CBSE ଦ୍ୱାଦଶ ପରୀକ୍ଷା ମଧ୍ୟ ବାତିଲ ହେଉ, ଛାତ୍ରଛାତ୍ରୀଙ୍କୁ ଜୁନ ପର୍ଯ୍ୟନ୍ତ ଚାପରେ ରଖିହେବନି କହିଲେ ପ୍ରିୟଙ୍କା ଭଦ୍ରା

Published By : Prameya-News7 Bureau | April 14, 2021 IST

ନୂଆଦିଲ୍ଲୀ ୧୪।୪:  କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହର ପ୍ରକୋପକୁ ଦେଖି କେନ୍ଦ୍ର ସରକାର ବୁଧବାର ସିବିଏସଇ ୧୦ମ ଶ୍ରେଣୀ ପରୀକ୍ଷା ବାତିଲ କରିଦେଇଛନ୍ତି। ତେବେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ଘୋଷଣା କରିଛନ୍ତି। ଜୁନ ପହିଲାରେ ପରିସ୍ଥିତିର ସମୀକ୍ଷା ପରେ ଏ ନେଇ ଚୂଡାନ୍ତ ନିଷପତ୍ତି ନିଆଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି। ତେବେ ସେ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଚାପରେ ରଖି ହେବନି ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରା କହିଛନ୍ତି।

ସେ କହିଛନ୍ତି ଯେ କରୋନା ପରିପ୍ରେକ୍ଷୀରେ ୧୦ମ ଶ୍ରେଣୀ ପରୀକ୍ଷା ବାତିଲ ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ, ତେବେ ଦ୍ୱାଦଶ ପରୀକ୍ଷା ମଧ୍ୟ ବାତିଲ କରିବା କଥା। ଛାତ୍ରଛାତ୍ରୀଙ୍କୁ ଜୁନ ପର୍ଯ୍ୟନ୍ତ ଚାପରେ ରଖିବାର କୌଣସି ଯଥାର୍ଥତା ନାହିଁ। ଏହା ‘ଅନୁଚିତ’  ବୋଲି ମଧ୍ୟ ସେ କହିଛନ୍ତି। ଏ ନେଇ ସରକାର ଉପଯୁକ୍ତ ପଦକ୍ଷେପ ନେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

wp:embed {"url":"https://twitter.com/priyankagandhi/status/1382257804119920641","type":"rich","providerNameSlug":"twitter","responsive":true,"className":""}
https://twitter.com/priyankagandhi/status/1382257804119920641
/wp:embed

ଏ ନେଇ ପ୍ରିୟଙ୍କା ବୁଧବାର ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସରକାରଙ୍କ ନିଷ୍ପତ୍ତି ଜାଣି ଖୁସି ଲାଗିଲା ବୋଲି  ଲେଖିଛନ୍ତି। ତେବେ କେନ୍ଦ୍ର ସରକାରଙ୍କୁ ଦ୍ୱାଦଶ ପରୀକ୍ଷା ଲାଗି ମଧ୍ୟ ନିଷ୍ପତ୍ତି ନେବାର ଆବଶ୍ୟକତା ଥିବା ଉଲ୍ଲେଖ କରିଛନ୍ତି। ଏହା ପୂର୍ବରୁ ପ୍ରିୟଙ୍କା ଟ୍ୱିଟ୍‌ ମାଧ୍ୟମରେ କୋଭିଡ-୧୯ ମହାମାରୀର ପ୍ରସାରଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ୧୦ମ ଓ ଦ୍ୱାଦଶ ପରୀକ୍ଷା ବାତିଲ କରିବା ଲାଗି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କୁ ଏକ ପତ୍ର ଲେଖିଥିଲେ।

ମାମଲାରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ନିଶଙ୍କ, କେନ୍ଦ୍ର ଶିକ୍ଷା ସଚିବ ଓ ଅନ୍ୟ ଉଚ୍ଚଅଧିକାରୀମାନେ ଯୋଗ ଦେଇଥିବା ବେଳେ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କରିଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ବୈଠକରେ ଦ୍ୱାଦଶ ପରୀକ୍ଷାକୁ ଏଥିରେ ସ୍ଥଗିତ କରାଯାଇଛି। ଉଭୟ ପରୀକ୍ଷା ଆସନ୍ତା ମେ ୪ ତାରିଖରୁ ଦେଶରେ ଅନୁଷ୍ଠିତ ହେବାକୁ ଥିଲା।

ତେବେ କେବଳ ପ୍ରିୟଙ୍କା  ନୁହନ୍ତି ବରିଷ୍ଠ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ମଧ୍ୟ ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଥିଲେ। ହୁଏତ ପରୀକ୍ଷା ଅନୁଷ୍ଠିତ ହେଲେ ପରୀକ୍ଷା କେନ୍ଦ୍ରଗୁଡିକ କରୋନା ହଟସ୍ପଟ୍‌ରେ ପରିଣତ ହୋଇପାରେ ବୋଲି କେଜରିୱାଲ ଆଶଙ୍କା ପ୍ରକାଶ କରିବା ସହ କେନ୍ଦ୍ର ସରକାରଙ୍କ ଉପରେ ନିଷ୍ପତ୍ତି ଛାଡିଥିଲେ। କେବଳ ରାଜଧାନୀ ଦିଲ୍ଲୀରେ ଚଳିତବର୍ଷ ୬ଲକ୍ଷ ଛାତ୍ରଛାତ୍ରୀ ସିବିଏସଇ ପରୀକ୍ଷା ଦେବାର ଥିଲା। ପରୀକ୍ଷା ପରିଚାଳନା ଲାଗି ସିବିଏସଇଙ୍କ ୧ଲକ୍ଷରୁ ଊର୍ଦ୍ଧ୍ୱ କର୍ମଚାରୀ ମଧ୍ୟ ନିୟୋଜିତ ହୋଇଥାନ୍ତେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.