ପ୍ରିୟଙ୍କାଙ୍କ ସିଧାସଳଖ ମୁକାବିଲା ହେବ ମୋଦି ଏବଂ ଯୋଗୀଙ୍କ ସହ ; କଂଗ୍ରେସ ପ୍ରସ୍ତୁତ କରୁଛି ରଣନୀତି

Published By : Prameya-News7 Bureau | January 23, 2019 IST

ଦିଲ୍ଲୀ ୨୩/୧ : ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜର ଟ୍ରମ୍ପ କାର୍ଡ ବ୍ୟବହାର କରିଛି | କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ରାଜନୀତିରେ ପ୍ରବେଶ କରିଛନ୍ତି | ଆଜି ରାହୁଲ ଗାନ୍ଧୀ ପ୍ରିୟଙ୍କାଙ୍କୁ କଂଗ୍ରେସ ଦଳର ମହା ସଚିବ ଭାବେ ନିଯୁକ୍ତି ଦେଇ ଉତ୍ତର ପ୍ରଦେଶର ଭାର ସମ୍ଭାଳିବା ଦାୟିତ୍ୱ ଦେଇଛନ୍ତି | ଏବେ ପ୍ରିୟଙ୍କା ଗାନ୍ଧୀଙ୍କ ମୁକାବିଲା ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କ ସହ ହେବ | ପୂର୍ବାଞ୍ଚଳରେ ବିଜେପିର ଏହି ଦୁଇ ବରିଷ୍ଠ ନେତା ପ୍ରତିନିଧିତ୍ବ କରୁଛନ୍ତି |

ଲୋକସଭା ନିର୍ବାଚନରେ ମୋଦିଙ୍କୁ ମାତ ଦେବା ପାଇଁ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି କଂଗ୍ରେସକୁ ଅଲଗା ରଖି ମହାମେଣ୍ଟ ଗଠନ କରିଥିଲେ | ଏଭଳି ସ୍ଥିତିରେ କଂଗ୍ରେସ ନିଜର କୂଟନୀତି ଦେଖାଇଛି | ପ୍ରିୟଙ୍କାଙ୍କୁ ପୂର୍ବାଞ୍ଚଳ ଦାୟିତ୍ୱ ଦେଇ କଂଗ୍ରେସ ନିଜ କୂଟନୀତି ପ୍ରମାଣିତ କରିଛି |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାଞ୍ଚଳ ବାରଣାସୀ ଲୋକସଭା ଆସନରୁ ସାଂସଦ ଅଛନ୍ତି | ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ମଧ୍ୟ ପୂର୍ବାଞ୍ଚଳ ଦାୟିତ୍ୱ ବହନ କରୁଛନ୍ତି | ସେ ଗୋରଖପୁର ଲୋକସଭା ଆସନରୁ ସାଂସଦ ଅଛନ୍ତି | ୨୦୧୪ ମସିହା ନିର୍ବାଚନ ବେଳେ ବିଜେପି ନରେନ୍ଦ୍ର ମୋଦିଙ୍କୁ ଲୋକସଭା ଆସନରେ ପ୍ରତିଷ୍ଠିତ କରାଇ ସବୁ ଦଳକୁ ସଫା କରିଦେଇଥିଲା | ୨୦୧୭ ମସିହା ବିଧାନସଭା ନିର୍ବାଚନ ବେଳେ ନରେନ୍ଦ୍ର ମୋଦି ୩ ଦିନ ଯାଏଁ ପୂର୍ବାଞ୍ଚଳରେ ଡେରା ପକାଇ ସମାଜବାଦୀ ପାର୍ଟି ଏବଂ କଂଗ୍ରେସର ମେଣ୍ଟକୁ ଧୂଳି ଚଟାଇଥିଲେ |

ପୂର୍ବାଞ୍ଚଳରେ ବ୍ରାହ୍ମଣମାନଙ୍କ  ଦବଦବା ରହିଛି | ପୂର୍ବାଞ୍ଚଳର ଅନେକ ଆସନରେ ବ୍ରାହ୍ମଣମାନଙ୍କ ଗୁରୁତ୍ୱପୂର୍ଣ ଭୂମିକା ରହିଛି | ଦିନ ଥିଲା ଯେତେବେଳେ ପାରମ୍ପରିକ ଭାବେ ବ୍ରାହ୍ମଣମାନେ କଂଗ୍ରେସକୁ ସମର୍ଥନ କରୁଥିଲେ | କିନ୍ତୁ ମଣ୍ଡଳ ଆନ୍ଦୋଳନ ପରେ ବ୍ରାହ୍ମଣଙ୍କ ସମର୍ଥନ ଆଉ କଂଗ୍ରେସ ପ୍ରିତି ରହିଲାନାହିଁ | ମଣ୍ଡଳ ଆନ୍ଦୋଳନ ପରେ ବ୍ରାହ୍ମଣ ବିଜେପି ଆଡକୁ ଢଳିବା ଆରମ୍ଭ କରିଥିଲେ |

ଆସନ୍ତା ନିର୍ବାଚନବେଳେ ଏହି ବ୍ରାହଣମାନଙ୍କୁ ଏକଜୁଟ କରି ନିଜ ଆଡକୁ ଟାଣିବା ପାଇଁ କଂଗ୍ରେସ ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ରଣନୀତି ପ୍ରସ୍ତୁତ କରୁଛି ବୋଲି ଶୁଣିବାକୁ ମିଳୁଛି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.