ଦହି,ଛେନା,ଖଟା,ମଲେଇ ଖାଆନ୍ତୁ ; ଅବସାଦରୁ ଦୂରେଇ ରୁହନ୍ତୁ
19/07/2020 at 2:51 PM

ନୂଆଦିଲ୍ଲୀ ୧୯।୦୭: କରୋନା ସଙ୍କଟ ସମୟରେ ସମସ୍ତେ ଉଦ୍ବେଗ, ଚିନ୍ତା ଓ ଅବସାଦ ଭିତରେ ଅଛନ୍ତି । ଏହାର ଫଳସ୍ୱରୂପ ମାନସିକ ଚାପ, ନିଦ୍ରାହୀନତା ଓ କ୍ଳାନ୍ତି ଭଳି ସମସ୍ୟାର ଶିକାର ହେଉଛନ୍ତି । ଏହି ସବୁ କାର୍ଯ୍ୟକଳାପ ଓ ଭାବନା ଜାଗ୍ରତରେ ଖାଦ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ ବୋଲି ଅଧ୍ୟୟନ ସ୍ପଷ୍ଟ କରିଛି। ମସ୍ତିଷ୍କ ଓ ମନ ମଧ୍ୟରେ ଏହାର ମୁଖ୍ୟ ସମ୍ପର୍କ ରହିଥିବା ପ୍ରମାଣ ଦେଇଛି ।

ସଦ୍ୟ ଅଧ୍ୟୟନର ତଥ୍ୟ ଅନୁସାରେ, ପ୍ରୋବାୟୋଟିକ୍ ଓ ପ୍ରିବାୟୋଟିକ୍ ଖାଦ୍ୟ ଯଥା- ଦହି, ଛେନା ଏବଂ ଖଟା ମଲେଇ ଅବସାଦ ଓ ତତ୍ସମ୍ପର୍କିତ ସମସ୍ୟା ସହ ଲଢ଼ିବାରେ ବିଶେଷ ସହାୟକ ହୋଇପାରେ । ଗବେଷକମାନେ ଏହାକୁ ‘ଗଟ୍-ବ୍ରେନ୍ ଟ୍ରାକ୍’ ବା ପେଟ-ମସ୍ତିଷ୍କର ମାର୍ଗ ରୂପେ ବିବେଚନା କରିଛନ୍ତି । ବିଏମ୍ଜେ ନ୍ୟୁଟ୍ରିସନ୍ ପ୍ରିଭେନ୍ସନ ଆଣ୍ଡ ହେଲ୍ଥ ନାମକ ସ୍ୱାସ୍ଥ୍ୟ ବିଜ୍ଞାନ ପତ୍ରିକାରେ ଅଧ୍ୟୟନଟି ପ୍ରକାଶ ପାଇଛି । ବ୍ରିଟେନ୍ର ୟୁନିଭର୍ସିଟି ଅଫ୍ ବ୍ରିଟନ୍ର ଗବେଷକମାନେ ଏ ନେଇ ଅଧିକ ଅନ୍ୱେଷଣ କରିଛନ୍ତି ଏବଂ ୨୦୦୩ ଓ ୨୦୧୯ ମସିହା ମଧ୍ୟରେ ପ୍ରକାଶିତ ଏ ସମ୍ପର୍କିତ ଅଧ୍ୟୟନଗୁଡ଼ିକର ଗବେଷଣା କରିଛନ୍ତି ।

ଏଥିପାଇଁ ସେମାନେ ଅବସାଦ କିମ୍ବା ଉଦ୍ବେଗ ବିକାରଯୁକ୍ତ ବୟସ୍କଙ୍କଠାରେ ପ୍ରିବାୟୋଟିକ୍ ଓ ପ୍ରୋବାୟୋଟିକ୍ର ସମ୍ଭାବ୍ୟ ଚିକିତ୍ସକୀୟ ଯୋଗଦାନ ଉପରେ ଫୋକସ୍ କରିଥିଲେ । ଅଧ୍ୟୟନ ଶେଷରେ ଜଣାପଡ଼ିଲା, କେବଳ ପ୍ରୋବାୟୋଟିକ୍ କିମ୍ବା ଉଭୟ ପ୍ରୋବାୟୋଟିକ୍ ଓ ପ୍ରିବାୟୋଟିକ୍ଯୁକ୍ତ ଖାଦ୍ୟ ଯୋଗୁ ଉଦ୍ବେଗ କିମ୍ବା ଅବସାଦ ଲକ୍ଷଣରେ ଉନ୍ନତି ହୋଇଥିଲା । ପ୍ରଦାହଯୁକ୍ତ ରସାୟନ ଟ୍ରିପ୍ଟୋଫାନ୍ର ଉତ୍ପନ୍ନ ମାତ୍ରା କମାଇବାରେ ପ୍ରୋବାୟୋଟିକ୍ ସାହାଯ୍ୟ କରେ ବୋଲି ଏଥିରୁ ଜଣାପଡ଼ିଲା । ମନସ୍ତାତ୍ତ୍ୱିକ ବିକାର କ୍ଷେତ୍ରରେ ଗଟ୍-ବ୍ରେନ୍ ଆକ୍ସିସ୍ରେ ଏହି ରସାୟନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଉଭୟ ପ୍ରିବାୟୋଟିକ୍ ଓ ପ୍ରୋବାୟୋଟିକ୍ ଖାଦ୍ୟ ମୁଡ୍ ଭଲ ରଖିବାରେ ବେଶ ସହାୟକ ବୋଲି ଅଧ୍ୟୟନ ପ୍ରସ୍ତାବ ଦେଇଛି ।