଇ ଆତ୍ମସମୀକ୍ଷା କରୁ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.